ରାଜ୍ୟରେ ଜାରି ହେଲା ନୂଆ ଅବକାରୀ ନୀତି; ଖୋଲିବନି ନୂଆ ଦୋକାନ, ବେଳାଭୂମିରେ ମଦ ବିକ୍ରିକୁ ମିଳିଲା ଅନୁମତିି

ଭୁବନେଶ୍ୱର,୩୧/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଜାରିହେଲା ନୂଆ ଅବକାରୀ ନୀତି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅଣାଯାଇଥିବା ନୂଆ ଅବକାରୀ ନୀତି ପ୍ରକାଶ ପାଇଛି । ଏଥିରେ ଆବେଦନ ଫର୍ମ ସହ ଲାଇସେନ୍ସ ଫି’ ମଧ୍ୟ ବଢ଼ିଛି । ଏହି ଆଧାରରେ ମଦର ଖୁଚୁରା ଦର ମଧ୍ୟ ବଢ଼ିବ । ତେବେ ବଡ଼ କଥା ହେଲା, ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବନି । ଏଥିପାଇଁ ଲାଇସେନ୍ସ ଦିଆଯିବନି ।ତେବେ ସହରାଞ୍ଚଳରେ ପର୍ଯ୍ୟାପ୍ତ ରୁମ୍‌ ଥିବା ତାରକା ହୋଟେଲକୁ ଠିପି ଖୋଲା ନୂଆ ମଦ ଦୋକାନ ପାଇଁ ଅନୁମତି ମିଳିପାରିବ ।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଅଣାଯାଇଥିବା ନୂଆ ନୀତିରେ ସ୍ପଷ୍ଟ ଭାବେ କୁହାଯାଇଛି, ସର୍ବନିମ୍ନ ମଦ ଉଠାଣ କୋଟା ଟିକସ, ଆବେଦନ ଫର୍ମ ଫି’ ଏବଂ ଲାଇସେନ୍ସ ଫି’ ମୂଲ୍ୟ ବୃଦ୍ଧି କରାଯାଇଛି । ଏହାସହ ଅବକାରୀ ଶୁଳ୍କ ମଧ୍ୟ ବଢ଼ିଛି । ମଦ ପ୍ରସ୍ତୁତକାରୀ ୟୁନିଟ ପାଇଁ ନୂଆ ଲାଇସେନ୍ସ କିମ୍ବା ଲାଇସେନ୍ସ ନବୀକରଣ ଲାଗି ଆବେଦନ ଫର୍ମ ବାବଦକୁ ୧ ଲକ୍ଷ ୧୦ ହଜାର ଟଙ୍କା ଦାଖଲ କରିବାକୁ ପଡ଼ିବ । ପୂର୍ବ ବର୍ଷ ତୁଳନାରେ ଏହା ୧୦ ହଜାର ଟଙ୍କା ବଢ଼ିଛି । ସେହିପରି ମୋଲାସେସ (ମଦ ପ୍ରସ୍ତୁତକାରୀ ରସ) କାରବାର ପାଇଁ ନୂଆ କିମ୍ବା ନବୀକରଣ ଆବେଦନ ଫି’ ୧୦ ହଜାର ଟଙ୍କା ବୃଦ୍ଧି ପାଇଛି । ଏହା ଥିଲା ୫୦ ହଜାର ଟଙ୍କା, ଏବେ ଦେବାକୁ ପଡ଼ିବ ୬୦ ହଜାର ଟଙ୍କା । ତେବେ ନୂଆ ଠିପି ଖୋଲା ମଦ ଦୋକାନ ପାଇଁ ଆବେଦନ ଫର୍ମ ଫି’ ୨ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ପୂର୍ବ ବର୍ଷଠାରୁ ଏହା ୯୦ ହଜାର ଟଙ୍କା ବଢ଼ିଛି ।

