ନିରଞ୍ଜନ ସନିପାତ

ଭୁବନେଶ୍ବର: ନିରଞ୍ଜନଙ୍କୁ ଘାରିଛି ମୋକିମ ମୁକ୍ତ ନିଶା । ନା ନା କହି କହି ଶେଷରେ ମୋକିମଙ୍କ ଯନ୍ତାରେ ଫସିଲେ ନିରଞ୍ଜନ । ଯାହାର ପ୍ରମାଣ ହେଉଛି ରବିବାର କେଶରୀ ହୋଟେଲରେ ନିରଞ୍ଜନଙ୍କ ସମର୍ଥକଙ୍କ ମେଳି ।

ଯଦିଓ ନିରଞ୍ଜନ ପଟ୍ଟନାୟକ ସେଠି ନଥିଲେ କିନ୍ତୁ ଯାହାଙ୍କୁ ସେ ଟିକେଟ୍‌ ଦେଇଥିଲେ ପ୍ରାୟ ସମସ୍ତେ ମେଳିରେ ଉପସ୍ଥିତ ଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ନିରଞ୍ଜନ ବାବୁଙ୍କ ଭଳି ଜଣେ ବରିଷ୍ଠ ଆଉ ଅଭିଜ୍ଞ ନେତା ମୋକିମଙ୍କ ଜାଲରେ ଫସିଛନ୍ତି । ଆଜିର ମେଳି ପ୍ରମାଣ କରିଦେଲା ଯେ ମୋକିମଙ୍କୁ କାଉଣ୍ଟର କରିବା ପାଇଁ ଲୋକଙ୍କ ସାମ୍ନାରେ ଏଭଳି ନାଟକ ରଚିଛନ୍ତି ନିରଞ୍ଜନ ।

ପିସିସି ହଟାଅ ବିବାଦ ଆରମ୍ଭ ହେବା ବେଳେରୁ ନିରଞ୍ଜନ ବାବୁ ହିରୋ, ସ୍ଥିର ଆଉ ବିଶ୍ବସଭରା ସ୍ଥିତିରେ ଥିଲେ । ଯେତେବଳେ ମୋକିମଙ୍କ ସମର୍ଥକ ନିରଞ୍ଜନଙ୍କୁ ହଟାଇବାକୁ ଦାବି କରୁଥିଲେ, ଘନ ଘନ ବୈଠକ କରୁଥିଲେ ସେତେବେଳେ ଜଣାପଡୁଥିଲା କି ମୋକିମ ବାବୁ ନିରଞ୍ଜନ ପାଖରେ କିଛି ନୁହଁଁନ୍ତି । ନିରଞ୍ଜନ ବି ମୋକିମଙ୍କୁ ତାଙ୍କର ବାମ ହାତର କାଳି ଅଙ୍ଗୁଳିର ନଖ ବୋଲି ବିଚାରକୁ ନେଉନଥିଲେ । ଏପରିକି ସେତେବେଳେ ମୋକିମ ବାବୁ ଯଦି ପିସିସି ସଭାପତି ହେବାକୁ ଚାହୁଁଛନ୍ତି ମୁଁ ଲେଖି ଦେବି ବୋଲି ବି କହିଥିଲେ ନିରଞ୍ଜନ । ଆଶା କରାଯାଉଥିଲା ଯେ ଯେଉଁମାନେ ମୋକିମଙ୍କ ପାଇଁ ମାତିଛନ୍ତି ସେମାନଙ୍କର ଦଳରେ ନା ଚର୍‌ଖା ଅଛି ନା ଅଖା ଅଛି । ମାତ୍ର ୪-୫ ଜଣ ବୁଲୁଥିଲେ ଏହାକୁ କେହି ଗୁରୁତ୍ବ ଦେଉନଥିଲେ । ସମସ୍ତେ ଭାବୁଥିଲେ ନିରଞ୍ଜନ ବାବୁ ଶେଷ ପର୍ଯ୍ୟନ୍ତ ମୋକିମଙ୍କ ପ୍ରେସର ଟ୍ରାପ୍‌ରେ ଫସିବେ ନାହିଁ । ଅର୍ଥାତ ତାଙ୍କୁ କେବେ ଗୁରୁତ୍ବ ଦେବେ ନାହିଁ । କିନ୍ତୁ ରବିବାର କେଶରୀ ହୋଟେଲରେ ହୋଇଥିବା ମେଳି ତାକୁ ଭୁଲ ପ୍ରମାଣିତ କଲା । କାରଣ ତାଙ୍କର ପ୍ରାଇଭେଟ ସେକ୍ରେଟାରୀ ଗଣମାଧ୍ୟମକୁ ଯେଭଳି ଭାବେ ବିବୃତି ଦେଇଛନ୍ତି ତାହା ଦର୍ଶାଉଛି ଯେ ନେତାଙ୍କୁ ଘାରିଛି ସନିପାତ ଭୟ।

