ନିର୍ଭୟା ଦୁଷ୍କର୍ମକାରୀଙ୍କୁ ହେବ ଫାଶୀ

(ସତ୍ୟାପଠ ବ୍ୟୁରୋ) ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ  ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ମିଳିବ ଫାଶୀଦଣ୍ଡ ।  ପୂର୍ବରୁ ଫାଶୀଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଫାଶୀ ଦଣ୍ଡାଦେଶ କାଏମ ରଖିଲେ କୋର୍ଟ । ୪ ଦୋଷୀଙ୍କ ବିରୋଧରେ ଜାରି ହୋଇପାରେ ଡେଥ୍‌ ୱାରେଣ୍ଟ । କିଛି ସମୟ ପରେ ପଟିଆଲା ହାଉସ୍‌ କୋର୍ଟରେ ହେବ ଶୁଣାଣି ।

ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଅଶୋକ ଭୁଷଣ, ଜଷ୍ଟିସ ଇନ୍ଦୁମତି ଓ ଜଷ୍ଟିସ ଏ.ଏସ.ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ପୁନର୍ବିଚାର ଆବେଦନକୁ ଗ୍ରହଣ କରିବା ଭଳି କୌଣସି ଆଧାର ନାହିଁ।  ନିଜର ପୁନର୍ବିଚାର ଆବେଦନରେ ଅକ୍ଷୟ ଦର୍ଶାଇଥିଲା ଯେ ଦିଲ୍ଲୀର ପ୍ରଦୂଷଣ କାରଣରୁ ସେ ଆପେ ଆପେ ମରିଯିବ, ମୃତ୍ୟୁଦଣ୍ଡର ଆବଶ୍ୟକତା ନାହିଁ । ସେହିପରି ମୃତ୍ୟୁଦଣ୍ଡ ଏକ ପୁରୁଣା କାଳିଆ ଦଣ୍ଡ ବ୍ୟବସ୍ଥା ହୋଇଥିବା କାରଣରୁ ଭାରତରେ ଫାଶୀଦଣ୍ଡ ଉଚ୍ଛେଦ ହେବା ଉଚିତ ।

ସୂଚନା ଅନୁସାରେ ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯ୍ୟାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।

Related Posts