JNU ହିଂସାକୁ ନବୀନଙ୍କ ନିନ୍ଦା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟରେ ଗତକାଲି ହୋଇଥିବା ରକ୍ତପାତ ଘଟଣାକୁ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଟ୍ୱିଟ୍ କରି ନବୀନ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ଏଭଳି ଘଟଣା ନିଶ୍ଚିତ ନିନ୍ଦନୀୟ । ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଦିଲ୍ଲୀ ପୋଲିସକୁ ସେ ନିବେଦନ କରିଛନ୍ତି । ଏହା ସହ ଆହତ ଛାତ୍ରମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ ପଟ୍ଟନାୟକ ।

JNUରେ ଗତକାଲି ସନ୍ଧ୍ୟାରେ ପ୍ରାୟ ୫୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ କ୍ୟାମ୍ପସରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଆକ୍ରମଣ କରିଥିଲେ । ସେମାନଙ୍କ ଆକ୍ରମଣରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମଧ୍ୟ ଆହତ ହୋଇଥିଲେ । ହାତରେ ରଡ୍ ଏବଂ ବାଡ଼ି ଧରିଥିବା ଏହି ଦୁର୍ବୃତ୍ତମାନେ ହଷ୍ଟେଲ ଭିତରେ ପଶି ଆକ୍ରମଣ କରିଥିଲେ । ଆକ୍ରମଣରେ ୨୮ ଜଣ ଗୁରୁତର ଭାବେ ଆହତ ହୋଇ ଏମ୍ସରେ ଭର୍ତି ହୋଇଥିଲେ। ଗୁରୁତର ଆହତଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଆଇଶୀ ଘୋଷ୍ ବି ଅଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରିସ୍ଥିତିର ମୁକାବିଲା କରିବାକୁ କ୍ୟାମ୍ପସ ଭିତରେ ଓ ବାହାରେ ପୋଲିସକୁ ମୁତୟନ କରାଯାଇଛି । ଏହି ଆକ୍ରମଣ ପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରିଥିବା ବେଳେ ଏବିଭିପି ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କରିଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ ଜେଏନୟୁ ଶିକ୍ଷକ ସଂଘର ବୈଠକ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ଏଭଳି ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଅନେକ ପ୍ରଫେସର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପଶ୍ଚିମ ଗେଟ୍ ଦେଇ ୫୦ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ମୁଖା ପିନ୍ଧି କ୍ୟାମ୍ପସ ମଧ୍ୟକୁ ପଶି ଆସି ପ୍ରଥମେ ଛାତ୍ର ସଂସଦ ସଭାପତିଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନେ କ୍ୟାମ୍ପସ ମଧ୍ୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ ।

Related Posts