ପରିବେଶ ପ୍ରଦୂଷଣ ଜନଶୁଣାଣି ବେଳେ ଉତ୍ତେଜନା : ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଜନଶୁଣାଣି ଚାଲିଥିବା ସଭା ପାଲଟିଗଲା ରଣକ୍ଷେତ୍ର । ପରିବେଶ ପ୍ରଦୂଷଣ ସମ୍ପର୍କିତ ଶୁଣାଣି ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସଭା ସ୍ଥଳରେ ଅଧିକ ଉତ୍ତେଜନା ଦେଖାଦେବା କାରଣରୁ ଜନଶୁଣାଣିକୁ ଅଧାରୁ ବାତିଲ କରାଯାଇଛି । ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ହିଣ୍ଡଲକୋର କଙ୍କଡାଆମ୍ବ ଗାଁରେ । ମିଳିଥିବା ସୂଚନା ମୁତାବକ, ମେସର୍ସ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ମାଳି ପର୍ବତରୁ ଖଣି ଖନନ ପାଇଁ ଲିଜ୍ ଅନୁମତି ମିଳିଛି । 

ତେଣୁ ପ୍ରଦୂଷଣ ବିଭାଗ ପକ୍ଷରୁ ଆଜି ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ଏହି ସଭାରେ ୧୨ଟି ପଞ୍ଚାୟତର ପାଖାପାଖି ୭୦ଟି ଗ୍ରାମର ଗ୍ରାମବାସୀମାନେ ଏକାଠି ହୋଇ ଥିଲେ । ତେବେ ଶୁଣାଣି ଚାଲିଥିବା ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ  ଖଣି ଖନନକୁ ବିରୋଧ କରାଯାଇଥିଲା । ଖଣି ଖନନର ବିରୋଧ କରୁଥିବା ଲୋକମାନେ ସଭା ସ୍ଥଳରେ ଭଙ୍ଗାରୁଜା କରିବା ସହ ଟେଣ୍ଟକୁ ଓପାଡି ପକାଇଥିଲେ ଉତ୍ତ୍ୟକ୍ତ ଲୋକ ।  

ତେଣୁ ଜନଶୁଣାଣି ନ କରି ପ୍ରଶାସନ ଓ ଖଣି ଲିଜଧାରୀମାନେ ଫେରିଯାଇଥିଲେ । ଏହି ସମୟରେ ହିଣ୍ଡାଲକୋ କମ୍ପାନୀର ବରିଷ୍ଠ ଅଧିକାରୀ, କୋରାପୁଟ ଏଡିଏମ, ଉପଜିଲ୍ଲାପାଳ, ମୈତ୍ରୀ କମ୍ପାନୀର ବରିଷ୍ଠ କର୍ମଚାରୀ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡିଛି । ବିରୋଧୀ ଗୋଷ୍ଠୀ ଚେୟାର ଟେବୁଲ ଫିଙ୍ଗିବା ସହିତ ଶୁଣାଣି ସ୍ଥଳକୁ ମାରଣାସ୍ତ୍ର ଧରି ପଶିଥିବା ସୂଚନା ମିଳିଛି। ହିଣ୍ଡାଲକୋ କମ୍ପାନୀର ବରିଷ୍ଠ ଅଧିକାରୀ ଆହତ ହୋଇଥିବା ବେଳେ ତାଙ୍କୁ ସେମିଳିଗୁଡା ହସ୍ପିଟାଲରେ ଭର୍ତି କରାଯାଇଛି । 

ସ୍ଥିତି ଉତ୍ତେଜନା ଦେଖାଦେବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି  । ମାଳି ପର୍ବତ ସମିତି ସଭାପତି କହିଛନ୍ତି, କମ୍ପାନୀ, ସରକାରୀ ଅଧିକାରୀ ସମ୍ପୂର୍ଣ୍ଣ ଭାବେ ଚକ୍ରାନ୍ତ କରି ଆଦିବାସୀଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି। ଦିନ ୧୧ଟା ବେଳେ ଜନଶୁଣାଣି କରିବା ନିମନ୍ତେ ନୋଟିସ କରିଥିଲେ।  କିନ୍ତୁ ୨ ଘଣ୍ଟା ପୂର୍ବରୁ ୯ଟା ବେଳେ  କିଛି ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରି ଆଣି ପଲ୍ଲି ସଭା କରିଥିଲେ। ଏହାକୁ କେବେବି ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । 

Related Posts