ମିଛ କହୁଛନ୍ତି ମନ୍ତ୍ରୀ, FIRରେ ମିଛ ଲେଖିବାକୁ ପୋଲିସ ଧମକ ଦେଇଥିଲା: ସଦାନନ୍ଦ

(ସତ୍ୟପାଠ ବ୍ୟୁରୋ) : ଧର୍ମଶାଳା VLW ସ୍ମିତାରାଣୀଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ଗତକାଲି କମ୍ପିଛି ବିଧାନସଭା । ୟା ଭିତରେ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ବାଳଙ୍କ ଚାଞ୍ଚଲ୍ୟକର ବୟାନ ଘଟଣାକୁ ନୂଆ ମୋଡ଼ ଦେଇଛି । ମୋ ଝିଅ ଆତ୍ମହତ୍ୟା କରିନି ତାକୁ ମାରିକି ଟାଙ୍ଗି ଦିଆଯାଇଥିଲା । ଜଣେ ପୋଲିସ ବାବୁ ମୋତେ FIRରେ ଝିଅ ଆତ୍ମହତ୍ୟା କରିଛି ବୋଲି ଲେଖିବାକୁ କହିଥିଲେ । ତାଙ୍କ ପାଖରେ କଳ ବଳ ଥିବାରୁ ଯାହା ଚାହିଁବେ ତାହା କରିଦେବେ ବୋଲି କହିଛନ୍ତି ସଦାନନ୍ଦ । ଏପରିକି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଜାଣିଶୁଣି ବଦଳାଯାଇଥିବା ଅଭିଯୋଗ କରିଛନ୍ତି ସଦାନନ୍ଦ । ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ନେଇ ଗତକାଲି ବିଧାନସଭାରେ ରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଉତ୍ତର ପରେ ଏଭଳି କ୍ଷୋଭ ଭରା ପ୍ରତିକ୍ରିୟା ଦେଇଛନ୍ତି ଉଭୟ ସ୍ମିତାରାଣୀଙ୍କ ବାପା ଏବଂ ତାଙ୍କ ଶ୍ବଶୁର । ମନ୍ତ୍ରୀଙ୍କ ଉତ୍ତର ଏବଂ ପୋଲିସର ତଦନ୍ତ ପ୍ରକ୍ରିୟାରେ ସଦାନନ୍ଦ ଖୁସି ନଥିବା କହିଛନ୍ତି । ଯଦି ସଦାନନ୍ଦଙ୍କ ଅଭିଯୋଗ ସତ୍ୟ ହୁଏ ତେବେ କଥା ଭାରି ସାଙ୍ଘାତିକ । କାରଣ ଆଇନ କହୁଛି ଯଦି ପୋଲିସ ଅଧିକାରୀ ଘଟଣାକୁ ଚପାଇବାକୁ ମୃତକଙ୍କ ପିତାକୁ ଜୋରଜବରଦସ୍ତ ଭାବେ FIRରେ ମିଛ ଲେଖିବାକୁ ବାଧ୍ୟ କରିଛନ୍ତି ତେବେ ତାଙ୍କ ବିରୋଧରେ ଆଇପିସି ଧାରା 218 ଆଧାରରେ ଆପରାଧିକ ମାମଲା ରୁଜୁ ହେବ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏ ଘଟଣାରେ ପୋଲିସ ଯେଉଁ FIR କରିଛି ତାହା ଭୂପେଶଙ୍କ କହିବା ଅନୁଯାୟୀ ହୋଇଛି । ଭୂପେଶ ଯଦି ପ୍ରଥମେ କହିଲେ ଯେ ସ୍ବିତାରାଣୀ ଆତ୍ମହତ୍ୟା କରିଛି ପୋଲିସ କାହିଁକି ବିନା ତଦନ୍ତରେ ଆତ୍ମହତ୍ୟା ବୋଲି 306ରେ FIR କଲା । ଏହା ସୁବୁଠୁ ଏବେ ବଡ଼ ପ୍ରଶ୍ନ ।

ଯଦି ସ୍ମିତାରାଣୀ ଆତ୍ମହତ୍ୟା କଲେ ତେବେ ଭୂପେଶ କାହିଁକି ପୋଲିସକୁ ପ୍ରଥମେ ଫୋନ ନକରି ତାଙ୍କୁ ମେଡିକାଲ ଆଣିଥିଲେ ?

ମେଡିକାଲରେ ଡାକ୍ତର ଯେତେବେଳେ ସ୍ମିତାରାଣୀଙ୍କୁ ମୃତ ବୋଲି କହିଲେ ରୂପେଶ ପୋଲିସକୁ କାହିଁକି ଜଣାଇଲେ ନାହିଁ ?

ଘଟଣା ଦିନ ଏକା ସଙ୍ଗରେ ରଙ୍ଗଶାଳା ଏବଂ ମେଡିକାଲର ସିସିଟିଭି ବନ୍ଦ ରହିବା ପଛର କାରଣ କ’ଣ  ?

ଏହାଠାରୁ ଆହୁରି ସାଙ୍ଘାତିକ ଘଟଣା ହେଉଛି ସ୍ମିତାରାଣୀଙ୍କୁ ରୂପେଶ ଭଦ୍ର ଯେଉଁ ଗାଡ଼ିରେ ମେଡିକାଲ ଆଣିଥିଲେ ସେ ଗାଡ଼ି କୁଆଡ଼େ ଗଲା ?

ଉକ୍ତ ଗାଡ଼ିର ମାଲିକ କିଏ ? ସେ ଗାଡ଼ି ଏବେ କେଉଁଠି ଅଛି ତାହା ପୋଲିସ ବାହାର କଲାଣି କି ?

କାହିଁକି ପୋଲିସ ସେହି ଗାଡ଼ି ବିଷୟରେ ଖୋଳତାଡ଼ କରୁନି ?

ଯଦି ଜଣେ ସାଧାରଣ ଲୋକର ମନରେ ଏଭଳି ପ୍ରଶ୍ନ ଆସୁଛି ଏବଂ ଏହା ଚାରିଆଡ଼େ ଆଲୋଚନା ହେଉଛି ତେବେ ପୋଲିସ ମନକୁ ଏଭଳି ପ୍ରଶ୍ନ ଆସୁନି କାହିଁକି ?

ଅର୍ଥାତ ସ୍ବିତାରାଣୀଙ୍କୁ ହତ୍ୟା କରାଯାଇଛି । ଏ ଘଟଣା ସମ୍ପର୍କରେ ନେତା, ମନ୍ତ୍ରୀ ଏବଂ ପୋଲିସ ସମସ୍ତେ ସବୁ ଜାଣି ଘଟଣାକୁ ଚପାଇବାକୁ ନୂଆ ରୂପ ଦେଇଛନ୍ତି । ଏପରିକି ସ୍ମିତାରାଣୀଙ୍କ ଚରିତ୍ର ସଂହାର କରିବାକୁ ବି ପୋଲିସ ପଛାଇନି । ଯାହାକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେପି ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ CBI କିମ୍ବା SIT ତଦନ୍ତ ଦାବି କରିଛି କଂଗ୍ରେସ ।

Related Posts