ସବୁଠାରୁ ବଡ଼ ପ୍ରଶ୍ନ, ନିରଞ୍ଜନଙ୍କ ଭଳି ଅଭିଜ୍ଞ ନେତା ଏଭଳି ଖୁଚୁରା ଭୁଲ କଲେ କିଭଳି । ଯେଉଁମାନେ ମେଳିରେ ଉପସ୍ଥିତ ଥିଲେ ସମସ୍ତେ ନିରଞ୍ଜନଙ୍କ ପାଇଁ କହିଛନ୍ତି ଅର୍ଥାତ ଦଳ ସଭାପତିଙ୍କ ପାଇଁ କହିଛନ୍ତି, କିଛି ଭୁଲ କରିନାହାନ୍ତି କି ଦଳ ବିରୋଧୀ କାମ କରିନାହନ୍ତି । ତେବେ ଅପରିପକ୍ବତା ଆଉ ଅନଭିଜ୍ଞତାର କଥା ହେଲା ଯେ ଏହି କଥା କଂଗ୍ରେସ ଭବନରେ ନହୋଇ କଂଗ୍ରେସ ଭବନଠାରୁ ୨୦୦ ମିଟର ଦୂରରେ ଥିବା କେଶରୀ ହୋଟେଲରେ ହେଲା କାହିଁକି । ଯଦି ଦଳ କଥା ଥିଲା ତେବେ କେଶରୀ ହୋଟେଲରେ ମେଳି ହେଲା କାହିଁକି । ଅର୍ଥାତ ନିରଞ୍ଜନ ବାବୁ ସନିପାତ ହେବା ପରେ ରାଜ୍ୟର କଂଗ୍ରେସ କର୍ମୀଙ୍କୁ ଏହି ମେସେଜ ଦେଉଛନ୍ତି ଯେ ସେ ସଭାପତି ଅଛନ୍ତି, ତାଙ୍କ ପାଖରେ ସମର୍ଥନ ଅଛି, ତାଙ୍କ ପାଖରେ ଲୋକ ଅଛନ୍ତି । କିନ୍ତୁ ଏହା ପଛପଟେ ଯେଉଁ ଛୋଟିଆ ଭୁଲ କରିଦେଲେ ତାହା ହେଲା ଓଡ଼ିଶାବାସୀ ଯାହାଙ୍କୁ କଂଗ୍ରେସର ବଡ଼ ନେତା କିମ୍ବା ଭବିଷ୍ୟତର ଜଣେ ଟାଣୁଆ ନେତା ବୋଲି କାଉଣ୍ଟ କରୁନଥିଲେ, ଯାହାକୁ ସେଭଳି ଗୁରୁତର ସହ ନେଉନଥିଲେ ତାଙ୍କୁ ସିଏ ତାଙ୍କର ବିକଳ୍ପ ବୋଲି ଗଣମାଧ୍ୟମ ଆଗରେ ଓଡ଼ିଶାବାସୀଙ୍କ ପାଖରେ ରଖିଦେଲେ । ଆଉ ସେହି ବ୍ୟକ୍ତି ହେଉଛନ୍ତି ମହମ୍ମଦ ମୋକିମ ।

