ଜିତିବେ ମନ୍ତ୍ରୀ ପଦ ପାଇବେ

ସତ୍ୟପାଠ ବୁରୋ : ବିଜେପୁରରୁ ପ୍ରାର୍ଥୀ ହେବେ ନଳିନୀ ପ୍ରଧାନ । ଜିତିବେ, ପୂର୍ତ୍ତ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେବେ । ଖାସ ତାଙ୍କରି ପାଇଁ ହିଁ ମନ୍ତ୍ରୀ ମଣ୍ଡଳରେ ଗୋଟିଏ ସିଟ୍ ଫାଙ୍କା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପୁର ଆସନରୁ ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ଏହି ଚର୍ଚ୍ଚା ଏବେ ପଶ୍ଚିମରୁ ପୂର୍ବ ଯାଏଁ ସବୁଠି ଚାଲିଛି ।

ନଳିନୀ ପ୍ରଧାନ । ପୂର୍ବତନ ପୂର୍ତ୍ତ ସଚିବ । ୨୦୧୮ରୁ ଅବସର ନେବା ପରେ ବର୍ଷେ ପାଇଁ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । ତେବେ ୧୯୮୦ ବ୍ୟାଚର ଏହି ସିଭିଲ ଇଞ୍ଜିନିୟର ମାର୍ଚ୍ଚ ୮ରେ ଯୋଗ ଦେଇଥିଲେ ବିଜୁ ଜନତା ଦଳରେ । ଆଉ ଏହା ପରେ ପରେ ତାଙ୍କୁ ମିଳିଥିଲା ସମ୍ବଲପୁରରୁ ଲୋକସଭା ପାଇଁ ବିଜେଡି ଟିକେଟ । ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନିତେଶ ଗଙ୍ଗଦେବଙ୍କ ସହ କଡା ଟକ୍କର ବି ଦେଇଥିଲେ ନଳିନୀ । ନିତେଶ ମାତ୍ର ୯ ହଜାର ୧୬୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ବି ବିଜେଡି ସୁପ୍ରିମୋ କିନ୍ତୁ ନଳିନୀଙ୍କୁ ଆଉ ଥରେ ଚାନ୍ସ ଦେବାକୁ ଚାହୁଁଥିବା କୁହାଯାଉଛି ।

ପ୍ରଥମତଃ ନଳିନୀ ପଶ୍ଚିମ ଓଡିଶାର ଲୋକ । ଦ୍ୱିତୀୟରେ ସେ ପୂର୍ତ୍ତ ସଚିବ ଥିବା ବେଳେ ନବୀନଙ୍କ ଗୁଡ୍ବୁକରେ ଥିବା ସମସ୍ତେ ଜାଣନ୍ତି । ତେଣୁ ପଶ୍ଚିମ ଓଡିଶାରେ ଦଳର ପତିଆରା ବୃଦ୍ଧି ପାଇଁ ନଳିନୀଙ୍କୁ ସମ୍ବଲପୁରରୁ ବରଗଡ ଆଣିବାକୁ ନବୀନ ମନସ୍ଥ କରିଥିବା ଦଳ ଭିତରେ ଆଲୋଚନା ହେଉଛି । ଏମିତିରେ ବମିଖାଲ ଓଭରବ୍ରିଜ୍ ଭୁଷୁଡିବା ପରେ ମଧ୍ୟ ନଳିନୀ ନିଷ୍କଳଙ୍କ ଥିଲେ । ଯେହେତୁ ସେ ପୂର୍ବତନ ପୂର୍ତ୍ତସଚିବ ତେଣୁ ତାଙ୍କୁ ପୂର୍ତ୍ତ ବିଭାଗ ମିଳିପାରେ । ଏମିତିରେ ଗୋଟିଏ ମନ୍ତ୍ରୀପଦ ଫାଙ୍କା ପଡିଥିବା ବେଳେ ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ହାତରେ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଅବଶ୍ୟ ଏ କ୍ଷେତ୍ରରେ ଦ୍ୱିତୀୟରେ ରୀତା ସାହୁ ଓ ସୁବାଶ ଚୌହାନଙ୍କ ନାଁ ଆସୁଛି । କିନ୍ତୁ ନବୀନ ଠିକ୍ ବୁଝି ପାରିଥିବେ ଅନୁକମ୍ପା କେବଳ ଥରେ ବ୍ୟବହାର ହୁଏ । କାରଣ ଅନୁକମ୍ପା ରୂପକ ମେଡିସିନ ଦ୍ୱିତୀୟ ଥର ବ୍ୟବହାର କଲେ ତାହାର ପ୍ରଭାବ ମିଳି ନପାରେ । ତେଣୁ ରୀତା ସାହୁଙ୍କୁ ବିଜେପୁରରେ ରିପିଟ୍ କରା ଯାଇ ନପାରେ । ଆଉ ସୁବାଶ ଚୌହାନଙ୍କୁ ଦଳକୁ ଆଣିବା ପରେ ଟିକେଟ ଦେଇ ବିଜୟୀ ଭବଃ କହିଥିଲା ବିଜେଡି । ହେଲେ ସେ ଯେଉଁ ଦଳକୁ ହରାଇବା ପାଇଁ ଆସିଥିଲେ, ସେଇ ଦଳ ହିଁ ଜିତିଗଲା । ତେଣୁ ସୁବାଶଙ୍କୁ ଯେହେତୁ ପୂର୍ବରୁ ଟିକେଟ ଦିଆଯାଇଥିଲା ତେଣୁ ତାଙ୍କୁ ମଧ୍ୟ ବିଜେପୁରରେ ଦିଆଯାଇ ନପାରେ ।

କୁହାଯାଏ ନଳିନୀ ପିସି କାରବାର ଠାରୁ ନେଇ ବ୍ରିଜ୍ ଭୁଷୁଡିବା ଯାଏଁ ସବୁ କ୍ଷେତ୍ରରେ ସରକାରଙ୍କୁ ବଂଚାଇଥିଲେ । ତେଣୁ ତାଙ୍କୁ ବିଜେପୁରରୁ ଟିକଟ ଦେଇ ଆଉ ଥରେ ବିଜୟ ସୁଯୋଗ ଦେବେ ନବୀନ । ପାଟକୁରା ସହ ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ଏକାସାଙ୍ଗରେ ନିର୍ବାଚନ କରାଯାଇପାରେ । ବାତ୍ୟା ଫନୀ ପାଇଁ ପାଟକୁରା ନିର୍ବାଚନ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏବେ ଏହି ଦୁଇଟି ଯାକ ଉପନିର୍ବାଚନ ଏକାଥରରେ କରାଯାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଗଲା ୧୮ ମାସରେ ତୃତୀୟ ଥର ପାଇଁ ନିଜ ବିଧାୟକ ବାଛିବେ ବିଜେପୁର ବାସୀ ।

Related Posts