ମିଡିଆ କି ମନ୍ତର କଲା.. ବେଳାଭୂମିରେ ମାନ୍ୟବରଙ୍କ ଲୀଳା

ପେପରରେ ,ଟିଭିରେ ପ୍ରଚାର ପାଇଁ ଆଚ୍ଛା ଆଚ୍ଛା ନେତା କିଭଳି କଛା ଖୋଲିବାକୁ ତୟାର ହୋଇଯାଉଛନ୍ତି ,ତାହା ଏବେ ଦେଖିବାର ବିଷୟ । ବାହାଘର ଠାରୁ ବ୍ରତ ଘର ଯାଏ ଏବେ ପବ୍ଲିସିଟିର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି । ସେଇଟା ହେଉଛି ପ୍ରି ଓ୍ବେଡିଙ୍ଗ ଏବଂ ପ୍ରି ଥ୍ରେଡ ସେରିମୋନି ଫଟୋସୁଟ୍ । ବାହାଘର ପୂର୍ବରୁ ବର କନିଆ ସୁନ୍ଦର ସୁନ୍ଦର ଜାଗାରେ ରୋମାଣ୍ଟିକ ପୋଜରେ ଫଟୋ ଉଠାଇବେ । ଯାହାକୁ ବାହାଘର ଓ ରିସେପସନ ଦିନ କନଭେନସନ ହଲରେ ଭଲ ଭାବରେ ଏଡିଟିଙ୍ଗ କରାଯାଇ ଅତିଥିମାନଙ୍କ ଦେଖିବାପାଇଁ ଡିସପ୍ଲେ କରାଯିବ । ଏହାଦ୍ବାରା ଆମନ୍ତ୍ରିତ ଅତିଥିକୁ ଏଭଳି ଇମ୍ପ୍ରେସନ ଦିଆଯିବ ଯେ ବର କନିଆଁ ଏକଦମ୍ ମେଡ୍ ଫର ଇଚ୍ ଅଦର ।

ଏବେ ରାଜ୍ୟ ପ୍ରଶାସନରେ ଠିକ୍ ସେହି କୌଶଳ ଟିକୁ ଆପଣେଇଛନ୍ତି ନବୀନ ବାବୁ ଓ ତାଙ୍କର ବ୍ୟାକ ଡୋର୍ ଇମେଜ କନସଲଟାଣ୍ଟ । ଠିକ୍ ପ୍ରି ଓ୍ବେଡିଙ୍ଗ ଫଟୋ ସୁଟ ଭଳି ଏହି ପ୍ରି ଲଞ୍ଚିଙ୍ଗ ବା ପ୍ରି ପବ୍ଲିକେଶନ ଫଟୋସୁଟ କୁ ମଧ୍ୟ ସମାନ ଭଳି କରାଯାଉଛି । ବିଗତ ଦିନରେ କିଛି ଗୁରୁତ୍ବପୁର୍ଣ୍ଣ ପ୍ରକଳ୍ପ ର ଲୋକାର୍ପଣ ଏବଂ ଉଦଘାଟନ ଉତ୍ସବକୁ ଲକ୍ଷ କଲେ ବୁଝିପାରିବେ କେତେ ଚତୁରତାର ସହ ଏହି ପ୍ରି ଲଞ୍ଚିଙ୍ଗ ଫଟୋ ସୁଟ କରାଯାଉଛି ,ଏବଂ ମିଡିଆଙ୍କୁ ସିଲେକ୍ଟିଭ ଭିଜୁଆଲ ଓ ଫଟୋଗ୍ରାଫ ସରକାରୀ ସ୍ତରରେ ରିଲିଜ କରାଯାଉଛି ।ଏହାର ସଦ୍ୟତମ ଉଦାହରଣ ହେଲା ଗତ ଗୁରୁବାର ଦିନ କଟକ ସହର ପାଇଁ ନୂଆ ଯୋଜନା ଘୋଷଣା ଅବସରରେ ମିଡିଆ ପାଇଁ ମହାନଦୀ ପଠାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସୁଟ୍ ।ମହାନଦୀ ପଠାରେ ଯେଉଁ ସଭା ଆୟୋଜନ କରାଯାଇଥିଲା ସେଠାରେ 3 ମନ୍ତ୍ରୀଙ୍କ ସମେତ ୭ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ ।ହେଲେ ଯେଉଁ ଫଟୋ ବା ଭିଜୁଆଲିଟି ମିଡିଆଙ୍କୁ ହାଇଲାଇଟ କରିବାକୁ ଦିଆଗଲା ତାହା ହେଲା ମହାନଦୀ ବେଳାଭୂମିରେ ବିଜୁ ଜନତା ଦଳର ରଙ୍ଗ ସହ ମିଶୁଥିବା ସବୁଜ ରଙ୍ଗର ଏକ କାର୍ପେଟ୍ ଉପରେ ଦିଗବଳୟକୁ ଚାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାଲିବାର ଫଟୋ।

