ସରିଲା ନିର୍ବାଚନ, ବଦଳିଲା ନାରା : ଏବେ କାମ କମ୍ ପ୍ରଚାର ଅଧିକ

ସତ୍ୟପାଠ ବ୍ୟୁରୋ : ପୂର୍ବରୁ ନାରା ଥିଲା କଥା କମ୍ କାମ ଅଧିକ । ହେଲେ ଏବେ ଏହି ନାରା ବଦଳି ଯାଇଛି । ଏବେର ନାରା ହେଉଛି କାମ କମ୍ ପ୍ରଚାର ଅଧିକ । ପଂଚମ ଥର ପାଇଁ ଶାସନ ଗାଦିରେ ବସିବା ପରେ ବିଜୁ ଜନତା ଦଳର ନାରା ବଦଳି କିଛି ଏମିତି ହୋଇଥିବା ଚର୍ଚ୍ଚା ହେଉଛି । କାହାର ନାଁ ବଦଳିବ, କିଏ କେମିତି ଜୀବନ ଜିଇଁବ ତାହାରି ଉପରେ ଫୋକସ୍ । ଯାହା ହେଉ ନା କାହିଁକି, ପବ୍ଲିସିଟି ଷ୍ଟଣ୍ଟ ପାଇଁ ମନ୍ତ୍ରୀ ସଚିବଙ୍କ ପଛେ ପଛେ କ୍ୟାମେରାମ୍ୟାନ ଟିଏ ବୁଲୁଥିବ । କିଛି ନହେଲେ ପିଏସଓ ମୋବାଇଲରେ ଫଟୋ ଉଠାଇ ଗଣମାଧ୍ୟମକୁ ପଠାଇବାରେ ଆଦୌ ହେଳା କରାଯାଉନି ।

ପାଠକଙ୍କର ମନେ ଥିବ ନିର୍ବାଚନ ପରେ ମନ୍ତ୍ରୀ ପଦ ପାଇଥିବା କିଛି ନୂଆ ମନ୍ତ୍ରୀ କିପରି ଅଚାନକ ବିଭିନ୍ନ ସ୍ଥାନକୁ ଗସ୍ତ କରିଥିଲେ ! ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ପହଂଚି ଯାଉଥିଲେ । ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଣ୍ଡଗିରି ଥାନାରେ ଆକସ୍ମିକ ଭାବେ ପହଂଚିଥିଲେ । ନବ ଦାସ କ୍ୟାପିଟାଲ ହସପିଟାଲରେ ଆଉ ଶ୍ରମ ସଚିବ ଅନୁ ଗର୍ଗ ସମାନ ଢ଼ଙ୍ଗରେ ଦିନ ମଜୁରିଆଙ୍କ ହାଟରେ ପହଂଚି ଯାଇଥିଲେ ।

ଆଉ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଚୌଦାର କଲେଜ ପରିଦର୍ଶନରେ ଯାଇଛନ୍ତି । ଅବଶ୍ୟ ଏହା ନିଶ୍ଚିତ ଭାବେ ଭଲକଥା । ଜଣେ ମନ୍ତ୍ରୀ ବା ସଚିବ ଯଦି ଆକସ୍ମିକ ବା ଅଚାନକ ଭାବରେ କେଉଁ ଅଫିସ୍ ବା କାହା ପାଖରେ ପହଂଚିବେ ତେବେ ପ୍ରକୃତ ସମସ୍ୟା ଓ ଘଟଣା ଜଣାପଡିବ ।

