୧୨ଟି ହାଇକୋର୍ଟରେ ନିଯୁକ୍ତି ପାଇଁ ୬୮ ବିଚାରପତିଙ୍କ ନାଁ ସୁପାରିସ : ତାଲିକାରେ ନାହିଁ ଓଡ଼ିଶା ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୧୨ଟି ହାଇକୋର୍ଟରେ ନିଯୁକ୍ତି ପାଇଁ ରେକର୍ଡ଼ ସଂଖ୍ୟକ ୬୮ ବିଚାରପତିଙ୍କ ନାଁ ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟର ତିନି ସଦସ୍ୟ ବିଶିଷ୍ଟ କଲେଜିୟମ। ଏହି ୧୨ଟି ହାଇକୋର୍ଟ ହେଉଛନ୍ତି ଆହ୍ଲାବାଦ, ରାଜସ୍ଥାନ, କୋଲ୍‌କାତା, ଝାଡ଼ଖଣ୍ଡ, ଜମ୍ମୁ ଓ କାଶ୍ମୀର, ମାଡ୍ରାସ, ମଧ୍ୟପ୍ରଦେଶ, କର୍ଣ୍ଣାଟକ,ପଞ୍ଜାବ ଓ ହରିୟାଣା, କେରଳ, ଛତିଶଗଡ଼ ଓ ଗୌହାଟି ହାଇକୋର୍ଟ । ତେବେ ଓଡ଼ିଶା ହାଇକୋର୍ଟକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇନାହିଁ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ହାଇକୋର୍ଟ ସମେତ ଦେଶର ୨୫ଟି ହାଇକୋର୍ଟରେ ୪୬୫ ବିଚାରପତି ପଦ ଏବେ ଖାଲି ପଡ଼ିଛି। ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ୧୪ଟି ବିଚାରପତି ପଦ ଖାଲି ପଡିଛି। ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ସଂଖ୍ୟା ୨୭ ହୋଇଥିଲା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୩ ଜଣ ବିଚାରପତି ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ।

ଉଲ୍ଲେଖଯୋଗ୍ୟ ଯେ , ଓଡ଼ିଶା ହାଇକୋର୍ଟ କଲିଜିୟମ୍‌ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ କରିବା ପାଇଁ ଚଳିତ ବର୍ଷ ମାର୍ଚ-ଏପ୍ରିଲରେ ୫ଜଣଙ୍କ ନାଁ ସୁପାରିସ କରିଥିଲା । ଓଡ଼ିଶା ହାଇକୋର୍ଟ କଲିଜିୟମ୍‌ ପକ୍ଷରୁ ସୁପ୍ରିମକୋର୍ଟ କଲେଜିୟମକୁ ସୁପାରିସ କରାଯାଇଥିବା ୫ ଜଣଙ୍କ ମଧ୍ୟରୁ ୩ଜଣ ଆଇନଜୀବୀ ଏବଂ ୨ଜଣ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀଙ୍କ ନାମ ରହିଥିଲା। ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧, ୨୦୨୧ ମଧ୍ୟରେ ବସିଥିବା ବୈଠକରେ ସୁପ୍ରିମକୋର୍ଟ କଲିଜିୟମ୍‌ ହାଇକୋର୍ଟ କଲିଜିୟମ ପକ୍ଷରୁ କରାଯାଇଥିବା ଏହି ସୁପାରିସକୁ କେତେ ଦୂର ବିଚାରକୁ ନେଇଛନ୍ତି ତାହାର ସୂଚନା ନାହିଁ।

ହାଇକୋର୍ଟ ବିଚାରପତି ପଦ ପାଇଁ ନାମ ସୁପାରିସ କରୁଥିବା କଲେଜିୟମରେ ପ୍ରଧାନ ବିଚାରପତିଙ୍କ ସମେତ ମୋଟ ୩ ଜଣ ସଦସ୍ୟ ରହିଥାନ୍ତି। ପ୍ରଧାନ ବିଚାରପତିଙ୍କ ସମେତ ଦୁଇଜଣ ବରିଷ୍ଠ ବିଚାରପତି କଲିଜିୟମ୍‌ ର ସଦସ୍ୟ ରହିଥାନ୍ତି। କଲିଜିୟମ୍‌ ପ୍ରସ୍ତାବିତ ନାମକୁ ନେଇ ଆଲୋଚନା ହେବା ପରେ ସହମତି ଆଧାରରେ ନାମ ସୁପାରିସ କରାଯାଇଥାଏ। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଓ ୪ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲିଜିୟମ୍‌ ଏହି ପ୍ରସଙ୍ଗରେ ଆଲୋଚନା କରି ନାମ ଅନୁମୋଦନ କରିଥାନ୍ତି ଏବଂ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥାଏ।

