ମୁସଲିମ ମହିଳାଙ୍କୁ ଧମକ !

ନୂଆଦିଲ୍ଲୀ: ମୁସଲିମ ଡିଫେନ୍ସ ଫୋର୍ସ ୨୪/୭ ନାମକ ଏକ ସଙ୍ଗଠନ ମୁସଲିମ ମହିଳାଙ୍କୁ ଧମକ ଦେଇଛି । ସେଲଫି ନେଲେ ପରିଣାମ ଭୋଗିବାକୁ ପଡିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ଚେତାବନୀ ଦିଆଯାଇଛି ଯେ, ଯେଉଁ ମୁସଲିମ ମହିଳା ବୁର୍ଖା ପିନ୍ଧିବେ ନାହିଁ କିମ୍ବା ସାର୍ବଜନୀନ ସ୍ଥାନରେ ସେଲଫି ନେବେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମାଙ୍ଗାଲୋର ପୋଲିସ କମିଶନର ଶଶି କୁମାର। ସେ କହିଛନ୍ତି ଯେ, ଧମକ ଦେଇଥିବା ସଙ୍ଗଠନ ନିଜକୁ ମୁସଲିମ ଅଧିକାରର ରକ୍ଷକ ବୋଲି କହୁଛି । ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ଏହି ଧମକ ଦିଆଯାଇଛି । ଏହାସହ ବୁର୍ଖା ହଟାଇ ସେଲଫି ନେବାକୁ ମଧ୍ୟ ବାରଣ କରାଯାଇଛି । ଯଦି କେହି କଟକଣା ନମାନନ୍ତି ତେବେ ସଙ୍ଗଠନ ସେମାନଙ୍କ ଉପରେ ଆକ୍ରମଣ କରିବ ବୋଲି କହିଥିବା କମିଶନର କହିଛନ୍ତି ।

ଶଶି କୁମାର ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଧମକ ଦେଇଥିବା ସଙ୍ଗଠନ ଉପରେ ନଜର ରଖିଛନ୍ତି । ତେବେ ଚେତାବନୀଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଇନଷ୍ଟାଗ୍ରାମ୍ ଓ ଫେସବୁକ ବ୍ୟତୀତ ହ୍ୱାଟସଆପରେ ମଧ୍ୟ ଲୋକଙ୍କୁ ମେସେଜ କରାଯାଉଛି । ଏପରିକି କିପରି ମୁସଲିମ ମହିଳା ଓ ଯୁବତୀ ଧାର୍ମିକ ପରମ୍ପରା ଭାଙ୍ଗିବେ ନାହିଁ ତାହା ସଙ୍ଗଠନର ଲକ୍ଷ୍ୟ ବୋଲି ଭାଇରାଲ ମେସେଜରେ କୁହାଯାଇଛି ।

ତେବେ ପୋଲିସ ଲଗାତର ଭାବେ ଏହି ସଙ୍ଗଠନ ଉପରେ ନଜର ରଖିଛି । କିଏ ଏହି ଘଟଣାର ମାଷ୍ଟର ମାଇଣ୍ଡ, ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।

Related Posts