କିନ୍ତୁ ଏହି ସବୁ କ୍ଷେତ୍ରରେ ଆକସ୍ମିକ କମ୍ ବରଂ ପବ୍ଲିସିଟି ଅଧିକ ଭଳି ଲାଗିଲା । ଏହାର କାରଣ ହେଉଛି, ଯାହା ହଠାତ ହୁଏ ତାହା ବାବଦରେ କେହି ଜାଣନ୍ତି ନାହିଁ କିନ୍ତୁ ଅନେକ ସ୍ଥାନରେ ମନ୍ତ୍ରୀ ଓ ସଚିବଙ୍କ ଗସ୍ତ ପୂର୍ବରୁ ସଂପୃକ୍ତ ଅଧିକାରୀ ଖବର ପାଇ ଫୁଲତୋଡା ଧରି ଗେଟ ପାଖରେ ରହିଥିବାର ଦୃଶ୍ୟ ବି ଦେଖିବାକୁ ମିଳିଛି । ଏପରିକି ସ୍ୱାଗତରେ କୌଣସି ଅବହେଳା ବି କରାଯାଇନି । ଆଉ ଏ ସବୁକୁ ଅତିକ୍ରମ କରିଯାଇଛି ଫଟୋ ଉଠା ଷ୍ଟଣ୍ଟ । ମନ୍ତ୍ରୀ ସଚିବଙ୍କ ହଠାତିଆ ପହଂଚିବା ଖବର ବି ଗଣମାଧ୍ୟମ ପ୍ରତିନିଧି ଆଗୁଆ କେମିତି ଜାଣୁଥିଲେ ତାହା ବୁଝିବା କଷ୍ଟକର । ସିକୁଏନ୍ସ ଅନୁସାରେ ଫଟୋ ଆଉ ଭିଜୁଆଲ ନେବାରେ କୌଣସି ବାଧାବିଘ୍ନ ନଥିଲା । ତା ସାଙ୍ଗକୁ ଗସ୍ତ ପରଦିନ ଖବରକାଗଜରେ ସେଇ ହଠାତିଆ ଗସ୍ତର ଖବର ବି ସଚିତ୍ର ପ୍ରକାଶ ପାଉଥିଲା ।

ଏବେ କଥା ଉଠିଛି, ଯଦି ଏ ଗସ୍ତ ସବୁ ହଠାତ ଓ ଆକସ୍ମିକ ହୋଇଥାଏ ତେବେ ଗଣମାଧ୍ୟମକୁ କିଏ ଖବର ଦେଉଛି ? ସ୍ୱାଗତର ବ୍ୟବସ୍ଥା କିଏ କରାଉଛି ? ପୁରାଣ କୁହେ ରାମଚନ୍ଦ୍ରଙ୍କ ଭଳି ରାଜା ମହାରାଜା ମାନେ ରାଜ୍ୟର ଓ ପ୍ରଜାର ଅବସ୍ଥା ଜାଣିବାକୁ ବେଶ ବଦଳାଇ ଅନ୍ଧାରୀ ବିଜେ କରୁଥିଲେ । ଫଳରେ ତାଙ୍କୁ କେହି ଚିହ୍ନୁ ନଥିଲେ ଓ ପ୍ରଜାର ହାଲ ଜଣାପଡୁଥିଲା । ଏବେ ବେଶ ବଦଳାଇ ଗଂଜାମର ଜଣେ ବ୍ଲକ ଶିକ୍ଷା ଅଧିକାରୀ ଲୋକଙ୍କ ରୋଷର ଶୀକାର ହୋଇଥିଲେ । ତେଣୁ ବେଶ ବଦଳାଇବା ଦରକାର ନଥିଲେ ବି ଆକସ୍ମିକ ଗସ୍ତକୁ ଆକସ୍ମିକ ଭାବେ ରଖିବାରେ ସମସ୍ୟା କେଉଁଠି ?

ନୂଆ ସରକାର ଆସିବା ପରେ କେବେ ସଦନର ନାଁ ବଦଳିଛି ପୁଣି କେବେ ଯୋଜନାର ନାଁ । ନୂଆ ସରକାରର ନୂଆ କାମ ରାଜ୍ୟବାସୀ ଏଯାଏ ଦେଖି ପାରିଲେନି । କିନ୍ତୁ ଏହି ଭଳି ଗସ୍ତ ଯୋଜନା ଆରମ୍ଭ କରି ସରକାର ଲୋକଙ୍କ ପାଖରୁ ପଜିଟିଭ୍ ରେସପନ୍ସ ନେବାକୁ ଉଦ୍ୟମ କରୁଥିବା କୁହାଯାଉଛି । ମନ୍ତ୍ରୀମାନଙ୍କ ଏମିତି କାର୍ଯ୍ୟକଳାପରେ ଲୋକେ ଖୁସି ହୋଇ ଭଲ ସରକାର, ଭଲ ମନ୍ତ୍ରୀ ବୋଲି କହୁଥିବେ ଆଉ ଏପଟେ କାମ ହେଉ ନଥିବ । ଲୋକ ବି କାମ ଅପେକ୍ଷା ପ୍ରଚାରକୁ ବେଶୀ ପସନ୍ଦ କରନ୍ତି ବୋଲି ନେତାଏ ବୁଝିଗଲେଣି ।

Related Posts