ଏକା ଏକା ଚାଲୁଥିବାର ଏହି ଫଟୋ ରେ ବାସ୍ତବରେ ନବୀନ ବାବୁ କେତେ ପାଦ ଚାଲିଲେ ସେଇଟା ଯେତେ ଗୁରୁତ୍ବପୁର୍ଣ୍ଣ ନୁହେଁ, ବଡ କଥା ହେଲା ନଈ ବାଲିରେ କାର୍ପେଟ୍ ଉପରେ ଚାଲୁଥିବା ପ୍ରଥମ ଓଡିଆ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ବାବୁ । ନଈ ବାଲି ଉପରେ ନଚାଲି ବିଜେଡି ପତାକା ରଙ୍ଗର କାର୍ପେଟ୍ ଉପରେ ନବୀନ ବାବୁ ଚାଲିବାକୁ ନେଇ ଯେତେ କଥା ଚର୍ଚ୍ଚା ହେଉଛି ତାହା ହେଲା

(1) ବୋଧ ହୁଏ ହାଡିଆ ପଠା ବା ମହାନଦୀ ପଠାର ବାଲି ଅତ୍ୟନ୍ତ ପ୍ରଦୂଷିତ ହୋଇଗଲାଣି ।ତେଣୁ ତାହା ଉପରେ ଚାଲିଲେ ମାନ୍ୟବରଙ୍କୁ ଏଲର୍ଜି ବା ଚର୍ମ ରୋଗ ସଂକ୍ରମିତ ହୋଇପାରେ । ତେଣୁ ତାଙ୍କର ସ୍ବାସ୍ଥ୍ୟ ପରାମର୍ଶଦାତା ରିସ୍କ ନେବାକୁ ଚାହିଁଲେନି ଯେ ନବୀନ ବାବୁ ଖାଲି ପାଦ ବା କୋହ୍ଲାପୁରୀ ଯୋତା ପିନ୍ଧି ଖାଲି ବାଲି ଉପରେ ଚାଲନ୍ତୁ ବୋଲି । ଯେଉଁଥିପାଇଁ ବାଲି ଉପରେ କାର୍ପେଟ ପକାଗଲା ବୋଲି ଆଲୋଚନା ହେଉଛି ।

(2)ଦ୍ବିତୀୟ କାରଣଟି ହେଲା ଫଟୋଗ୍ରାଫି ଦୃଷ୍ଟି କୋଣରୁ ନଈବାଲି, ନଈପାଣି, ଆକାଶ ଏବଂ ନବୀନ ବାବୁଙ୍କ ପୋଷାକ ସବୁର କଲର ଏବଂ ବ୍ୟାକଗ୍ରାଉଣ୍ଡ ଏସବୁ ଲାଇଟ୍ କଲର ହୋଇଯାଉଛି । ତେଣୁ ଫୋଟରେ ନବୀନ ବାବୁଙ୍କ ଚେହେରା ବର୍ଣ ଆଉଟ୍ ହୋଇଯିବାର ସମ୍ଭାବନା ଅଛି। ତେଣୁ ଫଟୋ ରେ ନବୀନ ବାବୁଙ୍କୁ ହାଇଲାଇଟ୍ କରିବା ପାଇଁ ଫ୍ରେମରେ ଡେଫଥ ମିଳିବ ନାହିଁ ,ଯେଉଁଥିପାଇଁ ଆବଶ୍ୟକ ପଡିଲା ,ଗାଢ୍ ରଙ୍ଗର କିଛି ସବଜେକ୍ଟ । ସେଇଥିପାଇଁ କୁଆଡେ ବାଲି ଉପରେ କାର୍ପେଟ ପକାଯିବା ପାଇଁ କହିଲେ କ୍ରିଏଟିଭ ଡାଇରେକ୍ଟର । ସବୁଜ ରଙ୍ଗର ଗାଲିଚା ପଡିଲେ ଦୁଇ ପଟିଆ କାମ ହୋଇଯିବ, ଫଟୋରେ ଡେଫଥ ମିଳିବ ସେପଟେ ବିଜେଡି ରଙ୍ଗ ବି ପ୍ରଚାର ହୋଇଯିବ ।

