ନୀତୀଶ ଓ ତେଜସ୍ଵୀଙ୍କ ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିକୁ ପ୍ରଭାବିତ କରିବ ନାହିଁ : ପ୍ରଶାନ୍ତ କିଶୋର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ଜେଡିୟୁ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)କୁ ନେଇ ମହା ଗଠବନ୍ଧନ ମେଣ୍ଟ ସରକାର ଗଠନ ହୋଇଛି। ତେବେ ଏହି ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିକୁ ବିଶେଷ ପ୍ରଭାବିତ କରିବ ନାହିଁ ବୋଲି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) କହିଛନ୍ତି। ପାଟନାର ଏକ ସାମ୍ବାଦିକ ସମ୍ମିଳନୀରେ ରବିବାର ପ୍ରଶାନ୍ତ କିଶୋର ବିହାରର ଦୁଇ ପ୍ରମୁଖ ଦଳର ପୁନର୍ମିଳନକୁ ଏକ ‘ରାଜନୈତିକ ଅହଂକାର’ ଭାବେ ଅଭିହିତ କରିଛନ୍ତି।ପିକେ କହିଛନ୍ତି, ଜେଡିୟୁ ନେତା ନୀତୀଶ କୁମାର ଏବଂ ଆର୍‌ଜେଡିର ତେଜସ୍ବୀ ଯାଦବ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ରକ୍ଷା କରିପାରିବେ ତାହା ଉଭୟଙ୍କ ଉପରେ ନିର୍ଭର କରେ। ଆଗାମୀ ଲୋକ ସଭା ନିର୍ବାଚନ ଉପରେ ଏହି ମେଣ୍ଟର ବିଶେଷ ପ୍ରଭାବ ରହିବ ନାହିଁ। ପୂର୍ବରୁ ନୀତୀଶ ଯେତେ ଥର ମେଣ୍ଟ କରିଛନ୍ତି ତାହା ଦୁଇବର୍ଷରୁ ଅଧିକ ସମୟ ତିଷ୍ଠିନାହିଁ। ତେଣୁ ଆଗକୁ ନୀତୀଶ-ତେଜସ୍ବୀଙ୍କ ମେଣ୍ଟ କେତେଦିନ ବଳବତ୍ତର ରହିବ ତାହା ଅନୁମାନ କରାଯାଇପାରେ ବୋଲି ପ୍ରଶାନ୍ତ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଏକଦା ଜେଡିୟୁର ଉପାଧ୍ୟକ୍ଷ ଥିବା ପ୍ରଶାନ୍ତଙ୍କୁ ନୀତୀଶଙ୍କ ଘନିଷ୍ଠ ସହଯୋଗୀ ବିବେଚନା କରାଯାଉଥିଲା। କିନ୍ତୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ପ୍ରସଙ୍ଗରେ ନୀତୀଶ କୁମାର ଭାଜପା ଆଭିମୁଖ୍ୟକୁ ସମର୍ଥନ କରିବା ପରେ ପ୍ରଶାନ୍ତ କିଶୋର ଜେଡିୟୁ ଛାଡ଼ି ଭିନ୍ନ ପଥ ବାଛିଥିଲେ। ୨୦୨୫ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ପ୍ରତିଷ୍ଠା ଘୋଷଣା କରିଥିବା ପିକେ ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ଜନ ସ୍ବରାଜ’ ନାମରେ ବିହାରରେ ଏକ ପଦଯାତ୍ରା କରୁଛନ୍ତି।

Related Posts