ଖନ୍ତାପଡ଼ା ଫାଲକନ ମେରାଇନରେ ଗ୍ୟାସ୍‌ ଲିକ୍: ୧୦୦ରୁ ଅଧିକ ଅସୁସ୍ଥ

ବାଲେଶ୍ବର: ଖନ୍ତାପଡ଼ା ଫାଲକନ ମେରାଇନରେ ବିଷାକ୍ତ ଗ୍ୟାସ ଲିକ ହୋଇ ୧୦୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି । କମ୍ପାନି ପକ୍ଷରୁ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଗତକାଲି ରୁମରେ ଧୁଆଁ ଭର୍ତ୍ତି ହେବା ପରେ ଆଖି ପୋଡ଼ିବା ଆରମ୍ଭ ହୋଇଥିଲା । ଏନେଇ କର୍ତ୍ତୃପକ୍ଷଙ୍କୁ ଯେତେବେଳେ ଜଣାଇଥିଲୁ ସେତେବେଳେ ସେମାନେ ଆମ କଥାକୁ ଧ୍ୟାନ ନଦେଇ କାମ କରିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ କରିଛନ୍ତି କର୍ମଚାରୀ । ଏହି ଘଟଣାରେ ମ୍ୟାନେଜର ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖନ୍ତାପଡ଼ା ପୋଲିସ ।


ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ 9 ଟାରେ ବିଷାକ୍ତ ଗ୍ୟାସ ଲିକ ହେବାରୁ 100 ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ପ୍ରଥେମ ଖନ୍ତାପଡ଼ା ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ପରିସ୍ଥିତି ଅସମ୍ଭାଳ ହେବାରୁ ତୁରନ୍ତ ସ୍ୱତନ୍ତ୍ର ମେଡିକାଲ ଟିମ ଗଠନ କରାଯାଇଥିଲା । ସିଡିଏମଓ , ଜିଲ୍ଲାପାଳ, ଏସ୍ପି ଓ ଆଇଜି ଘଟଣା ସ୍ଥଳରେ ପହଁଞ୍ଚି ଥିଲେ । ସମସ୍ତଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ରାତିରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ମେଡିକାଲରେ ପହଁଚି କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହା ସହ ନାବାଳକଙ୍କୁ କାମରେ ଲଗାଇବା ଘଟଣାରେ ଲେବର କମିଶନର କି ନିର୍ଦେଶ ଦେଇଛନ୍ତି ତାହାର ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ ।

ସେପଟେ କାଲି ରାତିରେ ପୁରା ମେରାଇନକୁ ପୋଲିସ ସିଲ୍‌ କରିଥିଲା । ଆଜି ଫାଲକନ ଭିତରୁ ସ୍ୟାମ୍ପୁଲ ସଂଗ୍ରହ କରିଛି ସାଇଣ୍ଟିଫିକ ଟିମ୍ । ଟିମ୍‌ର ରିପୋର୍ଟ ଦାଖଲ ପରେ ପରବର୍ତ୍ତୀ ଆକ୍ସନ ନିଆଯିବ ଓ କେଉଁ କାରଣରୁ କର୍ମଚାରୀ ଅସୁସ୍ଥ ହେଲେ ସେନେଇ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ଏସ୍‌ପି କହିଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଦୂଷଣ ଅଧିକାରୀ ଅମୋନିଆ ଗ୍ୟାସର ଗନ୍ଧ ବାହାରୁଥିବା କହିଥିବା ବେଳେ ଫାଲକନ କତ୍ତୃପକ୍ଷ ଅବହେଳାକୁ ଅସ୍ବୀକାର କରିଛନ୍ତି ଜିଲ୍ଲାପାଳ ।

ସେପଟେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ପ୍ରତିକ୍ରିୟାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ତଦନ୍ତ ନହେଉଣୁ ଏତେ ତରଭରିଆ ଭାବେ ଫାଲକନ ସପକ୍ଷରେ ଜିଲ୍ଲାପାଳଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ଏପରିକି ଯଦି ସମ୍‌ ହସ୍ପିଟାଲ ଘଟଣାରେ ମାଲିକଙ୍କୁ ଗିରଫ କରାଯାଇପାରୁଛି ତେବେ ଫାଲକନ କ୍ଷେତ୍ରରେ ମ୍ୟାନଜରଙ୍କ ଗିରଫଦାରୀ ପାଖରେ କାହିଁକି ପ୍ରଶାସନ ଅଟକି ଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।

 

Related Posts