ଡେଟିଂ କରି ଫସିଲେ ଯୁବକ

ଯୁବକଙ୍କୁ ମହଙ୍ଗା ପଡ଼ିଲା ଡେଟିଂ । ଟିଣ୍ଡର ଆପରେ ଡେଟିଂ କରି ଯୁବତୀଙ୍କ ସହ ସମ୍ପର୍କ ରଖି ଫସିଲେ ଯୁବକ । । ନିଜକୁ ଘରୋଇ ବ୍ୟାଙ୍କର କର୍ମଚାରୀ କହୁଥିବା ଯୁବକ ଡେଟିଂ କରିବା ପରେ ଯୁବତୀ ଓ ତାଙ୍କ ସହଯୋଗୀ ତାଙ୍କୁ ଅପହରଣ କରି ତାଙ୍କ ନିକଟରେ ଥିବା ଟଙ୍କା ଲୁଟି ନେଇଥିଲେ । ପରେ ଉଭୟଙ୍କ ଅନ୍ତରଙ୍ଗ ଭିଡିଓକୁ ନେଇ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ମାଗିଥିଲେ ଯୁବକ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଯୁବକ । ଚନ୍ଦ୍ରଶେଖରପୁର ଥାନା ପୋଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ଯୁବତୀ ଓ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ଜେରା ଚଳାଇଛି ।

ଭାରି ପଡିଲା ଡେଟିଂ ଆପରେ ଯୁବତୀଙ୍କ ସହ ସମ୍ପର୍କ । ଯୁବକଙ୍କୁ ଅପହରଣ ପରେ ଟଙ୍କା ଲୁଟି ନେଲେ ଯୁବତୀଙ୍କ ସହଯୋଗୀ । ଏଭଳି ଅଭିଯୋଗ କରିଛନ୍ତି ଘରୋଇ ବ୍ୟାଙ୍କରେ ବିଜନେସ୍ ଡେଭେଲପମେଣ୍ଟ ମ୍ୟାନେଜର ଭାବେ କାମ କରୁଥିବା ସୁନୀଲ ପ୍ରସାଦ ମିଶ୍ର । କିଛି ଦିନ ତଳେ ଡେଟିଂ ଆପରେ ସମ୍ପୃକ୍ତ ଯୁବତୀଙ୍କ ସହ ସମ୍ପର୍କ ହୋଇଥିଲା । ଉଭୟଙ୍କ ସହମତିରେ ଦୁହେଁ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଦୁହେଁ ମଦ୍ୟପାନ ମଧ୍ୟ କରିବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ମଧ୍ୟ ସୁଟ୍‌ କରିଥିଲେ । ୨୪ ଘଣ୍ଟା ଧରି ଉଭୟ ଏକା ସହ ରହିଥିଲେ ।  ଦିନକ ପରେ ଯୁବତୀ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନ ଥିବାରୁ ହସ୍ପିଟାଲ ଯିବାକୁ କହିଥିଲେ । ଯୁବକ ତାଙ୍କୁ ହସ୍ପିଟାଲ ନେବା ବେଳେ ବାଟରେ ଯୁବତୀଙ୍କ କିଛି ସହଯୋଗୀ ତାଙ୍କୁ ଅପହରଣ କରିବା ସହ ତାଙ୍କୁ ଗୋଟିଏ ଘରେ ବନ୍ଦ କରି ରଖିଥିଲେ । ପରେ ତାଙ୍କ ପାଖରେ ଥିବା ଏଟିଏମ, କ୍ରେଡିଟ କାର୍ଡରୁ ସପିଂ କରିଥିବା ଅଭିଯୋଗ କରିଛନ୍ତି ଯୁବକ ।

ଯୁବକଙ୍କ ଅଭିଯୋଗ ପରେ ସମ୍ପୃକ୍ତ ଯୁବତୀ ଓ ତାଙ୍କ ସହଯୋଗୀଙ୍କୁ ଆଣି ଜେରା କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ସେପଟେ ଯୁବକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବତୀ ଓ ତାଙ୍କ ସହଯୋଗୀ । ଯୁବତୀଙ୍କ ସହ ଯୁବକ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ ନିଶା ଦେଇ ବିନା ଅନୁମତିରେ ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ସୁଟ୍‌ କରିଥିବା ପାଲଟା ଅଭିଯୋଗ କରିଛନ୍ତି ଯୁବତୀ । ଯୁବତୀ ଜଣକ ଏ ନେଇ ତାଙ୍କ ଭାଇଙ୍କ ସାଙ୍ଗଙ୍କୁ ଅବଗତ କରିବା ପରେ ସେମାନେ ତାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ ଅଟକ ରଖିଥିଲେ ବୋଲି କହିଛନ୍ତି ତାଙ୍କ ସହଯୋଗୀ ।

ଗୋଟାଏ ପଟେ ଯୁବକଙ୍କ ଅଭିଯୋଗ ଅନ୍ୟପଟେ ଏହାକୁ ଯୁବତୀଙ୍କ ଖଣ୍ଡନ । ଯାହାକୁ ନେଇ ପୋଲିସ ଆରମ୍ଭ କରିଛି ତନାଘନା । ସେମାନଙ୍କ ମୋବାଇଲ ଜବତ କରି ସେଥିରୁ ଡିଲିଟ ହୋଇଥିବା ସମସ୍ତ ଡାଟା ବାହାର କରିବାକୁ ଚେଷ୍ଟା ଚଳାଇଛି ପୋଲିସ  । ଏଭଳି ଘଟଣା ପଦାକୁ ଆସିବା ପରେ ଡେଟିଂ ଆପ ନାଁରେ କିଛି ଗ୍ୟାଙ୍ଗ ସମ୍ପୃକ୍ତ ରହିଥିବା ସନ୍ଦେହ କରୁଛି ପୋଲିସ ।

Related Posts