ମୋକିମ ଯେ ତାଙ୍କ ବିକଳ୍ପ ତାଙ୍କୁ ହଲେଇ ପାରୁଛନ୍ତି ତାହା ପ୍ରମାଣିତ କରିଛି ସମର୍ଥକଙ୍କ ମେଳି । ଏ ମେଳି ଏଇଥିପାଇଁ ହୋଇଛି ଯେ ମୋକିମଙ୍କୁ ଯିଏ ସମର୍ଥନ କରୁଛନ୍ତି, ସେମାନଙ୍କୁ ବରଦାସ୍ତ କରାଯିବନି । ଅର୍ଥାତ ପରୋକ୍ଷରେ ମୋକିମଙ୍କ ସମର୍ଥକଙ୍କୁ ଏକପ୍ରକାର ଧମକ ଦେବାକୁ ଚେଷ୍ଟା କରାଯାଇଛି । ତେଣୁ ମୋକିମ ବାବୁ ଯଦି କଂଗ୍ରେସରେ ସବୁଠୁ ଅଧିକ କାହାକୁ ଧନ୍ୟବାଦ ଦେବା କଥା ସେ ହେଲେ ନିରଞ୍ଜନ ବାବୁ । ତେଣୁ କେଶରୀ ହୋଟେଲର ଏଭଳି ବୈଠକକୁ ଦେଖି କିଛି ବରିଷ୍ଠ ନେତାଙ୍କର କହିବା କଥା ଯେ ଏହା ହେଉଛି ନେତାଙ୍କର ସନିପାତର ଲକ୍ଷଣ । ରାଜନୀତିରେ ଯେତେବଳେ ନେତାଙ୍କର ଏଭଳି ସ୍ଥିତି ଦେଖାଯାଏ ତାକୁ ସନିପାତର ଲକ୍ଷଣ ବୋଲି ନାମ ଉଲ୍ଲେଖ ନକରି କିଛି ବରିଷ୍ଠ ନେତା କହିଛନ୍ତି ।

କଂଗ୍ରେସ ପାଇଁ ଚିନ୍ତା କରିବା ବାହାନାରେ ପ୍ରକୃତରେ ସମସ୍ତେ ନିରଞ୍ଜନଙ୍କ ପ୍ରତି ବିଶ୍ବସ୍ତତା ଦେଖେଇବାକୁ ବୈଠକରେ ଯୋଗଦେଇଥିବା କିଛି ନେତା ଅଭିଯୋଗ କରିଛନ୍ତି । ଆଉ କିଏ ନିରଞ୍ଜନଙ୍କର କେତେ ବିଶ୍ବସ୍ତ ଏବଂ କିଏ କ’ଣ କହୁଛି ତାହା ଜାଣିବା ପାଇଁ ତାଙ୍କ ପ୍ରାଇଭେଟ ସେକ୍ରେଟାରୀ ବୈଠକରେ ଉପସ୍ଥିତ ଥିଲେ । ଯଦିଓ ନିରଞ୍ଜନ କିମ୍ବା ତାଙ୍କ ସମର୍ଥକ ଏପର୍ଯ୍ୟନ୍ତ କ୍ୟାମେରା ଆଗରେ ପ୍ରକାଶ କରିନାହାନ୍ତି ଯେ ଏହି ମେଳିକୁ ନିରଞ୍ଜନଙ୍କ ପକ୍ଷରୁ କରାଯାଇଥିବା ବୋଲି । ହେଲେ ଏଠି ପ୍ରଶ୍ନ ଉଠୁଛି ନିରଞ୍ଜନଙ୍କ ବିନା ଇସାରାରେ କ’ଣ ସାରା ଓଡ଼ିଶାର ଏତେ ଗୁଡ଼ିଏ ନେତା ଗୋଟିଏ ଜାଗାରେ ଗୋଟିଏ ସମୟରେ ଏକାଠି ହୋଇପାରିବେ । ଯଦି ନିରଞ୍ଜନ ଚାହୁଁନାହାନ୍ତି ତେବେ ତାଙ୍କ ପାଇଁ ହଠାତ ଏକଜୁଟ ହୋଇ ତାଙ୍କୁ ଅପଦସ୍ତ କଲା ଭଳି ପରିସ୍ଥିତି କରିବାକୁ ସମର୍ଥକମାନେ ସାହସ କରିପାରି ନଥାନ୍ତେ । ଏ ସମସ୍ତ ଘଟଣାକୁ ଏକାଠି କରି ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ନିରଞ୍ଜନ ପରୋକ୍ଷରେ ମୋକିମଙ୍କୁ ନିଜର ପ୍ରତିଦ୍ବନ୍ଦୀ ବା ବିକଳ୍ପ ଭାବେ ସ୍ବୀକାର କରିଛନ୍ତି । ଯାହାକୁ ରାଜନୈତିକ ପଣ୍ଡିତମାନେ କହୁଛନ୍ତି ମୋକିମଙ୍କ ପ୍ରତି ଏବେ ନିରଞ୍ଜନ ଭୟ ବଢ଼ିବା ଭଳି ଲାଗୁଛି ।

Related Posts