ଦୂତୀ ଚାନ୍ଦଙ୍କୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକେଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସ ପାଇଁ ଓଡିଆ ଝିଅ ଦୂତି ଚାନ୍ଦଙ୍କୁ ମିଳିଲା ଟିକେଟ୍‌। ୧୦୦ ଓ ୨୦୦ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କଲେ ଦୂତି ଚାନ୍ଦ। ଏ ସମ୍ପର୍କରେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ଦୂତୀ ଚାନ୍ଦ । ଟିକେଟ୍ ପାଇଵା ପରେ ଦୂତୀ କହିଛନ୍ତି, ୨ ବର୍ଷ ଧରି ଦେଖୁଥିବା ଟୋକିଓ ସ୍ୱପ୍ନ ଆଜି ସାକାର ହୋଇଛି । ୨ୟ ଅଲମ୍ପିୟାନ ଭାବେ ସୁଯୋଗ ପାଇଥିବାରୁ ଖୁସି ଲାଗୁଛି । ଓଡିଶା ବାସୀଙ୍କ ଆଶୀର୍ବାଦ ରହିଲେ ଆଗକୁ ସଫଳ ହେବି । ଦୂତୀ ୨୦୧୮ରେ ଏସିଆନ୍ ଗେମ୍ସରେ ୧୦୦ ଓ ୨୦୦ ମିଟରରେ ଡବଲ୍ ରୌପ୍ୟ ପଦକ ଜିତିଛନ୍ତି ।

ସେହିପରି ଏସିଆନ୍ସ ଚାମ୍ପିୟନଶିପରେ ୪ଟି ବ୍ରୋଞ୍ଜ, ୨୦୧୬ ସାଉଥ୍ ଏସିଆନ୍ ଗେମ୍ସରେ ଦୁଇଟି ପଦକ (୧୦୦ ମିଟରରେ ରୌପ୍ୟ ଓ ୨୦୦ ମିଟରରେ ବ୍ରୋଞ୍ଜ) ଜିତିଥିଲେ। ଦୂତୀ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ ହେଁ, ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ଗତ ୨୧ ତାରିଖରେ ଇଣ୍ଡିଆନ ଗ୍ରାଁ ପ୍ରିଁ- ୪ରେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ଦୂତି ଚାନ୍ଦ। ସେ ୧୧.୧୭ ସେକେଣ୍ଡରେ ୧୦୦ ମିଟର ପୂରଣ କରିଥିଲେ। ନିଟକରେ ଦୂତି ମାତ୍ର ୦.୦୨ ସେକେଣ୍ଡ ପାଇଁ ଟୋକିଓ ଟିକେଟରୁ ବଞ୍ଚିତ ହୋଇଥିଲେ। ହେଲେ ବିଶ୍ବ ରାଙ୍କିଂ ଆଧାରରେ ଦୂତି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ଦୂତି ବିଶ୍ବର ୧୦୦ ମିଟର ବିଭାଗରେ ୪୪ ନମ୍ବର ଥିବାବେଳେ ୨୦୦ ମିଟର ବିଭାଗରେ ୫୧ ନମ୍ବର ସ୍ଥାନରେ ଅଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସ। ନିକଟରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଭାରତର ଅଗ୍ରଣୀ ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରାଯାଇଛି ।

Related Posts