ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷା ଫଳ। ଅଣ୍ଡର ଗ୍ରାଜୁଏଟ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ପରୀକ୍ଷା ଫଳ ପ୍ରକାଶ ପାଇଛି । ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ଵାରା ଘୋଷିତ ପରୀକ୍ଷା ଫଳ ଅନୁଯାୟୀ ଓଡ଼ିଶାର ସୋମଦତ୍ତ ନାୟକ ରାଜ୍ୟ ଟପ୍ପର ହୋଇଛନ୍ତି । ସେହିପରି ରାଜସ୍ଥାନର ତନିସ୍କା ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ସୋମଦତ୍ତ ନାୟକ 99.99 ସ୍କୋର ରଖି ଓଡ଼ିଶାରୁ ଆଗରେ ରହିଥିବା ବେଳେ ସର୍ବ ଭାରତୀୟ ରାକିଂରେ 39ରେ ରହିଛନ୍ତି ।

ଚଳିତ ବର୍ଷ 18 ଲକ୍ଷରୁ ଅଧିକ ମେଡିକାଲ ଆଶାୟୀ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଓଡ଼ିଶା ଭାଷାରେ 822 ଜଣ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ। ଅନ୍ୟପଟେ ଓଡ଼ିଶାରୁ 44 ହଜାର 947 ଜଣ ପରୀକ୍ଷା ଦେବା ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କର ମଧ୍ୟରୁ 43 ହଜାର 80 ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ 26 ହଜାର 279 ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଦେଶରେ 10 ଜଣ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ 2ଜଣ ସ୍ଥାନ ପାଇଛନ୍ତି । ଦ୍ବିତୀୟ ସ୍ଥାନରେ ପ୍ରିତମ ଗୋଚ୍ଛାୟତ ଓ 5 ସ୍ଥାନରେ ଚନ୍ଦନ ଦାସ ରହିଛନ୍ତି ।

ପ୍ରକାଶିତ ନିଟ୍ ୟୁଜି ପରୀକ୍ଷାରେ ରାଜସ୍ଥାନରେ ତନିସ୍କା ଟପ୍ପର ହୋଇଛନ୍ତି । ଦିଲ୍ଲୀର ବତ୍ସା ଆଶିଷ ବାତ୍ରା ଦ୍ବିତୀୟ, କର୍ଣ୍ଣାଟକର ହୃଷୀକେଷ ନାଗଭୂଷଣ ଗାଙ୍ଗୁଲେ ଓ ରୁଚା ପାୱାସେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିଗ୍ରହଣ କରିଛନ୍ତି । ମୋଟ 720 ନମ୍ବରରୁ ଏମାନେ 715 ଲେଖାଏ ମାର୍କ ରଖିଛନ୍ତି । ଟାଇବ୍ରେକର ପଦ୍ଧତ୍ତି ଆଧାରରେ ତନିସ୍କାଙ୍କୁ ପ୍ରଥମ ସ୍ଥାନ ମିଳିଛି । ତନିସ୍କା ଓବିସି ଓ ମହିଳା ବର୍ଗର ପରୀକ୍ଷାର୍ଥୀ । 9 ଜଣ ପିଲା ମୋଟ ନମ୍ବରରୁ 710 ଲେଖାଏଁ ରଖିଛନ୍ତି । ଶ୍ରେଷ୍ଠ 20 ଜଣଙ୍କ ମଧ୍ୟରୁ କର୍ଣ୍ଣାଟକର 6 ଜଣ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟରୁ 2 ଜଣ ଲେଖାଏଁ ରାଜସ୍ଥାନ, ତେଲେଙ୍ଗାନା, ପଞ୍ଜାବ, ଜମ୍ମୁ ଓ କଶ୍ମୀରରୁ ଜଣେ ଲେଖାଏଁ ରହିଛନ୍ତି । ଟପ 50 ରାଙ୍କ ଭିତରେ 18 ଜଣ ଛାତ୍ରୀ ରହିଛନ୍ତି । ବାକି 32 ଛାତ୍ର 50 ରାଙ୍କ ଭିତରେ ରହିଛନ୍ତି ।
ଚଳିତ ବର୍ଷ ଜୁଲାଇ 17ରେ ପରୀକ୍ଷା ହୋଇଥିଲା । 7,93,545 ଜଣ ଛାତ୍ରଙ୍କ ମଧ୍ୟରୁ 4,29,160 ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ 10, 01,015 ଛାତ୍ରୀଙ୍କ ମଧ୍ୟରୁ 5,63,902 ଜଣ କୃତକାର୍ଯ୍ୟ ହୋଇଛନ୍ତି। ଦେଶରେ 497ଟି ସହର ଓ ବାହାରେ 14ଟି ସହରରେ 3,570 ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।

Related Posts