ମାଲକାନଗିରିରେ ତାଣ୍ଡବ, ଘରୋଇ ବସ୍‌ ପୋଡ଼ିଲେ ମାଓବାଦୀ

ମାଲକାନଗିରିରେ ଲାଲ୍‌ ତାଣ୍ଡବ । ସୋମବାର ରାତିରେ ଏକ ଘରୋଇ ବସ୍‌କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ମାଥିଲିରୁ ଯଜ୍ଞପୁରରୁ ଯାଉଥିବା ଏକ ଘରୋଇ ବସ୍‌କୁ ମହୁପଦର ପଞ୍ଚାୟତର ମୁଣ୍ଡାଗୁଡ଼ା ଗାଁ ପାଖରେ ଘେରିଯାଇ ଅଟକାଇଥିଲେ ନକ୍ସଲ ।

ବସ୍‌ରେ ଥିବା ଯାତ୍ରୀଙ୍କଠାରୁ ମୋବାଇଲ ଛଡ଼ାଇ ନେଇ ସେମାନଙ୍କୁ ବସ୍‌ରୁ ଓହ୍ଲାଇ ଦେଇଥିଲେ । ପରେ ସେହି ବସ୍‌ର ଟ୍ୟାଙ୍କିରୁ ଡିଜେଲ କାଢ଼ି ଏଥିର ଢାଳି ନିଆଁ ଲଗାଇ ଜାଳି ଦେଇଥିଲେ । ପରେ ଯାତ୍ରୀମାନଙ୍କୁ ସେମାନଙ୍କ ମୋବାଇଲ ଫେରାଇ ଦେଇ ନକ୍ସଲମାନେ ଚାଲି ଯାଇଥିଲେ ।

କେନ୍ଦ୍ର ସରକାରଙ୍କ ସମାଧାନ ଯୋଜନାକୁ ବିରୋଧ କରି ଗତ ୨୫ ତାରିଖରୁ ୩୧ ତାରିଖ ଯାଏ ଭାରତ ବନ୍ଦ ପାଳନ କରୁଛନ୍ତି । ଏହି ଅବସରରରେ ନକ୍ସଲ ଏମିତି କାଣ୍ଡ ଭିଆଇଛନ୍ତି । ଖବର ପାଇ ମଙ୍ଗଳବାର ସକାଳୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସରକାର ଓ ପୁଲିସ ବିରୋଧରେ ନକ୍ସଲମାନେ ପ୍ରତି ଗାଁରେ ପ୍ରଜାମେଳି କରି ଯୁବକଯୁବତୀଙ୍କୁ ନକ୍ସଲ ସଙ୍ଗଠନ ସହିତ ଜଡିତ ହବାକୁ ଆହ୍ଵାନ ଦେଉଛନ୍ତି । ଗତ ୨୫ ତାରିଖରୁ ଏହି କାର୍ଯ୍ୟ ଚାଲିଛି । ବିଶେଷ କରି କେନ୍ଦ୍ର ସରକାରଙ୍କ ସମାଧାନ ଯୋଜନାକୁ ନକ୍ସଲମାନେ ବିରୋଧ କରୁଛନ୍ତି ।

ଏମିତିକି ଚଳିତମାସ ୨୫ରୁ ୩୧ ତାରିଖ ଯାଏ ନକ୍ସଲମାନେ ଭାରତ ବନ୍ଦ କରୁଥିବା ଯୋଗୁଁ ସରକାରୀ ବସ ଚଳାଚଳ ବନ୍ଦ ଥିବା ବେଳେ ଘରୋଇ ବସ ଚଳାଚଳ କରୁଛି । ଏହାକୁ ନକ୍ସଲମାନେ ବିରୋଧ କରୁଛନ୍ତି ।

Related Posts