ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ ପିଟିସନ୍ ଖାରଜ: ଫାଶୀ ସୁନିଶ୍ଚିତ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆବେଦନ କରାଯାଇଥିବା ଦୁଇଟି କ୍ୟୁରେଟିଭ ପିଟିସନର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଆଜି ତାହାକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ଦୁଇ ଦୋଷୀଙ୍କ ଆବେଦନକୁ ଖାରଜ କରିଦେବା ଫଳରେ ଦୋଷୀସାବ୍ୟସ୍ତ ୪ ଅପରାଧୀଙ୍କ ଫାଶୀ ପାଇବା ନିଶ୍ଚିତ ହୋଇଯାଇଛି।

ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ବିନୟ ଓ ମୁକେଶ କ୍ୟୁରେଟିଭ ପିଟିସନ୍ ଦାଖଲ କରିଥିଲେ। ବିଚାରପତି ଏନ ଭି ରମନ୍ନା, ଅରୁଣ ମିଶ୍ରା, ଆର୍‌ ଏଫ୍‌ ନରିମାନ୍‌, ଆର୍‌ ଭାନୁମତୀ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଆବେଦନକୁ ଖାରଜ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୪ ଜଣଙ୍କୁ ଆସନ୍ତା ୨୨ ତାରିଖ ସକାଳ ‌୭ଟାରେ ତିହାର ଜେଲରେ ଫାଶୀ ଦିଆଯିବ। ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଅରୋରା ଦୋଷୀମାନଙ୍କୁ ଡେଥ୍ ୱାରେଣ୍ଟ ବା ମୃତ୍ୟୁ ପରୱାନା ଶୁଣାଇ ସାରିଛନ୍ତି। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି।  ସୁପ୍ରିମ କୋର୍ଟଙ୍କ  ଏହି ଶୁଣାଣି ଉପରେ ସାରା ଦେଶର ନଜର ରହିଥିଲା।

ନୂଆଦିଲ୍ଲୀ: ଫାଶୀର ଫାଶରୁ ବର୍ତ୍ତିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ କରିଥିବା ଶେଷ ପ୍ରୟାସ ଫେଲ ମାରିଛି । ନର୍ଭୟା ଦୋଷୀମାନେ ଦାଖଲ କରିଥିବା କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜାରି କରିଥିବା ଡେଥ୍‌ ୱାରେଣ୍ଟ ଅନୁଯାୟୀ, ସମସ୍ତ ୪ ନିର୍ଭୟା ଦୋଷୀଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଖୁଣ୍ଟରେ ଝୁଲାଯିବ ।

ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ବିନୟ ଶର୍ମା ଓ ମୁକେଶ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ହେଲେ ପବନ ଗୁପ୍ତା ଓ ଅକ୍ଷୟ ସିଂହ ଏଯାଏ କ୍ୟୁରେଟିଭ ପିଟିସନ ଦାଖଲ କରି ନାହାନ୍ତି । ତେବେ ସମସ୍ତ ୪ ଦୋଷୀ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଯାହାକୁ ଖାରଜ କରିଛନ୍ତି କୋର୍ଟ ।

କ୍ୟୁରେଟିଭ ପିଟିସନ କ’ଣ ?

କ୍ୟୁରେଟିଭ ପିଟିସନ ହେଉଛି ଜଣେ ଦୋଷୀ ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ପ୍ରୟାସ । ଏହାକୁ ବିଚାରପତି ଚ୍ୟାମ୍ବର ଭିତରେ ହିଁ ବିଚାର କରିଥାଆନ୍ତି । ଆଜି ନିର୍ଭୟା ଦୋଷୀଙ୍କ ପିଟିସନକୁ ଖାରଜ କରିବା ବେଳେ ସୁପ୍ରିମକୋର୍ଟ ସମସ୍ତଙ୍କୁ ଫାଶୀ ଝୁଲା ଯିବା ଦରକାର ବୋଲି କହିଛନ୍ତି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିବା ପରେ 2 ଜଣ ଦୋଷୀ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ।

ଏହାପୂର୍ବରୁ ଫାଶୀ ଦଣ୍ଡ ପାଇଥିବା ଅକ୍ଷୟ ସିଂହ ମଧ୍ୟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲା । ହେଲେ ଡିସେମ୍ବର ୧୮ରେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ସେହିପରି ଗତବର୍ଷ ଜୁଲାଇ ୯ରେ ସୁପ୍ରିମକୋର୍ଟ ଅନ୍ୟ ୩ ଦୋଷୀଙ୍କ ରିଭ୍ୟୁ ପିଟିସନ ଖାରଜ କରି ଫାଶୀଦଣ୍ଡକୁ କାଏମ ରଖିଥିଲେ ।

୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ୨୩ ବର୍ଷୀୟ ପାରା ମେଡିକାଲ ଛାତ୍ରୀଙ୍କୁ ଜଣେ ନାବାଳକ ସମେତ ୬ ଜଣ ଯୁବକ ଚଳନ୍ତା ବସରେ ଗଣଦୁଷ୍କର୍ମ କରିବା ପରେ ତଳକୁ ଫୋପାଡ଼ି ଦେଇଥିଲେ । ଡିସେମ୍ବର ୨୯ରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପୁଲିସ୍ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା । ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିଲା । ସେହିପରି ୩ ବର୍ଷ ପରେ ନାବାଳକକୁ ଜେଲରୁ ଖଲାସ କରାଯାଇଛି। ଏବେ ୪ ଜଣ ଯୁବକ ପବନ ଗୁପ୍ତା, ବିନିୟ ଶର୍ମା, ଅକ୍ଷୟ ସିଂହ ଠାକୁର ଓ ମୁକେଶ ସିଂହ ଫାଶୀ ଦଣ୍ଡ ପାଇବାକୁ ଅଛନ୍ତି । ଏମାନେ ସମସ୍ତେ ତିହାର ଜେଲରେ ବନ୍ଦୀ ଭାବେ ରହିଛନ୍ତି ।

Related Posts