ଆଉ ଗୋଟେ କଥା ହେଲା ସଭାରେ ବହୁ ମନ୍ତ୍ରୀ,ବିଧାୟକ, ପୂର୍ବତନ ବିଧାୟକ, ନିଗମ ଅଧ୍ୟକ୍ଷ ଆଦି ବ୍ୟକ୍ତି ଥିବାବେଳେ ନବୀନ ବାବୁଙ୍କ ସହ ଫଟୋ ଫ୍ରେମ ରେ ଖାଲି 5 ଟି ସଚିବ ପାଣ୍ଡିଆନ ଏବଂ ପୂର୍ତ୍ତ ସଚିବ କିଷଣ କୁମାରଙ୍କୁ ହିଁ ରଖାଯାଇଛି ।

ଏହା ପୁର୍ବରୁ ଅନେକ ଇଭେଣ୍ଟ ରେ , ଯଥା ବହୁ ବ୍ରିଜ୍ ଉଦଘାଟନ ରେ ଏବଂ ନିକଟରେ ପୁରୀ ଶ୍ରୀ ମନ୍ଦିର ହେରିଟେଜ୍ କରିଡ଼ର ର ପ୍ଲାନ ଉଦଘାଟନ ଉତ୍ସବରେ ସମାନ ଖେଳ ଦେଖିବାକୁ ମିଳିଥିଲା।

ବେଳାଭୂମିରେ ଲୀଳା କରୁଥିବା ନେତାଙ୍କ ତାଲିକାରେ କେବଳ ନବୀନ ବାବୁ ନାହାଁନ୍ତି, ଆଗରେ ଅଛନ୍ତି ଚୌକିଦାର ନରେନ୍ଦ୍ର ମୋଦି ।

ମୋଦି ମହାଶୟ ତ ନବୀନ ବାବୁଙ୍କୁ ଠୁ ଦୁଇ ପାଦ ଆଗକୁ ଚାଲିଗଲେ । ଗତ 2019 ଅକ୍ଟୋବର ମାସରେ ଚୀନ୍ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ସମ୍ମିଳନୀ ପୂର୍ବରୁ ମୋଦି ଜୀ ରାସ୍ତାରେ ଜରି ଓ ବୋତଲ ଗୋଟାଳୀଙ୍କ ଭଳି କୋଭାଲମ ବିଚ୍ ରେ ପାଣି ବୋତଲ, ପଲିଥିନ୍ ଗୋଟାଇବାର ଫଟୋ ଭାଇରାଲ ହୋଇଥିଲା । ପରେଜଣାପଡିଲା ଯେ ମୋଦି ମହାଶୟଙ୍କ ବୋତଲ ଗୋଟେଇବାର ଫଟୋକୁ ଏନାକ୍ଟ କରାଯାଇଥିଲା । ସେଥିପାଇଁ କୁଆଡେ ଜାଣି ଶୁଣି କିଛି ବୋତଲ ଓ ଜରି ବିଚ୍ ରେ ପକାଜାଇଥିଲା । ସେ ଯାହା ହେଉନା କାହିଁକି ବେଳାଭୂମିରେ ଏ ନେତାମାନଙ୍କର ଲୀଳା ଦର୍ଶାଉଛି ଯେ ମିଡିଆ କଭରେଜ୍ ପାଇଁ ଆଚ୍ଛା ଆଚ୍ଛା ନେତାମାନେ କିଭଳି ସମ୍ମାନବୋଧର କଚ୍ଛା ଖୋଲିବାକୁ ତୟାର ହୋଇଯାଉଛନ୍ତି ।

Related Posts