ରାହୁଲ ଗାନ୍ଧୀଙ୍କ ‘ନୋ ମିଟିଙ୍ଗ୍’ କମେଣ୍ଟ ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ନବଜୋତ୍ ସିଂ ସିଦ୍ଧୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ଦଳୀୟ କନ୍ଦଳ ମଧ୍ୟରେ ଅସନ୍ତୁଷ୍ଟ ନେତା ନବଜୋତ୍ ସିଂ ସିଦ୍ଧୁ ବୁଧବାର ଦିଲ୍ଲୀରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। ଗତକାଲି ଖବର ଆସିଥିଲା ଯେ ରାହୁଲ ଗାନ୍ଧୀ ସିଦ୍ଧୁଙ୍କ ସହ କୌଣସି ମିଟିଙ୍ଗ୍ ନଥିବା କହିଥିଲେ। ଏହା ପରଠାରୁ ବିଭିନ୍ନ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା। ତେବେ ଏସବୁ କଳ୍ପନାଜଳ୍ପନା ମଧ୍ୟରେ ସିଦ୍ଧୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। ଏ ନେଇ ସେ ଟ୍ବିଟ୍ କରି ଲେଖିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଦୀର୍ଘ ସମୟ ଧରି ସାକ୍ଷାତ ହୋଇଥିଲା। ମିଳିଥିବା ସୂଚନା ମୁତାବକ, ଏହି ମିଟିଙ୍ଗ ଚାରି ଘଣ୍ଟା ଧରି ଚାଲିଥିଲା ​​। ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ପଞ୍ଜାବର ଅସନ୍ତୁଷ୍ଟ ନେତାଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବିରୋଧରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ନେତାମାନଙ୍କ ମଧ୍ୟରୁ ସିଦ୍ଧୁ ଅନ୍ୟତମ। ରାହୁଲ ଗାନ୍ଧୀ ଗତ କିଛି ଦିନ ମଧ୍ୟରେ ପଞ୍ଜାବର ଅନେକ ନେତାଙ୍କୁ ଭେଟିଥିଲେ। ପଞ୍ଜାବର ବିଧାୟକ, ସାଂସଦ ତଥା ନେତାଙ୍କ ଠାରୁ ମତାମତ ନେଇ ସମାଧାନ ପାଇଁ ତିନିଜଣ ପ୍ୟାନେଲ ଗଠନ କରିଥିଲେ। ଏହି ପ୍ୟାନେଲ ଉଭୟ ପକ୍ଷଙ୍କ ସହ ଆଲୋଚନା କରି ଜୁଲାଇ ଦ୍ବିତୀୟ ସପ୍ତାହ ସୁଦ୍ଧା ସମାଧାନର ସୂତ୍ର ବାହାର କରିବ ବୋଲି ଦଳର ନେତା କହିଛନ୍ତି। ଉଲ୍ଲେଖନୀୟ କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ ୨୦୧୯ରେ ପଞ୍ଜାବ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। କ୍ୟାପଟେନ ଦେଇଥିବା ମନ୍ତ୍ରୀ ପଦକୁ ନେଇ ସିଦ୍ଧୁ ଅସନ୍ତୁଷ୍ଟ ଥିଲେ। ଏଠାରୁ ହିଁ ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏପଟେ ଜୁନ୍ 22 ରେ, ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ କଂଗ୍ରେସ ପ୍ୟାନେଲ ସମ୍ମୁଖରେ ହାଜର ହୋଇଥିଲେ ମଧ୍ୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀଙ୍କ ସହ କୌଣସି ସାକ୍ଷାତ ନକରି ଚଣ୍ଡିଗଡ଼ ଫେରି ଯାଇଥିଲେ।

Related Posts