ସ୍ବାଗତ କଲେ, କିନ୍ତୁ ବଜେଟ୍‌କୁ ଦେଲେ 10ରୁ ଅଢ଼େଇ ମାର୍କ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ଅନ୍ତରୀଣ ବଜେଟ୍‌କୁ 10 ମାର୍କ ମାତ୍ର 2.5 ମାର୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ସଂଧ୍ୟାରେ ବଜେଟ୍‌ ସମ୍ପର୍କରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଟିକସ ପ୍ରକ୍ରିୟାକୁ ସ୍ୱାଗତ ଜଣାଇଲେ । କେନ୍ଦ୍ର ସରକାର ବଜେଟରେ ଟିକସ ଛାଡ଼ ସୀମା ୫ ଲକ୍ଷ ଟଙ୍କା ବୃଦ୍ଧି କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ନବୀନ ।

ଏଥିସହ ଚାଷୀଙ୍କ ପାଇଁ ସହାୟତା ଘୋଷଣାକୁ ମଧ୍ୟ ସ୍ୱାଗତ କରିଛନ୍ତି । କିନ୍ତୁ ନବୀନ କହିଲେ, ‘କେନ୍ଦ୍ର ସରକାର କାଳିଆ ଯୋଜନା ଭଳି ଯୋଜନା ଘୋଷଣା କରିଥିବାରୁ ଏହାକୁ ମୁଁ ସ୍ୱାଗତ ଜଣାଉଛି । ’ କିନ୍ତୁ ଭୂମିହୀନ ଗରିବ, ଭାଗଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି କହି ନବୀନ ବଜେଟକୁ ନୈରାଶ୍ୟଜନକ ବୋଲି କହିଛନ୍ତି ।

ଅନୁସୂଚିତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ଆବଣ୍ଟନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ କିଛି ଘୋଷଣା ହୋଇଥିଲେ ମଧ୍ୟ ନିଯୁକ୍ତି ପାଇଁ ତାହା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ।

ସାଧାରଣ ଭତ୍ତା ରାଶିରେ କିଛି ସୁଧାର ନ ଆସିବା ନିରାଶ କରିଛି, ମନେରଗା ଅନୁଦାନ କମିଛି, ମଜୁରୀ ଦେବାରେ ସମସ୍ୟା ହେବ ବୋଲି କହିଛନ୍ତି ନବୀନ । କେନ୍ଦ୍ରର ବଜେଟ୍‌କୁ 10ରୁ କେତେ ନମ୍ବର ଦେବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ସେ 10ରୁ ଅଢ଼େଇ ମାର୍କ ହିଁ ଦେବେ ।

Related Posts