‘କଠିନ ସମୟରେ ମୋର ସମର୍ଥନ ଆପଣଙ୍କ ସହ ଅଛି’; ମୋଦିଙ୍କ ମା’ ହସ୍ପିଟାଲରେ ଭର୍ତ୍ତି ହେବାପରେ ରାହୁଲଙ୍କ ଟ୍ୱଟ୍

ଭୁବନେଶ୍ଵର,୨୮/୧୨(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରା ବେନ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ କଂଗ୍ରେସ ସାଂସଦ ରାଦୁଲ ଗାନ୍ଧି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ଏ ନେଇ ରାହୁଲ ଏକ ଟ୍ୱଟ୍ କରିଥିବା ବେଳେ ‘ମା ଓ ପୁଅ ମଧ୍ୟରେ ପ୍ରେମ ଅନନ୍ତ ଓ ଅମୂଲ୍ୟ, ମୋଦି ଜୀ ଏହି କଠିନ ସମୟରେ ମୋର ଭଲପାଇବା ଓ ସମର୍ଥନ ଆପଣଙ୍କ ସହିତ ରହିଛି’ ବୋଲି ଉଲ୍ଲେଖ କରିଛନ୍ତି।

ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ମଧ୍ୟ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମା ଅସୁସ୍ଥ ଥିବା ସମାଚାର ମିଳିଛି ବୋଲି ଉଲ୍ଲେଖ କରିଛନ୍ତି। ଏହି କ୍ଷଣରେ ଆମେ ସବୁ ତାଙ୍କ ସହିତ ବୋଲି ପ୍ରିୟଙ୍କା ଉଲ୍ଲେଖ କରିଛନ୍ତି ଓ ଈଶ୍ୱରଙ୍କୁ ତାଙ୍କର ତୁରନ୍ତ ସ୍ୱାସ୍ଥ୍ୟ ଲାଭ ଲାଗି ପ୍ରାର୍ଥନା କରିଛନ୍ତି। ତେବେ କିଛି ସମୟ ପୂର୍ବରୁ ହୀରା ବା ଭର୍ତ୍ତି ହୋଇଥିବା ହସ୍ପିଟାଲ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏଥିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରା ବେନଙ୍କ ସ୍ୱାସ୍ଥ୍ୟାବସ୍ଥା ମଙ୍ଗଳବାର ଅଚାନକ ବିଗଡିଯାଇଥିଲା। ଏହା ପରେ ତାଙ୍କୁ ଅହମ୍ମଦାବାଦର ୟୁ.ଏନ.ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କ ପରିବାରର ସବୁ ଲୋକେ ହସ୍ପିଟାଲରେ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସାନ ଭାଇ ପ୍ରହ୍ଲାଦ ପଟେଲଙ୍କ ପରିବାର ଡିସେମ୍ବର ୨୭ ତାରିଖ ଦିନ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ।

ପ୍ରହ୍ଲାଦ ପରିବାର ସହିତ ମୈସୁରର ବାନ୍ଦିପୁରା ଯାଉଥିବା ବେଳେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଗାଡିରେ ଯାତ୍ରା କରୁଥିବା ସବୁ ସଦସ୍ୟ ଅଳ୍ପ ବହୁତେ ଆହତ ହୋଇଛନ୍ତି। ସମସ୍ତଙ୍କୁ ମୈସୁରର ଜେଏସଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଗାଡିରେ ପ୍ରହ୍ଲାଦଙ୍କ ପୁଅ ମେହୁଲ ମଧ୍ୟ ଥିଲେ। ତାଙ୍କ ସହ ତାଙ୍କ ପିଲା ଓ ପରିବାର ମଧ୍ୟ ଥିଲେ।

Related Posts