ଓଡ଼ିଶାକୁ ଆସିବନି ‘ବୁଲ୍‌ବୁଲ’

ଭୁବନେଶ୍ଵର: ଓଡ଼ିଶାକୁ ଆଉ ନାହିଁ ବାତ୍ୟା ଭୟ । ‘ବୁଲ୍‌ବୁଲ’ ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସଂଧ୍ୟା 5ଟା 35ରେ ଜାରି ହୋଇଥିବା ବୁଲେଟିନ୍‌ରେ ଏହା ସ୍ପଷ୍ଟ କରାଯାଇଛି । ଯାହା ଦ୍ବାରା ରାଜ୍ୟବାସୀ ଏବେ ଟିକେ ଆଶ୍ବସ୍ତୀ ଲାଭ କରିଛନ୍ତି । ବାତ୍ୟା ଫୋନିର କରୁଣ ଚିତ୍ର ମନରୁ ନଲିଭୁଣୁ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ବାତ୍ୟା ‘ବୁଲବୁଲ’ ଓଡ଼ିଶାବାସୀଙ୍କ ଚିନ୍ତା ବଢାଇ ଦେଇଥିଲା । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ବୁଲ୍‌ବୁଲ ଏବେ ଓଡ଼ିଶା ନଜରରୁ ହଟିଛି । ବାତ୍ୟା ସଂପ୍ରତି ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଯାଉଥିବା IMD ରିପୋର୍ଟରେ ପ୍ରକାଶ ପାଇଛି ।

ପୂର୍ବରୁ ‘ବୁଲ୍‌ବୁଲ’ ପଶ୍ଚିମବଙ୍ଗ, ବାଂଲାଦେଶ ସହ ଉତ୍ତର ଓଡ଼ିଶାକୁ ପ୍ରଭାବିତ କରିପାରେ ବୋଲି ପୂର୍ବାନୁମାନ କରାଯାଇଥିଲା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପାରାଦୀପଠାରୁ ୮୦୦ କିମି ଦୂରରେ ଗଭୀର ଅବପାତରେ ପରିଣତ ହୋଇଥିବା ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଆସନ୍ତାକାଲି ସୁଦ୍ଧା ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଓ ୮ ତାରିଖରେ ବାତ୍ୟା ବା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ତେବେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ନାହିଁ । ସାମୁଦ୍ରିକ ଝଡ଼ ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତର ପଶ୍ଚିମରେ ଗତି କରିବ । ଘୁର୍ଣ୍ଣିଝଡ଼ ବୁଲବୁଲ ଅବପାତରେ ପରିଣତ ହୋଇ ସାରିଛି । ଆସନ୍ତାକାଲି ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ କିମ ରହିବ। ଅପରାହ୍ନ ସୁଦ୍ଧା ପବନର ବେଗ ୧୩୫ କିମିକୁ ବଢିବାର ସମ୍ଭାବନା ରହିଛି । ୮ ତାରିଖ ସକାଳେ ସାମୁଦ୍ରିକ ଝଡ଼ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ରୂପାନ୍ତରିତ ହେବା ସହିତ ଘଣ୍ଟାପ୍ରତି ପବନର ବେଗ ୧୩୦ ରୁ ୧୪୫ କିମି ରହିବ । ଆସନ୍ତା ୯ ତାରିଖ ବେଳକୁ ବାତ୍ୟାର ବେଗ ଆହୁରି ବଢ଼ି ଘଣ୍ଟା ପ୍ରତି ବେଗ ୧୫୦ ରୁ ୧୬୫ କିମିରେ ପହଞ୍ଚିବାର ସମ୍ଭାବନା ରହିଛି । ଏବେ ବୁଲ୍‌ବୁଲ ଘଣ୍ଟା ପ୍ରତି ୫ରୁ ୬କିମି ବେଗରେ ଗତି କରୁଛି । ତେବେ କେଉଁ ସ୍ଥାନରେ ଉପକୂଳ ଛୁଇଁବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଏପରିକି ଆଗାମୀ ୫ ଦିନ ଅର୍ଥାତ ୧୦ ତାରିଖ ଯାଏ ଏହା ଉପକୂଳ ଛୁଇଁ ନପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Related Posts