ସମ୍ପ୍ରତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ. ଭି.ରମନା, ଜଷ୍ଟିସ୍ ୟୁ. ୟୁ. ଲଳିତ ଏବଂ ଜଷ୍ଟିସ ଏ. ଏମ୍‌. ଖାନୱିଲ୍‌କରଙ୍କୁ ନେଇ କଲିଜିୟମ୍‌ ଗଠିତ ହୋଇଛି। ସୁପ୍ରିମକୋର୍ଟ କଲେଜିୟମ ବିଚାରପତି ପଦ ପାଇଁ ନାଁ ସୁପାରିଶ କରିବା ବେଳେ ଯୋଗ୍ୟତା, ବୃତ୍ତିଗତ ରୋଜଗାର, ଆୟ ଆଦିକୁ ତର୍ଜମା କରାଯାଇ ଥାଏ।

ସୂଚନା ଅନୁସାରେ, ୨୦୨୦ରେ ହାଇକୋର୍ଟ କଲେଜିୟମ୍‌ କୌଣସି ନାମ ସୁପାରିସ କରି ନ ଥିବା ବେଳେ ଏଥର ୫ ଜଣଙ୍କ ନାମ ସୁପାରିସ କରିଛି। ସେହିଭଳି, ହାଇକୋର୍ଟ କଲିଜିୟମ୍‌ ୨୦୧୯ ମେ’ରେ ୧୨ଜଣଙ୍କ ନାମ ବିଚାରପତି ପଦ ପାଇଁ ସୁପାରିସ କରିଥିଲା।

ତେବେ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ ୨୦୧୯ ଅକ୍ଟୋବର ୪ ରୁ ୨୦୨୦ ଜାନୁଆରି ୨୨ ମଧ୍ୟରେ ବିଚାରପତି ପଦରେ ନିଯୁକ୍ତି ଲାଗି ତିନିଜଣଙ୍କ ନାମକୁ କେନ୍ଦ୍ର ସରକାରଙ୍କୁ ପଠାଇଥିଲେ। ଏହା ପରେ କେନ୍ଦ୍ର ସରକାର ତିନି ବିଚାରପତିଙ୍କର ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ।

ଦେଶର ବିଭିନ୍ନ ହାଇକୋର୍ଟମାନଙ୍କରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ କରିବା ପାଇଁ ସୁପ୍ରିମ୍‌ କୋର୍ଟରେ ଓକିଲାତି କରୁଥିବା ଆଇନଜୀବୀମାନଙ୍କ ନାମ ଚୟନ କରିବା ପାଇଁ ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ୍‌ ସାତଜଣିଆ ସର୍ଚ କମିଟି ଗଠନ କରିଥିଲେ।

ଏହି ସର୍ଚ୍ଚ କମିଟି ସୁପ୍ରିମ୍‌ କୋର୍ଟରେ ଓକିଲାତି କରୁଥିବା ୪୩ଜଣ ଆଇନଜୀବୀମାନଙ୍କର ନାମ ଚୟନ କରି ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲିଜିୟମ୍‌କୁ ସୁପାରିସ କରିଥିଲା।

୪୩ଜଣ ଆଇନଜୀବୀଙ୍କ ମଧ୍ୟରୁ ଓଡ଼ିଶା ହାଇକୋର୍ଟର ବିଚାରପତି ପାଇଁ ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କ ନାମ ମଧ୍ୟ ସାମିଲ ଥିଲା। କିନ୍ତୁ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ବିଚାରପତି ପଦ ପାଇଁ ନାମ ସୁପାରିସ କରିବାକୁ ନେଇ ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ୍‌ ପ୍ରଚଳିତ ଜଜ୍ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ନ ଥିବା ବେଳେ ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ୍‌ର ସୁପାରିସକୁ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ କିଭଳି ବିଚାର କରିବେ ?

Related Posts