୭୪ ନୁହେଁ ୩ ପାଇଁ ନିଦ ଗାଏବ

ସତ୍ୟପାଠ ବ୍ୟୁରୋ : ନବୀନଙ୍କ ପାଇଁ ସରକାର କୁର୍ସି ଚିନ୍ତା ନୁହେଁ ବରଂ ବେଶୀ ଚିନ୍ତା ତିନି କୁ ନେଇ । ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୭୪ ହାସଲ କରିବା ବିଜେଡି ପାଇଁ କିଛି ବଡ କଥା ନହୋଇ ପାରେ ହେଲେ ଆମେ ଯେଉଁ ତିନି କଥା କହୁଛୁ, ସେଇଠି ବାଜି ଲାଗିଛି ନବୀନଙ୍କ ସ୍ୱାଭୀମାନ ଓ ଆତ୍ମସମ୍ମାନ । ତେଣୁ ସେହି ତିନି ଅଙ୍କ ପାଇଁ ଏବେ ନବୀନଙ୍କ ଆଖିରେ ନିଦ ନାହିଁ ।

ବିଜେପିର ୩ ଜଣ ନେତା ପ୍ରକାଶ ମିଶ୍ର, ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର ଏବେ ନବୀନଙ୍କ ନିଦ ଉଡାଇ ଦେଇଛନ୍ତି । ଏହି ତିନିଜଣଙ୍କୁ ନେଇ ବିଜେଡି ସୁପ୍ରିମୋ ଏକଦମ୍ ବ୍ୟସ୍ତ ବିବ୍ରତ । ସିଧାସଳଖ କହିବାକୁ ଗଲେ ସମ୍ମାନ ବଂଚାଇବାକୁ ନବୀନ ଏହି ତିନି ଜଣଙ୍କୁ ହରାଇବାକୁ ଚାହୁଁଛନ୍ତି ।

ପ୍ରକାଶ ମିଶ୍ରଙ୍କ ଘଟଣା କିଏ ବା ନଜାଣେ । ପୁରୁଣା ରାଗ ଶୁଝାଇବାକୁ ଯାଇ ତାଙ୍କ ନାଁରେ ମିଥ୍ୟା ଭିଜିଲାନ୍ସ କେସ୍ କରାଯାଇଥିଲା । କାଳେ ସିବିଆଇ ନିର୍ଦ୍ଦେଶକ ହୋଇଯିବେ ବୋଲି ତାଙ୍କୁ ଏହି କେସ୍ ବଳରେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା । ହେଲେ ହାଇକୋର୍ଟ ଏ କେସକୁ ଭିତ୍ତୀହୀନ କହିବା ପରେ ସରକାରଙ୍କୁ ଯେଉଁଭଳି ଭାବେ ଭର୍ତ୍ସନା କଲେ ସେଦିନ ନବୀନ ସରକାରକୁ ଏକ ଶକ୍ତ ଚାପୁଡା ଭଳି ଲାଗିଥିବ । ସେଦିନ ବି ନବୀନ ଶୋଇ ପାରିନଥିବେ ।

