ନବବର୍ଷରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ: ପୁରୀ ବଡ଼ଦାଣ୍ଡ ଜନସମାଗମ

ଭୁବନେଶ୍ୱର: ନବବର୍ଷ-୨୦୨୦ ଅବସରରେ ଶ୍ରୀକ୍ଷେତ୍ର ପୁରୀ ସହରର ଚାରିଆଡ଼େ ଜନସମାଗମ ଦେଖାଯାଇଛି । ଆଜି ରାତି ଗୋଟାଏରେ ଶ୍ରୀମନ୍ଦିର କବାଟଗୁଡ଼ିକ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବା ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ରାତି ପାହିଲା ବେଳକୁ ଲକ୍ଷାଧିକ ଭକ୍ତ ଶ୍ରୀଜିଉମାନଙ୍କୁ ଦର୍ଶନ କରିସାରିଥିବା ବେଳେ ଆଜି ଦିନ ତମାମ ଶ୍ରୀକ୍ଷେତ୍ରରେ ଭିଡ଼ ରହିବ ବୋଲି ଅନୁମାନ କରାଯାଇଛି । ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିର ଆୟୋଜନ କରାଯାଇଛି । ସେଥିପାଇଁ ରାତି ଗୋଟାଏରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ଦର୍ଶନ ଆରମ୍ଭ ହୋଇଯାଇଥିଲା ।

ନବବର୍ଷ ଉପଲକ୍ଷେ ଚଳିତ ବର୍ଷ ଭିନ୍ନ ଢଙ୍ଗରେ ସଜାଯାଇଛି । ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ପାଇଁ ସିଂହଦ୍ୱାର ସମ୍ମୁଖରେ ଭଜନ ଓ ଜଣାଣର ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଟ୍ରାଫିକ ଗାଇଡଲାଇନ ଜାରି କରାଯାଇଛି । ଭକ୍ତମାନେ ନିଜ ଇଚ୍ଛାରେ ଗାଡ଼ିଗୁଡ଼ିକ ପାର୍କିଂ କରିପାରିବେ ନାହିଁ । ଗାଡ଼ିଗୁଡ଼ିକ ପାର୍କିଂ କରିବା ପାଇଁ ମାଳତୀପାଟପୁର, ତାଳବଣିଆ, ଇଣ୍ଡୋର ଷ୍ଟାଡିୟମ, ଆଇଟିଆଇ ପରିସର ଓ ଜଗନ୍ନାଥ ଷ୍ଟାଡିୟମରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି ମାର୍କେଟ ଛକ, ମୋଚିସାହି ଓ ନୀଳାଚଳ ଅଶୋକଠାରେ ବାଇକ ପାର୍କିଂସ୍ଥଳ କରାଯାଇଛି । ପୁରୀ ସହରକୁ ଆଜି ଭାରୀ ଯାନ ଯଥା ଟ୍ରକ ଓ ଟ୍ରାକ୍ଟର ଆଦି ପ୍ରବେଶ କରିପାରିବ ନାହିଁ । ଏଥି ପାଇଁ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହିତ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ସେଥିପାଇଁ ପୋଲିସ ନଜର ରଖିଛି । ବଡ଼ଦାଣ୍ଡ ସମେତ ପୁରୀର ବିଭିନ୍ନ ଭିଡ଼ସ୍ଥାନଗୁଡ଼ିକରେ ୬୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ପୁରୀ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ଆକଳନ କରାଯାଉଛି, ଆଜି ରାତି ପର୍ଯ୍ୟନ୍ତ ଭିଡ଼ ରହିବ ।

Related Posts