ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼କୁ ଦେବୀ ମିଶ୍ରଙ୍କର ଟାର୍ଗେଟ; “ପାଣି ଆସି ଘର ବୁଡିଲାଣି, ଆଉ ଆଲୋଚନା କଣ କରିବୁ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହୀରାକୁଦ ଡ଼୍ୟାମର ଗେଟ୍ ଖୋଲିବାକୁ ଛତିଶଗଡ ଚାପ ପକାଇବା ଘଟଣାକୁ ନେଇ ମୁହଁ ଖୋଲିଛି ଶାସକ ବିଜେଡି । ବିଜେଡି ବିଧାୟକ ଦେବୀ ମିଶ୍ର ଏ ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ପାଣି ଆସି ଘର ବୁଡିଲାଣି, ଆଉ ଆଲୋଚନା କଣ କରିବୁ। ୨୦୧୬ରେ ତତ୍କାଳୀନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ସହ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା।ସେତେବେଳେ ସହମତିକୁ ଅଣଦେଖା କରିଥିଲେ ରମଣ ସିଂ। ମହାନଦୀ ଶୁଖିଲା ପଡ଼ିଥିବା ସମୟରେ ପାଣି ମାଗିଲୁ, ସେମାନେ ଦେଲେନି କି ବ୍ୟାରେଜ୍ ନିର୍ମାଣ କାମ ରୋକିଲେନି। ଏବେ ଭୂପେଶ ବାଘେଲ ସରକାର ଆସି ମଧ୍ୟ କିଛି ସମାଧାନ କଲେନି। ବନ୍ଧ ହେବା ଯୋଗୁ ବନ୍ୟା ସମୟରେ ଛତିଶଗଡ ପାଣି ଛାଡୁଛି। ସର୍ବୋଚ୍ଚ ଯନ୍ତ୍ରୀ କହିଲେ ଯେ ବର୍ଷକ ଦୁଇ ଥର ବୈଠକ ହେବା କଥା। ହେଲେ ବୈଠକ କୁ ଛତିଶଗଡ ଆସୁନି। ଏହା ନିନ୍ଦନୀୟ କଥା। ଅଫିସର ସ୍ତରୀୟ ଆଲୋଚନା କରନ୍ତୁ ଓ କେତେ ପାଣି ଛାଡିବେ ଜଣାନ୍ତୁ। ଆପୋଷ ଆଲୋଚନା ହିଁ ଆବଶ୍ୟକ। ମହାନଦୀ ବଞ୍ଚିବାକୁ ଯାହା ଦରକାର, କରାଯିବ। ଏଭଳି କହି ଓଡ଼ିଶା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ।

ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ଛତିଶଗଡ ସରକାର ଗତ ମେ ମାସରେ ମହାନଦୀ ଶୁଖିଲା ପଡ଼ିଥିବାବେଳେ ପାଣି ଛାଡୁ ନଥିଲେ, ତାହାକୁ ଆମେ ନିନ୍ଦା କରୁଥିଲୁ । ଆଜିର ଛତିଶଗଡ ସରକାରର ବ୍ୟବହାରକୁ ଆମେ ନିନ୍ଦା କରୁଛୁ । ରାଜ୍ୟ ସରକାର ଏବଂ ତାଙ୍କ ଜଳସେଚନ ବିଭାଗକୁ ଚେତାବନୀ ଦେଇ ସମୀର କହିଛନ୍ତି, ‘ଘର ପୋଡିବ ମୂଷା କେଞ୍ଚିଏ ପାଇବ’ ଏ ନୀତି ଅବଲମ୍ବନ କରିବା ଯୋଗୁଁ ଆମ୍ବାଘନୀ ବ୍ଲକରେ ଯେଉଁ ବନ୍ୟା ଦେଖା ଦେଇଛି ତାର ସମାଧାନ କରନ୍ତୁ । ଓଡିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରି ଶୀଘ୍ର ସମାଧାନ କରନ୍ତୁ। ସମସ୍ୟା ତ ରହିବ, କିନ୍ତୁ ଏହାର ସମାଧାନ କରନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related Posts