ବିଜେପୁରରେ ନବୀନଙ୍କ ମିଠା ପ୍ରତିଶୋଧ

(ସତ୍ୟପାଠ ବ୍ୟୁରୋ): ବିଜେପୁରରେ ବିଜେପିର ପରାଜୟ ସନତ ଗଡ଼ତିଆଙ୍କର ନୁହେଁ ବଂର ଧର୍ମେନ୍ଦ୍ର ଏବଂ ପ୍ରତାପ ଷଡ଼ଙ୍ଗୀ ଓଗେରେଙ୍କର । ବିଜେପିର ଓଡ଼ିଶା ନେତାଙ୍କ ଚାଲାକି କୁ ବିଜେପୁରର ଭୋଟରଙ୍କ ଶକ୍ତ ଚଟକଣା । ସାଧାରଣ ନିର୍ମାଚନରେ ବିଜେପିର ପରାଜୟ ପରେ ନବୀନଙ୍କୁ ଛୋଟ ଦେଖେଇବା ପାଇଁ ବିଜେପି ଯେଉଁ ଅହଂକାରର ରାଜନୀତି କରୁଥିଲା ତାର ମିଠା ପ୍ରତିଶୋଧ ନେଇଛି ବିଜେଡି । ରାଜନୀତିର ମୈଦାନକୁ ଚେସ୍‌ ବୋଡ ବନେଇଥିବା ବିଜେପିକୁ ବିଜେପୁରରେ ଚେକ୍‌ମେଟ୍ ଦେଇଛନ୍ତି ନବୀନ ।

2019 ନିର୍ବାଚନରେ ପରାଜୟ ପରେ ବିଜେପି ଆପଣେଇଥିଲା ଚେସ୍‌ ଖେଳର ଚାଲ । ଅର୍ଥାତ ବିଜେଡି ପାଖରେ ଯେତେ ଘୋଡ଼ା, ହାତୀ ଓ ସୈନିକ ଥାଆନ୍ତୁ ନା କାହିଁକି ରାଜା (ନବୀନ)ଙ୍କୁ ଚେକ୍‌ମେଟ୍ କରିଦେଲେ ଖେଳ ସରିଲା । ଆଉ ସେହି କଥାକୁ ଲୋକଙ୍କ ନିକଟକୁ ନେଇ ପ୍ରଚାର କଲା ସେତେବେଳେ ଯେତେବେଳେ ବିଜେଡି ସୁପ୍ରିମୋ ନିଜେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବୀନି ବୈଷ୍ଣବଙ୍କୁ ସମର୍ଥନ ଦେବାକୁ ଘୋଷଣା କଲା । ବୋଧ ହୁଏ ଭାରତ ରାଜନୀତିରେ ଏହା ଥିଲା ବିରଳ ଘଟଣା । କୌଣସି ପ୍ରମୁଖ ବିରୋଧୀ ଦଳ ରାଜ୍ୟସଭା ଆସନ ମାଗିକି ନେବ ଆଉ ତାକୁ ଶାସକ ଦଳ ଅକୁଣ୍ଠାରେ ଦେଇଦବ । ବିରୋଧୀ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପୂର୍ବରୁ ସମର୍ଥନ ଦେବାକୁ ଶାସକ ଦଳ ଘୋଷଣା କରିବ । ଏପରିକି ନବୀନ ସେତେବଳେ ଏଭଳି ଭାବେ ବିଚଳିତ ହୋଇଯାଇଥିଲେ ଯେ ସମର୍ଥନ ଦେବା ଜାଗାରେ ଅଶ୍ବୀନି ବୈଷ୍ଣବଙ୍କୁ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ବୋଲି ପ୍ରଥମେ ଘୋଷଣା କରିଦେଲେ । ଏହା ପରେ ପୁଣି ଥରେ ସଂଶୋଧନ କରି ଅଶ୍ବୀନି ବିଜେପି ପ୍ରାର୍ଥୀ କିନ୍ତୁ ବିଜେଡି ତାଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଥିଲେ ନବୀନ । ଏହି କଥା ସମସ୍ତଙ୍କୁ ଚକିତ କରିଥିଲା  ।  ଏହା ପରେ ବିଜେଡି ନେତା ଏବେ ଆମ ସରଣରେ, ବିଜେଡି ଏବେ ବିଜେପିରେ ମିଶିଯିବ ବୋଲି ବିଜେପିର ବଡ଼ପଣ୍ଡାମାନେ ଓଡ଼ିଶାବାସୀଙ୍କୁ ମେସେଜ୍ ଦେବାକୁ ଚାହୁଁଥିଲେ । ଯେ ଦେଖ ତୁମ ନେତା ଏବେ ଆମ ପାଖରେ ଆଣ୍ଠଇଲେଣି, ଅମିତ ଶାହଙ୍କ ଗୋଟିଏ ଫୋନ କଲରେ ନବୀନ ଆମ ପାଖରେ ନତମସ୍ତକ ହୋଇଛନ୍ତି । ସିବିଆଇ ଡରରେ ନବୀନ ଏବେ ଆମର ସବୁ କଥା ମାନିବେ ବୋଲି ବିଜେପି କର୍ମୀମାନେ ମଧ୍ୟ ଆଲୋଚନା କରୁଥିଲେ । ଆଉ ସେହି ଆଲୋଚନା ବା ମେସେଜ ଧିରେ ଧିରେ ଲୋକ ଗ୍ରହଣ କରିବାକୁ ଲାଗିଲେ ସେତେବେଳେ ଯେତେବେଳେ ଲୋକସଭା ଏବଂ ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ବିଜେଡି ବାରମ୍ବାର ସମର୍ଥନ ଜଣାଇଲା । ଏହା ପରେ ବିଜେପି ନେତାମାନେ ଭାବିଥିଲେ ଯେ ବିଜେଡିର କ୍ୟାଡରମାନଙ୍କ ମନୋବଳ ଭାଙ୍ଗିଯିବ, ଆଉ ସେମାନେ ବିଜେପିକୁ ପଳେଇଆସିବେ । କିନ୍ତୁ ବିଜେପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଏହା ସମ୍ପୂର୍ଣ୍ଣ ଓଲଟା ପ୍ରମାଣିତ ହୋଇଛି । ବିଜେପୁରର ଫଳାଫଳ ଜଣାଇଦେଲା ଯେ ବିଜେପି 2019 ସାଧାରଣ ନିର୍ବାଚନରେ ହାରିବା ପରେ ବିଜେଡି ସହ ହାତ ମିଳାଇ ଥିଲା । ବିଜେପିର ନିଜର କିଛି ନେତୃତ୍ବର ନୈତିକତା ନାହିଁ ବୋଲି ବିଜେଡି ପ୍ରମାଣିତ କରିଦେଲା । ବିଜେପିର ଲୋକାଲ ନେତା ନବୀନ ଏବଂ ବିଜେଡିକୁ ଗାଳିଦେବେ କିନ୍ତୁ ମୋଦି, ଅମିତ ଶାହ ଏବଂ ବିଜେପିର କେନ୍ଦ୍ରୀୟ ନେତା ନବୀଙ୍କୁ ସମସ୍ତେ ପ୍ରଶଂସା କରିକି ଯିବେ ।  ବିଜେପିର ଓଡ଼ିଶା ନେତାଙ୍କ ଚାଲାକିକୁ ଶକ୍ତ ଚଟକଣା ମାରିଛନ୍ତି ବିଜେପୁରର ଭୋଟର ।

ରୀତା ସାହୁ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କଠାରୁ ୯୭ ହଜାର ୯୯୦ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ବିଜେପି ଖାତାକୁ ୭୩.୮% ଭୋଟ ଯାଇଛି । ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ବିଶ୍ବଭୂଷଣ ହରିଚନ୍ଦନଙ୍କ ଭୋଟ ବ୍ୟବଧାନ ସଂଖ୍ୟା ୯୪,୫୫୫କୁ ରୀତା ଅତିକ୍ରମ କରି ବିରଳ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। କେବଳ ସେତିକି ନୁହେଁ, ଲଗାତାର ତିନିଟି ନିର୍ବାଚନରେ ଜିତି ବିଜେପୁର ଆସନରେ ହାଟ୍ରିକ କରିଛି ବିଜେଡି। ଅନ୍ୟପକ୍ଷରେ ଯେଉଁ ଆସନରେ ଲଗାତାର ତିନି ତିନି ଥର ନିର୍ବାଚନ ଜିତିଥିଲା କଂଗ୍ରେସ, ସେଠି କୌଣସି ବି ଗୋଟିଏ ରାଉଣ୍ଡରେ ୫୦୦ ଭୋଟ ପାଇପାରିନାହିଁ । ଏଭଳି ଏକ ଅପମାନଜନିତ ରେକର୍ଡ ଦଳ ଖାତାରେ ଯୋଡ଼ି ହୋଇଛି। ପୂର୍ବଥରର ପ୍ରାର୍ଥୀ ରିପୁନାଥ ସେଠଙ୍କୁ ବଦଳାଇବା ସତ୍ତ୍ବେ ଏଥରର ଦଳୀୟ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ନିଜ ଅମାନତ ହରାଇଛନ୍ତି ।  ଏଥର ବିଜେପୁରରେ ମାତ୍ର ୩.୧୯% ଅର୍ଥାତ୍ ୫,୮୭୩ ଖଣ୍ଡ ପାଇଛି କଂଗ୍ରେସ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦୧୯ ସାଧାରଣ ନିର୍ବାଚନରେ ବରଗଡ ଲୋକସଭା ଆସନ ଦେଶର ଏକ ବିରଳ ଆସନ ଭାବେ ଗଣାଯାଉଥିଲା । କାରଣ ସମସ୍ତ ବିଧାନସଭା ଆସନରେ ବିଜେଡି ଜିତିଥିଲେ ବି ଲୋକସଭା ଆସନ ହାତେଇଥିଲା ବିଜେପି। ମାତ୍ର ୬ମାସ ବ୍ୟବଧାନରେ ବିଜେପୁରରେ ଦଳର ଶୋଚନୀୟ ପରାଜୟ ହୋଇଛି । