
ନୂଆଦିଲ୍ଲୀ: ୩୪ ବର୍ଷ ପୁରୁଣା ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ୧ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି ସୁପ୍ରିମକୋର୍ଟ। ରିଭ୍ୟୁ ପିଟିସନ୍ ର ଶୁଣାଣି ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି। ତେବେ ଏହି ରାୟ ଆସିବା ପରେ ଆଜି କୋର୍ଟ ରେ ହାଜର ହୋଇଥାନ୍ତେ ନବଜୋତ୍ ସିଂ ସିଦ୍ଧୁ | କିନ୍ତୁ ଏବେ ସ୍ୱାସ୍ଥ୍ୟ ଖରାପ ଥିବା କାରଣ ଦର୍ଶାଇ କୋର୍ଟଙ୍କୁ ୧ ସପ୍ତାହର ସମୟ ମାଗିଛନ୍ତି ।
ଅନ୍ୟପଟେ ସୁପ୍ରିମ କୋର୍ଟରେ ସିଦ୍ଧୁ ଯେଉଁ କ୍ୟୁରେଟିଭ୍ ପିଟିସନ୍ ଦାଏର କରିଛନ୍ତି ତାହା ଉପରେ ଶୁଣାଣି କରିବା କ୍ରମରେ ଏହାକୁ ଚିଫ୍ ଜଷ୍ଟିସଙ୍କ ବେଞ୍ଚରେ ଉପସ୍ଥାପନ କରିବାକୁ କହିଛନ୍ତି । ସୂଚନା ମୁତାବକ, ୧୯୮୮ ରେ ଘଟିଥିବା ୧୯୮୮ ରୋଡରେଜ୍ ଘଟଣାରେ ଚଳିତ ମେ ମାସ ୧୯ ତାରିଖରେ ୧ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ । ଏନେଇ ଆଜି ତାଙ୍କୁ ଆତ୍ମସମର୍ପଣ କରିବାର ଥିଲା । ଆଜି ସିଦ୍ଧୁଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସପ୍ତାହକର ସମୟ ମାଗିଥିଲେ ବି ନିର୍ଦ୍ଦଷ୍ଟ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇନାହାଁନ୍ତି ସିଦ୍ଧୁଙ୍କ ଓକିଲ ।
ସୂଚନା ଥାଉକି ୧୯୮୮ ମସିହା ଏପ୍ରିଲ ୨୭ ତାରିଖରେ ସିଦ୍ଧୁ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ପଟିଆଲାର ଶୋରାବଲ ମାର୍କେଟ ଗେଟ୍ ନିକଟରେ ପହଂଚିଥିଲେ । ସେଠାରେ କାର ପାର୍କିଂ କରିବାକୁ ନେଇ ଜଣେ ବୃଦ୍ଧଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏହାପରେ ସିଦ୍ଧୁ ସେହି ବୃଦ୍ଧଙ୍କୁ ଆଣଣ୍ଠୁ ମାଧ୍ୟମରେ ଆକ୍ରମଣ କରିଥିଲେ । ଏଥିରେ ବୃଦ୍ଧ ଜଣଙ୍କ ଗୁରୁତର ହୋଇପଡିଥିଲେ । ବୃଦ୍ଧଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏନେଇ ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କ ନାମରେ କୋତବାଲି ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା । ହେଲେ ୧୯୯୯ ମସିହାରେ ଏହି ମାମଲାକୁ ଖାରଜ କରିଦେଇଥିଲେ ସେଶନ କୋର୍ଟ । ଏହାପରେ ୨୦୦୨ ରେ ଏହି ମାମଲାକୁ ନେଇ ପଞ୍ଜାବ ସରକାର ହାଇକୋର୍ଟରେ ଆବେଦନ କରିଥିଲେ । ୨୦୦୬ ମସିହାରେ ପଞ୍ଜାବ ହାଇକୋର୍ଟ ଶୁଣାଣି କରି ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ପ୍ରସଙ୍ଗରେ ବିରୋଧୀ ସିଦ୍ଧୁଙ୍କୁ ଘେରିବା ପରେ ସେ ଲୋକସଭାରୁ ଇସ୍ତଫା ଦେଇଥିଲେ । ଏହାପରେ ହାଇକୋର୍ଟଙ୍କ ରାୟକୁ ସିଦ୍ଧୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।