(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତରୁ ମିଳୁଥିବା ଗୁପ୍ତ ରିପୋର୍ଟକୁ ଲିକ୍ କରିବା ପାଇଁ ସିବିଆଇର ଜଣେ ସବ୍ ଇନସପେକ୍ଟରଙ୍କୁ ଲାଞ୍ଚ ଆକାରରେ ଗୋଟିଏ ଆଇଫୋନ ୧୨ ପ୍ରୋ ମୋବାଇଲ ଫୋନ୍ ଦିଆଯାଇଥିଲା। ଯାହାର ଦାମ ପ୍ରାୟ ୧ ଲକ୍ଷ ଟଙ୍କା ହେବ ।
ANI ରିପୋର୍ଟ ଅନୁଯାୟୀ, ଏହି ଫୋନ ପାଇବା ପରେ ଏସ୍ଆଇ ଜଣଙ୍କ ଅନୀଲ ଦେଶମୁଖଙ୍କ ସମ୍ପର୍କରେ ସିବିଆଇ ଯେଉଁ ସବୁ ତଥ୍ୟ ହାସଲ କରିଥିଲା ସେହି ତଥ୍ୟକୁ ତାଙ୍କ ଓକିଲଙ୍କୁ ପ୍ରଦାନ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସିବିଆଇ ତଦନ୍ତକୁ ପ୍ରଭାବିତ କରିବା ଅଭିଯୋଗରେ ଏସ୍ଆଇ ଅଭିଷେକ ତିୱାରୀ ଓ ଦେଶମୁଖଙ୍କ ଓକିଲ ଆନନ୍ଦ ଦାଗାଙ୍କୁ ଗିରଫ କରିଥିଲା।
ପୂର୍ବତନ ମୁମ୍ବାଇ ପୁଲିସ୍ କମିଶନର ପରମବୀର ସିଂହ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଫଳରେ ବିବାଦ ବଢିବାରୁ ସେ ଏପ୍ରିଲ ମାସରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସିବିଆଇ ଏଫଆଇଆର୍ କପିରେ ଉଲ୍ଲେଖ ରହିଛି ଯେ ୨୮-୦୬-୨୦୨୧ରେ ଏସ୍ଆଇ ଅଭିଷେକ ତିୱାରୀ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ପୁଣେ ଗସ୍ତରେ ଯାଇଥିଲେ। ଏହି ସମୟରେ ତାଙ୍କୁ ଅନୀଲ ଦେଶମୁଖଙ୍କ ଓକିଲ ଆନନ୍ଦ ଭେଟିବା ସହ ଗୁପ୍ତତଥ୍ୟ ଲିକ୍ ପାଇଁ ତାଙ୍କୁ ଲାଞ୍ଚ ଦେଇଥିଲେ। ଏହି ଲାଞ୍ଚ ଥିଲା ଏକ ଆଇଫୋନ ୧୨ ପ୍ରୋ ।
ସିବିଆଇ ଏ ସମ୍ପର୍କରେ ଖବର ପାଇବା ପରେ ଅଭିଷେକଙ୍କ ଠାରୁ ଫୋନ ଜବତ କରି ଫରେନ୍ସିକ ଲ୍ୟାବକୁ ଅଧିକ ଯାଞ୍ଚ ପାଇଁ ପଠାଯାଇଛି। ବିଭିନ୍ନ ସମୟରେ ଅଭିଷେକ ତଦନ୍ତରୁ ମିଳୁଥିବା ଗୁପ୍ତ ଦସ୍ତାବିଜ୍, ସାମଗ୍ରୀ ଓ ଅନ୍ୟାନ୍ୟ ତଥ୍ୟ ଦେଶମୁଖଙ୍କ ଓକିଲ ଆନନ୍ଦଙ୍କୁ ଦେଇଥିବା ଜଣାପଡିଛି। ଏ ସବୁ ଗୁପ୍ତ ତଥ୍ୟ ହ୍ୱାଟସଆପ ଜରିଆରେ ଦେଣନେଣ ଚାଲିଥିଲା। ତେଣୁ ଉଭୟ ଓକିଲ ଓ ସବ୍ ଇନସପେକ୍ଟରଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି। ଅଭିଷେକ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ପ୍ରଥମେ କରିଣ ନାମ ଜଣେ ସିବିଆଇ ଅଧିକାରୀ ଅଭିଯୋଗ କରିଥିଲେ। ବର୍ତ୍ତମାନ ସିବିଆଇର ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତ କରି ଅଭିଷେକ ଓ ଆନନ୍ଦଙ୍କ ମଧ୍ୟରେ ଚାଲିଥିବା ଡିଲ୍ର ପର୍ଦ୍ଦାଫାସ କରିଛନ୍ତି।