ଏହା ପରେ ଆସିବା ବିଜୟ ମହାପାତ୍ରଙ୍କ କଥାକୁ । ନବୀନ ଥିବା ପର୍ଯ୍ୟନ୍ତ ବୋଧହୁଏ ବିଜୟଙ୍କୁ ବିଧାନସଭାକୁ ପୁରାଇ ଦେବେ ନାହିଁ ବୋଲି ଧରି ନେଇଛନ୍ତି କି କଣ ! ନହେଲେ ବୟସ୍କ ଓ ଅସୁସ୍ଥ ପାଇଁ କାଳନ୍ଦୀ ବେହେରା, ସୁରେନ୍ଦ୍ର ନାୟକଙ୍କ ଟିକଟ କଟି ଯାଇଥିଲା କିନ୍ତୁ ଡାକ୍ତରଖାନାର ମୃତ୍ୟୁ ଶଯ୍ୟାରେ ଜୀବନ ମୃତ୍ୟୁ ସହ ଲଢ଼େଇ କରୁଥିବା ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପାଟକୁରା ଟିକଟ ମିଳିଥାଆନ୍ତା କେମିତି ? ନବୀନ ଜାଣିଛନ୍ତି ବେଦୁଙ୍କ ଅବସ୍ଥା ସାଂଘାତିକ , ଯଦି ନିର୍ବାଚନ ଜିତିବା ପରେ ବେଦୁଙ୍କ ଦୋହାନ୍ତ ହେଉଛି ତେବେ ବିଜେପୁର ଭଳି ଅନୁକମ୍ପା ଭୋଟ ଗଦା ହୋଇଯିବ । ଆଉ ଯଦି ନିର୍ବାଚନ ପ୍ରକ୍ରିୟ ଭିତରେ ଦେହାନ୍ତ ହେଉଛି ତେବେ ବି ଅନୁକମ୍ପା ଭୋଟରେ ବିପୁଳ ବିଜୟ ଲାଭ କରିବ ବିଜେଡି । ଯାହା ଏବେ ହେବାକୁ ଯାଉଛି । ହଁ ଏକଥା ବି ସତ ହୋଇପାରେ, ବିଜେପି ଛାଡି ପୁଣି ବିଜେପିକୁ ଘରବାହୁଡା କରି ବିଜୟ ମହାପାତ୍ର ଯେଉଁଦିନ ପାଟକୁରା ଟିକଟ ପାଇଲେ ସେଦିନ ବି ନବୀନ ରାତିରେ ଶୋଇ ନଥିବେ ।

ଶେଷରେ ଆସିବା ବୈଜୟନ୍ତ ପଣ୍ଡାଙ୍କ ପାଖକୁ । ଏକଦା କୁହାଯାଉଥିଲା ବୈଜୟନ୍ତ ଓ ନବୀନ ଦୁଇ ଭଲ ବନ୍ଧୁ । ହେଲେ ଏବେ ନବୀନଙ୍କ ପାଇଁ ସବୁଠୁ ବଡ ଶତ୍ରୁ ଯଦି କିଏ ଥାଏ ତେବେ ସେ ହେଉଛନ୍ତି ଜୟ ପଣ୍ଡା । ଏକଥା ନବୀନ ବାବୁଙ୍କ ଭାଷଣ ଓ ଟେଲିଭିଜନ ସାକ୍ଷାତକାରରୁ ସ୍ପଷ୍ଟ ହୋଇ ସାରିଛି । ସବୁଠୁ ବଡ କଥା ହେଉଛି, ନବୀନ ସାଧାରଣତଃ ଚୁପଚାପ ଓ କମ୍ କଥା କହୁଥିବା ସ୍ୱଭାବର କିନ୍ତୁ ବୈଜୟନ୍ତଙ୍କ କଥା ପଚାରିଲେ ବେଇମାନୀ ଶବ୍ଦ ବି ବ୍ୟବହାର କରିବାକୁ ପଛାଉ ନାହାଁନ୍ତି ନବୀନ । ବୈଜୟନ୍ତ ବିଜେପି ଭଳି ରାଷ୍ଟ୍ରୀୟ ଦଳରେ ମିଶିବା, ତାଙ୍କୁ ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁଖପାତ୍ରର ପଦବୀ ମିଳିବା ବୈଜୟନ୍ତଙ୍କୁ ଯେତିକି ଖୁସି ଦେଇ ନଥିବ, ତା ଠୁ ଅଧିକ କଷ୍ଟ ଦେଇଥିବ ନବୀନଙ୍କୁ । ଆଉ ସେଦିନ ବି ନବୀନ ରାତିରେ ଶୋଇ ନଥିବେ ।

ଏବେ ଦେଖିବାକୁ ବାକି ରହିଲା ନବୀନ ଏହି ତିନି ଅଙ୍କକୁ ନିଜ ଆୟତ୍ତରେ ରଖି ପାରୁଛନ୍ତି କି ନାହିଁ । ଯଦି ଆୟତ୍ତରେ ରହିଲା ତ ଭଲ, ଯଦି ନ ରହିଲା ତେବେ ମେ ୨୩ ତାରିଖ ରାତିରେ ବି ଶୋଇ ପାରିବେନି ନବୀନ ।

Related Posts