ଆଡିଲେଡ୍‌ରେ ବି ପୂଜାରା ଦୃଢ଼, ଦ୍ବିତୀୟ ଇନିଂସ୍‌ରେ ଭାରତ 151/3

ଆଡିଲେଡରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷସୁଦ୍ଧା ଭାରତ ନିଜ ଦ୍ବିତୀୟ ଇନିଂସ୍‌ରେ ତିନି ୱିକେଟ ହରାଇ କରିଛି ୧୫୧ ରନ୍‌ । ଏଥିସହ ଘରୋଇ ଦଳଠାରୁ ୧୬୬ ରନ୍‌ରେ ଆଗୁଆ ରହିଛି ଭାରତ ।

ପ୍ରଥମ ଇନିଂସ୍‌ରେ ବିଫଳ ହୋଇଥିବା ଦୁଇ ଭାରତୀୟ ଓପନର ଅର୍ଧଶତକୀୟ ଭାଗିଦାରୀ କରିଛନ୍ତି । ଲୋକେଶ ରାହୁଲ ୪୪ ଓ ମୁରଲୀ ବିଜୟ ୧୮ ରନ୍‌ କରିବା ସହ ପ୍ରଥମ ୱିକେଟ୍‌ ପାଇଁ 67 ରନ୍‌ ଯୋଗ କରିଥିଲେ । ସେମାନଙ୍କ ପରେ ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ କୋହଲି ୩୪ ରନ୍‌ ଆଉଟ୍‌ ହୋଇଛନ୍ତି ।

ଅନ୍ୟପଟେ ଚେତେଶ୍ବର ପୂଜାରା କିନ୍ତୁ ପ୍ରଥମ ଇନିଂସ୍‌ ଭଳି ଦୃଢ଼ ବ୍ୟାଟିଂ କରୁଛନ୍ତି । ତୃତୀୟ ଦିନ ଷ୍ଟମ୍ପସ ବେଳକୁ ପୂଜାରା 40 ରନ୍‌ ଓ ଆଜିଙ୍କ୍ୟ ରାହାଣେ 1 ରନ୍‌ କରି ବ୍ୟାଟିଂ କରୁଥିଲେ ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୨୩୫ରନରେ ଅଲଆଉଟ୍‌ ହୋଇଯାଇଥିଲା । ଫଳରେ ଭାରତ ପ୍ରଥମ ଇନିଂସ୍‌ରେ ୧୫ ରନରେ ଆଗୁଆ ରହିଥିଲା । ଭାରତ ପକ୍ଷରୁ ଜସପ୍ରିତ ବୁମରା ଓ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ଲେଖାଏଁ ଏବଂ ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ । ପ୍ରଥମ ଇନିଂସ୍‌ରେ ଭାରତ 250 ରନ୍‌ ସଂଗ୍ରହ କରିଥିଲା ।

Related Posts