ନବ ଦାସ ହତ୍ୟାକାଣ୍ଡ ଘଟଣା; ସରିଲା ରିମାଣ୍ଡ ଅବଧି, ଜେଲ ଗଲା ଗୋପାଳ ଦାସ

ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ଆଜି ଶେଷ ହୋଇଛି ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସର ତୃତୀୟ ପର୍ଯ୍ୟାୟ ରିମାଣ୍ଡ । ଆଜି ଜେଏମଏଫସି କୋର୍ଟରେ ଦୁଇ ଦୁଇ ଥର ହାଜର ପରେ ଗୋପାଳଙ୍କୁ ଝାରସୁଗୁଡ଼ା ଉପକାରାଗାର ପଠାଇ ଦିଆଯାଇଛି। ନାର୍କୋ ଟେଷ୍ଟ ପରେ ରବିବାର ରାତିରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଧରି ଝାରସୁଗୁଡ଼ାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ଏହାପରେ ଝାରସୁଗୁଡା ବିମାନ ବନ୍ଦର ଥାନାକୁ ଗୋପାଳକୁ ଅଣାଯାଇଥିବା ବେଳେ ପରେ ଓଏସଏପି ଦ୍ଵିତୀୟ ବାଟାଲିୟନକୁ ନିଆଯାଇଥିଲା।

ଆଜି ଗୋପାଳର ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ଜେଏମଏଫସି କୋର୍ଟରେ ଗୋପାଳକୁ ହାଜର କରାଯାଇଥିଲା । ଏହି ସମୟରେ କ୍ରାଇମବ୍ରାଞ୍ଚ ସମସ୍ତ ତଥ୍ୟ ଜେଏମ୍ଏଫସି କୋର୍ଟରେ ଜମା କରିଥିଲା । ଏହାପରେ ଗୋପାଳକୁ ଉପକାରାଗାରକୁ ପଠାଇ ଦିଆଯିବା ପରେ ପୁନର୍ବାର ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା। ଶେଷରେ ପୁଣି ଥରେ ଝାରସୁଗୁଡା ଉପକାରାଗାରକୁ ପଠାଇ ଦିଆଯାଇଛି ।

ତେବେ ଏହି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସମୟରେ ନାର୍କୋ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ଅଭିଯୁକ୍ତ ଗୋପାଳକୁ ଧରି ଗୁଜୁରାଟରେ ପହଞ୍ଚିଥିଲା । ଗାନ୍ଧୀନଗର ସ୍ଥିତ ଏଫଏସଏଲରେ ଗୋପାଳର ନାର୍କୋ ଟେଷ୍ଟ କରାଯିବା ପରେ ରବିବାର ଗୁଜୁରାଟରୁ ରାୟପୁରକୁ ବିମାନ ଯୋଗେ ଗୋପାଳକୁ ଅଣାଯାଇ ରାତିରେ ଝାରସୁଗୁଡାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ।

ଅଭିଯୁକ୍ତ ଗୋପାଳ ଦାସ ନିଜେ ନାର୍କୋ ପରୀକ୍ଷାରେ ମାନସିକ ସ୍ତରରେ ଅସୁସ୍ଥ ଥିବା ଦାବି କରିଥିଲା । ଗତ ଦୁଇ ମାସ ଧରି କୌଣସି ଔଷଧ ସେବନ କରିନଥିଲା । ଫଳରେ ତାର ମାନସିକ ସ୍ଥିତି ଆହୁରି ବିଗିଡି ଯିବାରୁ ରାଗରେ ସେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ଚଳାଇଥିବା ଅଭିଯୁକ୍ତ ଗୋପାଳ ନାର୍କୋ ଟେଷ୍ଟରେ ସ୍ବୀକାର କରିଥିବା ନେଇ ଏକ ସୂତ୍ରରୁ ସୂଚନା ମିଳିଥିଲା । କିନ୍ତୁ ଏନଇ କ୍ରାଇମବ୍ରାଞ୍ଚ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ତେବେ ତିନି ଥର ରିମାଣ୍ଡରେ ଆସିଥିଲେ ମଧ୍ୟ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟାକଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହିଁ କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ୨୯ ତାରିଖରେ ଝାରସୁଗୁଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଥିଲା । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି ଚଳାଇଥିଲେ । ଏହାପରେ ଗୋପାଳକୁ ତୁରନ୍ତ ଗିରଫ କରାଯାଇଥିଲା । ମନ୍ତ୍ରୀ ଦାସଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଏୟାର ଲିଫ୍ଟ କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିଲା ।

Related Posts