ହକି ବିଶ୍ୱକପ ସେଲିବ୍ରେସନ୍ ଆଳରେ ନବୀନଙ୍କ ଭାବମୂର୍ତ୍ତି ସଜଡା ହେଉଛି: ବିଜେପି

ଭୁବନେଶ୍ୱର,୧୨/୧(ସତ୍ୟପାଠ ବ୍ୟୁରୋ): ଗତକାଲି କଟକ ବାରବାଟି ଷ୍ଟାଡିୟମ୍ ରେ ବାଜିଛି ହକି ବିଶ୍ୱକପ୍ ଵିଗୁଲ୍। ଦମଦାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆତସବାଜିରେ ବିଶ୍ୱକପ୍ ଉଦଘାଟିତ ହୋଇଛି। ତେବେ ଗାଁ ଲୋକଙ୍କ ଠାରେ ହକି ବିଶ୍ୱକପର ବାର୍ତ୍ତା ପହଞ୍ଚାଇବାକୁ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଏଲଇଡି ବ୍ୟବସ୍ଥା କରିଥିଲେ। ଏହି ଏଲଇଡି ମାଧ୍ୟମରେ ପ୍ରତି ପଞ୍ଚାୟତରେ ଉଦଘାଟନୀ ଉତ୍ସବ ପ୍ରସାରିତ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତହବିଲରୁ ପ୍ରତି ପଞ୍ଚାୟତ ପିଛା ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏପରି ବ୍ଯବସ୍ଥାକୁ ନେଇ କିନ୍ତୁ ପ୍ରଶ୍ନ ଉଠାଇଛି ବିଜେପି।

ବୁଧବାର ବିଜେପି ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, ଶାସକ ବିଜୁ ଜନତା ଦଳ (ବିଜେଡି) ହକି ବିଶ୍ୱକପ ନାମରେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ପାଇଁ ପ୍ରଚାରରେ ମାତିଛି। ଦୁର୍ନୀତି, ଭ୍ରଷ୍ଟାଚର ଆଦି ପ୍ରସଙ୍ଗରେ ନବୀନଙ୍କ ଭାବମୂର୍ତ୍ତି ଖରାପ ହୋଇଛି। ଏବେ ଏହାକୁ ସୁଧାରିବାକୁ ଯାଇ ରାଜ୍ୟ ସରକାର ନବୀନଙ୍କ ରିବ୍ରାଣ୍ଡିଂ କରୁଛି। ବୁଧବାର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି।

ହକି ବିଶ୍ୱକପର ଉଦ୍‌ଘାଟନୀ ଦିବସରେ ରାଜ୍ୟ ସରକାର ଗ୍ରାମ ସଭା ଆୟୋଜନ କରୁଛନ୍ତି ଏବଂ ଦଳ ତଥା ଏହାର ମୁଖିଆଙ୍କ ପ୍ରତିମୂର୍ତ୍ତିକୁ ସୁଧାରିବାକୁ ରଣନୀତିର ଏକ ଅଂଶବିଶେଷ। ବିଜେପି ନେତା ଆହୁରି କହିଛନ୍ତି ଯେ, ସରକାରୀ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ମ୍ୟାଚ୍ ଟେଲିକଷ୍ଟ ହେବ। ପ୍ରତ୍ୟେକ ଗ୍ରାମ ସଭା ପାଇଁ ଆନୁମାନିକ ୩୦,୦୦୦ ଟଙ୍କା ଅନୁମୋଦନ କରାଯାଇଛି। ଜାନୁଆରୀ ୨୬ ରେ ସରକାର ଗ୍ରାମ ସଭା କରିବା ଉଚିତ୍ ଥିଲା। କିନ୍ତୁ ନିର୍ଦ୍ଧାରିତ ସମୟର ୧୫ ଦିନ ପୂର୍ବରୁ ଏହି ଗ୍ରାମ ସଭା ପାଳନ କରୁଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ହକି ବିଶ୍ୱକପକୁ ଲୋକପ୍ରିୟ କରିବା ପରିବର୍ତ୍ତେ ଓଡ଼ିଶା ସରକାର ନିଜ ପାଇଁ ପ୍ରଚାର କରିବାରେ ବ୍ୟସ୍ତ। ଏହା ଦୁର୍ଭାଗ୍ୟଜନକ।

ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ନିକଟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶା ଏଫଆଇଏଚ ପୁରୁଷ ହକି ବିଶ୍ୱକପ ଆୟୋଜନ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ଏହା ଗର୍ବର ବିଷୟ। ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିଲେ। ତେଣୁ ବିଜେପି ଏହା ଉପରେ କୌଣସି ପ୍ରସଙ୍ଗ କରିବା ଉଚିତ ନୁହେଁ। ପ୍ରତ୍ୟେକ ଓଡିଆ ଏଥିପାଇଁ ଗର୍ବିତ ହେବା ଉଚିତ୍।

Related Posts