ନବୀନଙ୍କ ତଣ୍ଟିରେ ବଜେଟ୍‌ କଣ୍ଟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ୨୦୨୦-୨୧ ବର୍ଷର ବଜେଟକୁ ନେଇ ଅକଳରେ ନବୀନ । ବଜେଟ କଣ୍ଟା ଏବେ ମାନ୍ୟବରଙ୍କୁ ଅଣନିଶ୍ବାସୀ କରିଛି । କଣ୍ଟା ତଣ୍ଟିରେ ଏଭଳି ଲାଗିଛି ଯେ ନବୀନ ଚାହିଁଲେ ତାକୁ ନା ଢୋକି ପାରୁଛନ୍ତି ନା କାଡି ପାରୁଛନ୍ତି । ନା ଖୁସି ବ୍ୟକ୍ତ କରିପାରୁଛନ୍ତି ନା ପ୍ରକୃତ ଅସନ୍ତୋଷ ଓଗାଳି ପାରୁଛନ୍ତି । ବଡ ଅଖାଡୁଆ ପରିସ୍ଥିତିରେ ପଡିଯାଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ । ନବୀନଙ୍କ ଏଭଳି ଅସହାୟତାକୁ ଦେଖି ରାଜନୈତିକ ସମୀକ୍ଷକମାନେ ଭିନ୍ନ ଭିନ୍ନ ଟିପ୍ପଣୀ ଦେଇଛନ୍ତି ।

କହିଲେ କୁଳ କୁଟୁମ୍ବକୁ ଲାଜ, ନକହିଲେ କୁଳ ଭାସିଯାଉଛି

ଶନିବାର ଆଗତ କେନ୍ଦ୍ର ବଜେଟକୁ ନେଇ ନବୀନ ପଟ୍ଟନାୟକ ଯେତିକି ଖୁସି ସେତିକି ଦୁଃଖୀ ଅଛନ୍ତି । ହେଲେ ନିଜର ଅସନ୍ତୋଷକୁ ପ୍ରକାଶ କରିପାରୁ ନାହାନ୍ତି । ଅସନ୍ତୋଷ ପ୍ରକାଶ କଲେ ବା ବଜେଟ୍‌କ ବିରୋଧ କଲେ କାଳେ କିଳା ହୋଇଯିବ ସେଥିପାଇଁ ଇଚ୍ଛା ନଥିଲେ ବି ଚୁପ ରହିଛନ୍ତି । ନବୀନଙ୍କ ପାଇଁ ପରିସ୍ଥିତି ଏଭଳି ହୋଇଛି ଯେ କହିଲେ କୁଳ କୁଟୁମ୍ବକୁ ଲାଜ, ନକହିଲେ କୁଳ ଭାସିଯାଉଛି । ଅର୍ଥାତ ବିରୋଧ କଲେ ବିଧାନପରିଷଦ ଆଶା ମଉଳିଯିବ, ସମର୍ଥନ କଲେ ରାଜ୍ୟ ଅଂଶ କମିବ । ଏମିତିରେ ବି ରାଜ୍ୟରେ ଅର୍ଥର ଅଭାବ ରହିଛି, ଏହା ପରେ ରାଜ୍ୟ ଅଂଶ କେନ୍ଦ୍ର କାଟିବା ମାନ୍ୟବରଙ୍କ ପାଇଁ ‘ଅଜାଗା ଘା’ହୋଇଛି ।

କୃଷି କ୍ଷେତ୍ରରେ ବ୍ୟାପକ ବ୍ୟୟ ବରାଦ, ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ, କୃଷି ରେଳ, କୃଷି ଉଡାନ, ଚାଷୀଙ୍କୁ ସୌର ପମ୍ପ ଯୋଗାଣ, ସହ ଆୟକରରେ ମଧ୍ୟମିତ୍ତ ବର୍ଗଙ୍କ ପାଇଁ ଫାଇଦାକୁ ପ୍ରଶଂସା କରିଥିବା ବେଳେ ରାଜ୍ୟ ଅଂଶ କମାଇବା ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ପୁନର୍ବାର ଉପେକ୍ଷା କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସାଧାରଣ ନିର୍ବାଚନ ପରେ ବିଜୁ ଜନତା ଦଳର ବିଜେପି ସହ ସମ୍ପର୍କରେ ଆସିଥିବା ନୁଆ ସମୀକରଣକୁ ବିଶ୍ଳେଷଣ କଲେ ଜଣାଯାଏ ଇଚ୍ଛା ଥିଲେବି ବର୍ତ୍ତମାନ ସମୟରେ ବିଜେଡି ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିପାରିବ ନାହିଁ। କାରଣ ଆଗକୁ ବିଧାନପରିଷଦ ଉପରେ ନିଜର ରଖିଥିବାରୁ ମାନ୍ୟବର ଯଥାସମ୍ଭବ ସଞ୍ଜମତା ରକ୍ଷା କରୁଥିବା କୁହାଯାଉଛି ।

Related Posts