ରୁପାଣିଙ୍କ ବିବାଦୀୟ ବୟାନ: କହିଲେ, ମୁସଲମାନଙ୍କ ପାଇଁ ୧୫୦ ଦେଶ: ହିନ୍ଦୁଙ୍କ ପାଇଁ ଅଛି କେବଳ ଭାରତ

(ସତ୍ୟପାଠ ବ୍ୟୁରୋ) ଅହମଦାବାଦ: ବସବାସ ପାଇଁ ମୁସଲମାନମାନେ ବିଶ୍ୱର ୧୫୦ଟି ଇସ୍‌ଲାମୀୟ ଦେଶରୁ ଯେ କୌଣସି ଗୋଟିକୁ ବାଛିପାରିବେ, କିନ୍ତୁ ହିନ୍ଦୁମାନଙ୍କ ପାଇଁ ଅଛି କେବଳ ଭାରତ । ନାଗରିକତା (ସଂଶୋଧନ) ଆଇନର ଯଥାର୍ଥତା ଦର୍ଶାଇବାକୁ ଯାଇ ମଙ୍ଗଳବାର ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏଭଳି ବିବାଦୀୟ ବୟାନ ଦେଇଛନ୍ତି ।

ସାବରମତୀ ଆଶ୍ରମ ବାହାରେ CAAସମର୍ଥନରେ ବାହାରି ଥିବା ଏକ ରାଲିରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ରୁପାନି କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ । ଏହି ପ୍ରସଙ୍ଗରେ କଂଗ୍ରେସ ମହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଇଚ୍ଛାକୁ ସମ୍ମାନ ଦେଉନାହିଁ ବୋଲି ସେ କହିଛନ୍ତି । ପାକିସ୍ତାନରେ ଥିବା ହିନ୍ଦୁ ଓ ଶିଖ୍‌ମାନଙ୍କୁ ଭାରତ ନାଗରିକତା ପ୍ରଦାନ କରୁ ବୋଲି ଗାନ୍ଧିଜୀ ମତ ଦେଇଥିଲେ । ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏବେ ଏହାକୁ କଂଗ୍ରେସ କାହିଁକି ବିରୋଧ କରୁଛି ଏ କଥା ସେ ଦେଶବାସୀଙ୍କୁ ବୁଝାଇବା ଦରକାର ।

ଦେଶ ବିଭାଜନ ସମୟରେ ପାକିସ୍ତାନରେ ୨୨% ହିନ୍ଦୁ ଥିଲେ । ଅତ୍ୟାଚାର ବୃଦ୍ଧି ପାଉଥିବାରୁ ଏବେ ସେମାନଙ୍କ ସଂଖ୍ୟା ୩%କୁ ହ୍ରାସ ପାଇଲାଣି । ସେଇଥିପାଇଁ ହିନ୍ଦୁମାନେ ଭାରତକୁ ଫେରିଆସିବାକୁ ଚାହୁଁଛନ୍ତି । ଅତ୍ୟାଚାରିତ ହିନ୍ଦୁମାନଙ୍କୁ ଯେଉଁ ପ୍ରକାରର ସହାୟତା କରିବାର କଥା କଂଗ୍ରେସ କରିନାହିଁ । ତେଣୁ ଆମେ ତାହା କରୁଥିବା ବେଳେ କଂଗ୍ରେସ ବିରୋଧ କରୁଛି । ସେହିଭଳି ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା ୨%କୁ ହ୍ରାସ ପାଇଲାଣି । କିଛି ଦଶନ୍ଧି ତଳେ ଆଫଗାନିସ୍ଥାନରେ ୨ ଲକ୍ଷ ହିନ୍ଦୁ ଓ ଶିଖ୍‌ ବାସିନ୍ଦା ଥିଲେ । ଏବେ ମାତ୍ର ୫୦୦ ଅଛନ୍ତି । ମୁସଲମାନମାନେ ୧୫୦ଟି ଦେଶକୁ ଯାଇ ପାରିବେ, କିନ୍ତୁ ହିନ୍ଦୁମାନଙ୍କ ପାଇଁ ମାତ୍ର ଗୋଟିଏ ଦେଶ ଅଛି ଏବଂ ତାହା ହେଊଛି ଭାରତ । ସେମାନେ ଫେରିଆସିବାକୁ ଚାହିଁଲେ ଅସୁବିଧା କୋଉଠି ଅଛି ବୋଲି ପ୍ରଶ୍ନ କରିଛନ୍ତି ରୁପାଣି ? ସେମାନଙ୍କୁ ଆଶ୍ରୟ ଦେବାକୁ ମୋଦି ସରକାର ଚିନ୍ତା କରି ନାଗରିକ ସଂଶୋଧନ ଆଇନ ଆଣିଛନ୍ତି । ତେଣୁ ଏହାକୁ ସମସ୍ତେ ସମର୍ଥନ କରିବା ଉଚିତ ବୋଲି ରୁପାଣି କହିଛନ୍ତି । 

Related Posts