ମହିଳା ଆଇନଜୀବୀଙ୍କ ମୃତ୍ୟୁ ପଛରେ ପ୍ରେମ !

ଭୁବନେଶ୍ବର କୋର୍ଟର ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ । ପ୍ରାଥମିକ ତଦନ୍ତରୁ ଦୀପାଳି ଆତ୍ମହତ୍ୟା କରିଥିବା ପୋଲିସ କହୁଥିବା ବେଳେ ଝିଅକୁ ହତ୍ୟା କରାଯାଇଥିବା ଦୀପାଳିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଲିଙ୍ଗିପୁର ପଞ୍ଚାୟତ ବିଜୟବିହାର ଇନ୍ଦିରା କଲୋନୀ ପ୍ଲଟ ନମ୍ବରc-3/2 ରେ ରହୁଥିଲେ ଦୀପାଳି । ରବିବାର ସକାଳୁ ସକାଳୁ ଘରର କବାଟ ଭାଙ୍ଗି ଦୀପାଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଅନ୍ୟପଟେ ଘଟଣା ଘଟିବା ପରଠୁ ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ କେଶରୀ ମିଶ୍ର ଫେରାର ରହିବା ସନ୍ଦେହକୁ ଦ୍ବିଗୁଣିତ କରିଛି । ସୂଚନା ଅନୁଯାୟୀ ବିଜୟ ବିହାରରେ ଭଡ଼ା ଘରେ ରହୁଥିଲେ ଦୀପାଳି । ଗଣେଶ ପୂଜାଠାରୁ ତାଙ୍କ ସାନ ଭଉଣୀ ସେଫାଳି ବି ତାଙ୍କ ସହ ରହୁଥିଲେ ।  ପୋଲିସକୁ ଦେଇଥିବା ଏତଲାରେ ଦୀପାଳିଙ୍କ ସାନ ଭଉଣୀ ସେଫାଳି ଅଭିଯୋଗ କରିଛନ୍ତି ଘଟଣା ଘଟିବାର ପୂର୍ବଦିନ ସଂଧ୍ୟା ଅର୍ଥାତ ଶନିବାର ସଂଧ୍ୟାରେ ପୁରୁଷ ବନ୍ଧୁ ବିକ୍ରମ ଦୀପାଳିଙ୍କ ପାଖକୁ ଆସିଥିଲେ । ସେଫାଳି  ତାଙ୍କ ବାନ୍ଧବୀଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଦୀପାଳି ବିକ୍ରମଙ୍କ ସହ ଏକାଠି ରହିଥିଲେ । ହଠାତ ରାତି 12ଟାରେ ସେଫାଳିକୁ ଫୋନ କରି ବିକ୍ରମ କହିଥିଲେ ଦୀପାଳି କବାଟ ଖୋଲୁ ନାହାନ୍ତି । ଫୋନ କଲ ପାଇବା ପରେ ସେଫାଳି ସଙ୍ଗେ ସଙ୍ଗେ ଘରକୁ ଫେରିଥିଲେ ସେତେବେଳକୁ ଦୀପାଳିଙ୍କ ମୃତ୍ୟୁ ହୋଇସାରିଥିଲା । ଏଠି ପ୍ରଶ୍ନ ଉଠୁଛି ଫୋନ କରିବା ପରେ କାହିଁକି ଉଭାନ ହୋଇଗଲେ ବିକ୍ରମ । ସଂଧ୍ୟାରୁ ରାତି 12ଟା ମଧ୍ୟରେ ଏଭଳି କଣ ହୋଇଥିଲା ଯେ ଯେଉଁଥି ପାଇଁ ଦୀପାଳି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ଦୀପାଳିଙ୍କ ଆତ୍ମହତ୍ୟା ପଛରେ ବୟଫ୍ରେଣ୍ଡ ବିକ୍ରମଙ୍କ ହାତ ଅଛି କି ? ଏହା ଆତ୍ମହତ୍ୟା ନା ସୁଚିନ୍ତିତ ହତ୍ୟାକାଣ୍ଡ ? ସନ୍ଦେହରେ ବୟଫ୍ରେଣ୍ଡ ବିକ୍ରମ ? ତେବେ ପୋଲିସ ହାତରେ ଧରା ପଡ଼ିବା ପରେ ବିକ୍ରମ ଦୀପାଳିଙ୍କ ମୃତ୍ୟୁ ରହସ୍ୟ ଖୋଲିବେ କହିଛନ୍ତି ସ୍ଥାନୀୟ ଲୋକେ ।

Related Posts