NCRBର ସନ୍‌ସନି ଖୁଲାସା: ପ୍ରତି 2 ଘଣ୍ଟାରେ ଆତ୍ମହତ୍ୟା କରୁଛନ୍ତି 3 ବେକାରୀ

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଦେଶରେ ବେକାରୀ ଏବଂ ବେରୋଜଗାରୀରୁ ବିରକ୍ତ ହୋଇ ଆତ୍ମହତ୍ୟା କରୁଥିବା ଯୁବକଙ୍କ ସଂଖ୍ୟା ଚାଷୀ ଆତ୍ମହତ୍ୟାଠାରୁ ଅଧିକ ।  2018ରେ 12,936 ଜଣ ବେରୋଜଗାର କାରଣରୁ ଆତ୍ମହତ୍ୟା କରିଥିଲେ । ଏହି ସମାନ ଅବଧିରେ ଚାଷ-କୃଷି ସହ ଜଡ଼ିତ 10 ହଜାର 39 ଜଣ ଆତ୍ମହତ୍ୟା କରିଥିଲେ । NCRB ରିପୋର୍ଟରୁ ଏଭଳି ସନସନି ଖୁଲାସା ହୋଇଛି ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟ ଦର୍ଶାଉଛି ଯେ 2018ରେ ଦେଶରେ ଆତ୍ମହତ୍ୟା ମାମଲାରେ 3.6% ବୃଦ୍ଧି ହୋଇଛି । 2018ରେ ଆତ୍ମହତ୍ୟାର 1 ଲକ୍ଷ 34 ହଜାର 516ଟି ମାମଲା ରୁଜୁ କରାଯାଇଛି । 2017 ମସିହାରେ 1 ଲକ୍ଷ 29 ହଜାର 887 ଜଣ ଆତ୍ମହତ୍ୟା କରିଥିଲେ ।

2017ରେ 12 ହଜାର 241 ଜଣ ବେରୋଜଗାରୀ କାରଣରୁ ଆତ୍ମହତ୍ୟା କରିଥିଲେ, ସେହିପରି ଚାଷ-କୃଷି ସହ ଜଡ଼ିତ 10 ହଜାର 655 ଜଣ ଆତ୍ମହତ୍ୟା କରିଥିଲେ । 2016 ମସିହାରେ ବେରୋଜଗାରୀ ତୁଳନାରେ ଅଧିକ ଚାଷୀ ଆତ୍ମହତ୍ୟା କରିଥିଲେ । ସେହିପରି 2015 ମସିହାରେ ରୋଜଗାରରୁ ଦୂରରେ ଥିବା 10,912 ଜଣ ଆତ୍ମହତ୍ୟା କରିଥିଲେ, ଠିକ୍‌ ଏହି ସମୟରେ ଚାଷୀ ଆତ୍ମହତ୍ୟା ନେଇ 12,602ଟି ମାମଲା ରୁଜୁ ହୋଇଥିଲା ।

  ଆତ୍ମହତ୍ୟାର ପରିସଂଖ୍ୟାନ

2018ରେ ପ୍ରତିଦିନ 35 ଜଣ, 2017 ମସିହାରେ 34 ଜଣ ବେରୋଜଗାରୀ କାରଣରୁ ଆତ୍ମହତ୍ୟା କରିଥିଲେ । 2016ରେ ଏହି ସଂଖ୍ୟା 30 ଥିଲା ।  ବେରୋଜଗାରଙ୍କ ଆତ୍ମହତ୍ୟାକୁ ନେଇ ଜାରି ସରକାରୀ ସଂଖ୍ୟାରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏହି ଶ୍ରେଣୀରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ 82% ଲୋକ ପୁରୁଷ ରହିଛନ୍ତି । କେରଳରେ ସର୍ବାଧିକ ଆତ୍ମହତ୍ୟାର 1585ଟି ମାମଲା, ତାମିଲନାଡୁରେ 1579, ମହାରାଷ୍ଟ୍ରରେ 1260, କର୍ଣ୍ଣାଟକରେ 1094 ଏବଂ ଉତ୍ତର ପ୍ରଦେଶରେ 902 ରେକର୍ଡ କରାଯାଇଥିଲା ।

ଏନସିଆରବିର ରିପୋର୍ଟ ଅନୁସାରେ 2018ରେ 5763 କୃଷକ ଏବଂ 4586 କୃଷି କାମ ସହ ଜଡିତ ଶ୍ରମିକ ଆତ୍ମହତ୍ୟା କରିଥିଲେ । ଯଦି 2018 ଦେଖିବା ତେବେ 5457 ପୁରୁଷ କୃଷକ ଏବଂ 306 ମହିଳା କୃଷକ ଥିଲେ । କୃଷକଙ୍କ ଆତ୍ମହତ୍ୟାର ସର୍ବାଧିକ ମାମଲା ମହାରାଷ୍ଟ୍ରରେ ରେକର୍ଡ କରାଯାଇଛି । ସମୁଦାୟ ଆତ୍ମହତ୍ୟାର 34.7 ପ୍ରତିଶତ ମାମଲା ମହରାଷ୍ଟ୍ରରେ, 23.2 ପ୍ରତିଶତ କର୍ଣ୍ଣାଟକରେ, 8.8% ତେଲଙ୍ଗାନାରେ 6.4 ପ୍ରତିଶତ ଅନ୍ଧ୍ର ପ୍ରଦେଶରେ ଏବଂ 6.3 ପ୍ରତିଶତ ମଧ୍ୟପ୍ରଦେଶର ରେକର୍ଡ କରାଯାଇଛି ।

Related Posts