ଠିପି ବନ୍ଦ ବିଦେଶୀ ମଦ ଦୋକାନ (ନୂଆ କିମ୍ବା ନବୀକରଣ) ଆବେଦନ ଫି’ ୧୦ ହଜାର ଟଙ୍କା ବଢ଼ି ୧ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ଆଉଟ୍‌ ଷ୍ଟିଲ୍‌ ୟୁନିଟ ଆବେଦନ ଫି’ ୧୦ ହଜାର ଟଙ୍କା ବଢ଼ି ୧ ଲକ୍ଷ ୪୦ ହଜାର ଟଙ୍କା ହୋଇଛି । ମଦ ପ୍ରସ୍ତୁତକାରୀ ୟୁନିଟର ସମ୍ପ୍ରସାରଣ କରିବାକୁ ହେଲେ ଏଣିକି ଦେଢ଼ ଲକ୍ଷ ଟଙ୍କା ଆବେଦନ ଫି’ ଦାଖଲ କରିବାକୁ ହେବ । ପୂର୍ବରୁ ଏହା ୧ ଲକ୍ଷ ୨୫ ହଜାର ଟଙ୍କା ଥିଲା । ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନର ସ୍ଥାନାନ୍ତରଣ କରିବାକୁ ଚାହୁଁଥିବା ବ୍ୟବସାୟୀଙ୍କୁ ଆବେଦନ ଫି’ ବାବଦକୁ ଅଢ଼େଇ ଲକ୍ଷ ଟଙ୍କା ଦେବାକୁ ହେବ । ପୂର୍ବାପେକ୍ଷା ଏହା ୫୦ ହଜାର ଟଙ୍କା ବଢ଼ିଛି । ଦେଶୀ ମଦ ଦୋକାନ ସ୍ଥାନାନ୍ତରଜନିତ ଆବେଦନ ଫର୍ମ ଫି’ ୭୫ ହଜାର ଟଙ୍କା ଦେବାକୁ ହେବ, ଯାହାକି ଆଗରୁ ୫୦ ହଜାର ଟଙ୍କା ଥିଲା ।

ମଦ ପ୍ରସ୍ତୁତକାରୀ ୟୁନିଟ ପାଇଁ ଲିଟର ପିଛା ଲାଇସେନ୍ସ ଫି’ ବୃଦ୍ଧି ପାଇଛି । ୫୦ ଲକ୍ଷ ବ୍ରିଟିଶ ଲିଟର ପର୍ଯ୍ୟନ୍ତ ମଦ ପ୍ରସ୍ତୁତକାରୀ ୟୁନିଟକୁ ପ୍ରତି ବ୍ରିଟିଶ ଲିଟର ପିଛା ୧ ଟଙ୍କା ୧୫ ପଇସା ଲେଖାଏଁ ଟିକସ ଦେବାକୁ ହେବ । ୫୦ ଲକ୍ଷରୁ ୧୦୦ ଲକ୍ଷ ବ୍ରିଟିଶ ଲିଟର ପର୍ଯ୍ୟନ୍ତ ୟୁନିଟକୁ ବ୍ରିଟିଶ ଲିଟର ପିଛା ୯୦ ପଇସା ଏବଂ ୧୦୦ ଲକ୍ଷ ବ୍ରିଟିଶ ଲିଟରରୁ ଅଧିକ ମଦ ଉତ୍ପାଦନକାରୀ ୟୁନିଟକୁ ଲିଟର ପିଛା ୭୦ ପଇସା ଟିକସ ଦେବାକୁ ପଡ଼ିବ ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବେଳାଭୂମିରେ ମଦ ବିକ୍ରିକୁ ଅନୁମତିି ମିଳିଛି । ବର୍ଷ ତମାମ ଏହି ସୁବିଧା ଉପଲବ୍ଧ ହେବ । ଘରୋଇ କାର୍ଯ୍ୟକ୍ରମଗୁଡ଼ିରେ ଅତିଥିଙ୍କ ପାଇଁ ମଦ ପରଷିବାକୁ ଅନୁମତି ଆଣିବା ସହ ଫି’ ଦେବାକୁ ହେବ । ପୂର୍ବାପେକ୍ଷା ଏହି ଫି’ ବଢ଼ିଛି । ଘରୋଇ କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ୨୦୦ ଲୋକଙ୍କ ପାଇଁ ୧୦ ହଜାର, ୨୦୧ରୁ ୫ଶହ ଲୋକଙ୍କ ପାଇଁ ୧୫ ହଜାର, ୫୦୧ରୁ ୧ ହଜାର ଲୋକଙ୍କ ପାଇଁ ୨୦ ହଜାର, ୧୦୦୧ରୁ ଅଧିକ ଲୋକଙ୍କ ପାଇଁ ୨୫ ହଜାର ଟଙ୍କା ଦାଖଲ କରିବାକୁ ହେବ ।

ସର୍ବନିମ୍ନ ମାସିକ ବିଅର ଉଠାଣ ସହରାଞ୍ଚଳ ପାଇଁ ୯୫୦ ବ୍ରିଟିଶ ଲିଟର ରଖାଯାଇଛି, ଯାହାକି ପୂର୍ବରୁ ୮୮୦ ବ୍ରିଟିଶ ଲିଟର ଥିଲା । ଗ୍ରାମାଞ୍ଚଳରେ ଏହା ୮୦୦ ରଖାଯାଇଥିବାବେଳେ ପୂର୍ବରୁ ଏହା ୭୧୫ ଥିଲା ।

Related Posts