
ଧରାପଡ଼ିଲା ବନ ବିଭାଗର ମିଛ । ବାଘ ମହାବୀରକୁ ନେଇ ବନ ବିଭାଗ ଯେଉଁ ମିଛ କାହାଣୀ କହୁଥିଲା ତାର ପର୍ଦ୍ଦାଫାସ୍ କରିଛନ୍ତି ନ୍ୟାସନାଲ୍ ଟାଇଗର କନଜରଭେସନ୍ ଅଥରିଟି ବା ଏନ୍ଟିସିଏ । ଶିକାର ଉଦ୍ଦେଶ୍ୟରେ ମହାବଳକୁ ହତ୍ୟା କରାଯାଇଛି କିନ୍ତୁ ବନ ବିଭାଗ ହତ୍ୟାର କାରଣକୁ ଲୁଚାଇବାକୁ ଚେଷ୍ଟା କରିଥିଲା । ଏ ନେଇ ଏନ୍ଟିସିଏ ସ୍ପଷ୍ଟ କରିଛି । ଫଳରେ ମହାବଳ ମହାବୀର ଶିକାରକୁ ନେଇ ଏବେ ସନ୍ଦେହ ଘେରରେ ବନ ବିଭାଗ ।
ଗତ ଡିସେମ୍ବର ୧୧ତାରିଖରେ ଏନ୍ଟିସିଏ ପକ୍ଷରୁ ମହାବଳ ମହାବୀର ଶିକାର ସମ୍ପର୍କିତ ଚିଠି ଲେଖାଯାଇଛି । ଯେଉଁଥିରେ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନଙ୍କୁ ଏନ୍ଟିସିଏ ଏଆଇଜି ଲେଖିଛନ୍ତି ଯେ, ସରଜମିନ୍ ତଦନ୍ତ ପରେ ଟି-ୱାନ୍ ବା ମହାବୀରର ମୃତ୍ୟୁ ଶିକାର ଯୋଗୁଁ ହୋଇଥିବା ସ୍ପଷ୍ଟ ହୋଇଛି ।
ଫାଶ ଯୋଗୁଁ ହିଁ ବାଘର ମୃତ୍ୟୁ ହୋଇଛି, କିନ୍ତୁ ମୃତ୍ୟୁ ପଛର କାରଣକୁ ଚାପି ଦେବାକୁ ଉଦ୍ୟମ ହୋଇଛି । ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ଏନ୍ଟିସିଏ । ଏଥିସହ ଶିକାର ରୋକିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି ।
ସୂଚନାଯୋଗ୍ୟ ନଭେମ୍ବର ମାସରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଧୀନ ଆଠଗଡ଼ ରେଂଜର ନୂଆଗଡ଼ ଜଙ୍ଗଲରୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା ମହାବଳ ବାଘ ‘ମହାବୀର’ର ମୃତଦେହ । ମହାବୀର ବେକରେ ଗଭୀର କ୍ଷତ ହୋଇଥିବାରୁ ଶିକାରୀଙ୍କ ଫାଶରେ ପଡ଼ି କ୍ଷତ ହୋଇଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ବନ ବିଭାଗ ଏହାକୁ ଖଣ୍ଡନ କରିଥିଲା ।