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୫୩ ହଜାର ୪୮୨ ଭୋଟ ପାଇଥିବା ବେଳେ ଏଥର ଏହା ୩୭ ହଜାର ୯୬୭ (୨୦.୬୩%) କୁ ଖସିଆସିଛି । ଅର୍ଥାତ ବିଜେପିଠୁ ୧୫ ହଜାର ୫୨୫ ଜଣ ଭୋଟର ମୁହଁ ମୋଡ଼ି ଅନ୍ୟ ଦଳକୁ ଭୋଟ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ଜିତି ବି ଏହି ଆସନକୁ ପରିତ୍ୟାଗ କରି ବିଜେପୁରବାସୀଙ୍କ ସହ ବିଶ୍ବାସଘାତକତା କରିଥିବା ବିଜେପି ନେତା ଅଭିଯୋଜ କରିଥିଲେ । କିନ୍ତୁ ଫଳ ଓଲଟା ହୋଇଛି । ନବୀନଙ୍କ ଉପରେ ଭୋଟର ପୁଣି ଥରେ ଆସ୍ଥା ରଖିଥିବା ପ୍ରମାଣିତ ହୋଇଛି । ଏପରିକି ଗତ ସାଧାରଣ ନିର୍ବାଚନରେ ନବୀନ ନିଜ ପାଇଁ ଭୋଟ ମାଗି ୧ଲକ୍ଷ ୧୦ ହଜାର ୬୦୪ ଭୋଟ ପାଇଥିବା ବେଳେ ଏଥ ରୀତା ସାହୁ ଆଉ ୨୫ ହଜାର ଭୋଟ ଅଧିକ ପାଇଛନ୍ତି । ୨୦୧୮ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେଡି ତାଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା । ମୋଟ୍ ୧ ଲକ୍ଷ ୨ ହଜାର ୮୭୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ଠାରୁ ବିଜୟ ବ୍ୟବଧାନ ଥିଲା ୪୧ ହଜାର ୯୩୩ । ଏହି ନିର୍ବାଚନରେ ବିଜେଡିର ଭୋଟ୍ ହାର ୫୬.୭୮% ରହିଥିଲା । ଏହାର କିଛି ମାସ ପରେ ବିଜେପୁର ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରେ ପ୍ରାର୍ଥୀ ହୋଇଥିଲେ। ନବୀନଙ୍କୁ ମୋଟ୍ ୧ଲକ୍ଷ ୧୦ ହଜାର ୬୦୬ ଖଣ୍ଡ ଭୋଟ୍ ମିଳିଥିଲା ଓ ସେ ୫୬ ହଜାର ୧୨୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏଥର ନିର୍ବାଚନରେ ବିଜେଡିର ଭୋଟ୍ ହାର ୩ ପ୍ରତିଶତ ବଢି ୫୯.୭୮% ଛୁଇଁଥିଲା । ହେଲେ 24 ତାରିଖର ଫଳାଫଳ ଗତ ଦୁଇଟି ନିର୍ବାଚନର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ବିରୋଧୀଙ୍କୁ ସମ୍ପୂର୍ଣ୍ଣ ନିଷ୍ପ୍ରଭ କରି ରୀତା ସାହୁ ଇତିହାସ ରଚିଛନ୍ତି। ଭୋଟ୍ ବ୍ୟବଧାନରେ ବିରୋଧୀଙ୍କୁ ମାଟି କାମୁଡାଇଛନ୍ତି ରୀତା। ବିଜେଡିର ଭୋଟ ପ୍ରତିଶତ ଏକା ଥରକେ ୧୪% ବଢିଛି । ନବୀନ ବିଜେପୁର ଆସନ ଛାଡିଥିବାରୁ ବିଜେପି ଏହାକୁ ଅସ୍ତ୍ର କରି ନିର୍ବାଚନକୁ ଓହ୍ଲାଇଥିଲା । ସାଂସଦ ସୁରେଶ ପୂଜାରୀ ପ୍ରଥମେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ଭଳି ଓଡ଼ିଶାର ବଡ଼ ବଡ଼ ନେତା ଏହାକୁ ନେଇ ବିଜେଡିକୁ ଘେରିଥିଲେ । ହେଲେ ବିଜେପିର ସବୁ ବଡ଼ ନେତାଙ୍କ ଚାଲାକିକୁ ଚଟକଣା ମାରିଛନ୍ତି ବିଜେପୁରବାସୀ ।

Related Posts