ଭୁବନେଶ୍ବର ବିମାନବନ୍ଦରରେ ଭୁଷୁଡିଲା ନିର୍ମାଣାଧିନ ଛାତ

(ମେଟ୍ରୋ ଟିଭି ବ୍ୟୁରୋ) ଭୁବନେଶ୍ବର:  ଗତକାଲି ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ  ଏକ ବଡ଼ ଧରଣର ଅଘଟଣ ଘଟିଛି।ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଅଘଟଣ ଘଟିଥିଲା । ବିମାନବନ୍ଦର ପରିସରରେ ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି।

ମୃତ ଶ୍ରମିକ ଜଣଙ୍କ ହେଲେ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରର ଅନ୍ତର୍ଯ୍ୟାମୀ ଗୁରୁ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ଗାଡ଼ିର ହେଲପର୍ ଭାବେ ସେ କାମ କରୁଥିଲେ। କଂକ୍ରିଟ୍ ଅତଡ଼ା ଭିତରୁ ଗୁରୁତର ଅବସ୍ଥାରେ ଅନ୍ତର୍ଯ୍ୟାମୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଆହତ ଵ୍ୟକ୍ତି ଜଣଙ୍କ ହେଲେ ନବ କିଶୋର ସ୍ୱାଇଁ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

। ବିମାନବନ୍ଦରର ଟର୍ମିନାଲ୍-୧ ସହ ଟର୍ମିନାଲ୍-୨କୁ ସଂଯୋଗ କରୁଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଥିଲା। ପ୍ରାୟ ୧୦ ହଜାର ବର୍ଗ ଫୁଟ୍‌ର ଛାତ ଭୁଶୁଡ଼ି ପଡ଼ିଛି। ଆହତ ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଗତକାଲି ରାତିରେ ବିଲ୍ଡିଂ କାମ ଚାଲିଥିଲା। ଛାତ ଢଳେଇ ପରେ ୧୦ରୁ ୧୨ ଜଣ ଶ୍ରମିକ ବିଲ୍ଡିଂ କାମରେ ନିୟୋଜିତ ଥିଲେ। ଏହି ସମୟରେ ହଠାତ୍ ଛାତଟି ଭୁଶୁଡ଼ି ପଡ଼ିଥିଲା

ଖବରପାଇ ଘଟଣାସ୍ଥଳରେ NDRF, CISF, ODRAF ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ପ୍ରାୟ ୩ରୁ ୪ ଘଣ୍ଟା ଯାଏ ଉଦ୍ଧାର କାର୍ଯ୍ୟ ଚାଲିଥିଲା। କଂକ୍ରିଟ୍ ଅତଡ଼ାକୁ  ଯାଞ୍ଚ କରାଯିବା ସହ ଡଗ୍ ସ୍ୱାଡ୍‌ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ୍ କରିଥିଲେ  ।

ଦିଲ୍ଲୀପ କନ୍‌ଷ୍ଟ୍ରକ୍ସନ ନାମକ ଏକ ସଂସ୍ଥା ଏହି ନିର୍ମାଣ କାର୍ଯ୍ୟ କରୁଥିଲା। । ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏ ଅଘଟଣ ପାଇଁ ଶ୍ରମିକମାନଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଢଳେଇ କାମ ସରିଯାଇଥିଲା। ଅଧିକ ଓଜନ ପଡ଼ିବାରୁ ଛାତ ଭୁଶୁଡ଼ି ପଡ଼ିଲା। ନିର୍ମାଣ ପୂର୍ବରୁ ସବୁ କିଛି ଠିକ୍ ଭାବେ ଯାଞ୍ଚ କରାଯାଇଥିଲା। ଶ୍ରମିକଙ୍କ ସୁରକ୍ଷା ନେଇ ବି ବ୍ୟବସ୍ଥା କରାଯାଇଥିଲା। ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇ ନଥିବା ସେ କହିଛନ୍ତି।ଅନ୍ୟପଟେ  ଏ ଘଟଣାରେ ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖିଛି ପୋଲିସ  । ସଂସ୍ଥାର କାଗଜପତ୍ର ଯାଞ୍ଚ କରି ଦିଲୀପଙ୍କୁ ଅଧିକ ପଚରାଉଚୁରା କରୁଛି ପୋଲିସ୍  ।

Related Posts