ଆସିଲା ନୂଆ ବିଲ୍; ଆଉ ବିକ୍ରି ହେବନି ଚାକିରୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସିଲା ନୂଆ ବିଲ୍, ଆଉ ବିକ୍ରି ହେବନି ଚାକିରୀ ଆଜି ବିଧାନସଭାରେ ଏଭଳି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ଆଜି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪ ଆଗତ କରିବା ସହ, ଏହି ଆଇନ ଆସିବାର ଆବଶ୍ୟକ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ବିଲର ଧାରା ୧୨(୧)ରେ ପରୀକ୍ଷାରେ ଅନିୟମିତତା ହେଲେ ଅପରାଧୀ ଜେଲ ଯିବା ସହ ଜୋରିମାନା ଦେବେ । ଧାରା ୧୨(୨) ଅନୁଯାୟୀ ତାଙ୍କ ଅନୁଷ୍ଠାନକୁ ବାତିଲ କରିବା ସହ ତାହାକୁ ଜବତ କରାଯିବ ।

ଏହି ବିଲ ଆଗତ ସମୟରେ ପୁର୍ବ ସରକାରରେ ହୋଇଥିବା ନିଯୁକ୍ତି ଅନିୟମିତତାକୁ ନେଇ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ | କହିଛନ୍ତି, “ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଏହି ଲିଗାସିକୁ ଭାଙ୍ଗିବାକୁ ପଡ଼ିବ। ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ବାରମ୍ବାର ହାତୁଡ଼ି ମାରୁଥିଲା। ଯାହାର ପ୍ରତିଫଳନ ୨୦୨୪ରେ ଓଡ଼ିଶାବାସୀ ଦେଖାଇଛନ୍ତି। ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା, ଦୁର୍ନୀତିରେ ଭରି ରହିଥିଲା। ନିଯୁକ୍ତିକୁ ପୂର୍ବ ସରକାର ସାଧାରଣ ଭାବେ ନେଉଥିଲେ। ଯେଉଁ ଅଧିକାରୀ ଦାୟିତ୍ୱରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ରାକେଟରେ ସଂପୃକ୍ତ ରହୁଥିଲେ”, ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଖୋଦ୍ ସଚିବାଳୟରେ ନିଯୁକ୍ତିରେ ବଡ ଚଞ୍ଚକତା ହୋଇଛି। ଏଏସଓ ନିଯୁକ୍ତିରେ ହୁଣ୍ଡା ମୂଲ୍ୟରେ ଡାକି ନିଯୁକ୍ତି ଦେଇଥିଲେ ପୂର୍ବ ସରକାର । ସରକାରଙ୍କ ନାକ ତଳେ ସବୁକିଛି ହେଉଥିଲେ ବି, ପୂର୍ବ ସରକାର କାହିଁକି ଚୁପ୍ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ଦୁର୍ନୀତଖୋରଙ୍କୁ ଚେତାବନୀ ଦେଇ ସେ କହିଛନ୍ତି, ସୁଧୁରି ଯାଅ ନଚେତ୍ ଆମେ ସୁଧାରି ଦେବୁ । ସ୍ୱଚ୍ଛତା ଓ ସାଧୁତା ଆମ ସରକାର ଦାୟିତ୍ଵ। ଯାହା ପ୍ରତିଶ୍ରୁତି ଦେଇଛୁ ତାହା କରିଦେଖାଇବୁ। ପୂର୍ବ ସରକାର ଆଉଟ୍ ସୋର୍ସରେ ରହିଯାଇଥିଲେ। ଆମ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିଲେ । ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ହେବ ଏବଂ ସମସ୍ତ ଖାଲି ପଦବୀ ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ପରେ କାଉଣ୍ଟର ଆଟାକ୍ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯେଉଁ ସବୁ ଅଭିଯୋଗ ପୂର୍ବ ସରକାରଙ୍କ ବିରୋଧରେ ଆଣିଛନ୍ତି, ସେ ନେଇ ତଦନ୍ତ କରି ସରକାର ଦଣ୍ଡ ଦିଅନ୍ତୁ। ଏ ଆଇନ ନୂଆ ନୁହେଁ । କେନ୍ଦ୍ର ସରକାର ଆଣିଛନ୍ତି, ଏ ସରକାର ତାକୁ କପି ପେଷ୍ଟ କରୁଛି ବୋଲି କହିଛନ୍ତି ରାଜା ସ୍ୱାଇଁ । ତେବେ ନିଟ୍ ପ୍ରଶ୍ନପତ୍ର ଭାଇରାଲ କାହିଁକି ହେଉଛି, ଆଉ ଏନେଇ ପ୍ରଧାନମନ୍ତ୍ରୀଙ୍କ ମୁହଁ କାହିଁକି ବନ୍ଦ ବୋଲି କହିବା ସହ, ଓଲଟା ସରକାରୀ ଦଳକୁ ଘେରିଛନ୍ତି ରାଜା । ତେବେ ଯିଏ ବି ଦୋଷ କରୁ, ତାହା ପାଇ ଦୋଷ ଅଛି । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଧ୍ୟାନକୁ ନିଆଯାଉ ବୋଲି ଦାବି କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

Related Posts