ଲାଲୁଙ୍କ କୋଳରେ ବସି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ନୀତିଶ କୁମାର : ଅମିତ ଶାହା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ସରକାର ଭାଙ୍ଗିବା ପରେ ପ୍ରଥମଥର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ଗସ୍ତ କରିଛନ୍ତି । ନେପାଳ ସୀମାକୁ ଲାଗିଥିବା ସୀମାଞ୍ଚଳ ପୂର୍ଣ୍ଣିଆ ଠାରେ ଆଜି ଶାହା ଏକ ବିଶାଳ ରାଲି କରି ଜନସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ ବିହାର ଲୋକଙ୍କ ଭଲ ପାଇବା ଓ ବିଶ୍ୱାସ କାରଣରୁ ପୂର୍ଣ୍ଣିଆର ଏହି ପଡିଆ ଆଜି ଛୋଟ ପଡିଯାଇଛି । ଏହି ସଭାରେ ଶାହାଙ୍କ ସହ ବିଜେପିର ସୁଶୀଲ ମୋଦୀ, ଗିରିରାଜ ସିଂ,ରେଣୁଦେବୀ, ବିଜୟ ସିହ୍ନାଙ୍କ ସହ ଅନେକ ନେତାଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ଶାହା ତାଙ୍କ ଭାଷଣରେ ବିହାରରେ ନୂଆ କରି ସରକାରକୁ ଆସିଥିବା ମହାମେଣ୍ଟକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଏହି ଗସ୍ତ କାରଣରୁ ଏବେ ନୀତିଶ କୁମାର ଓ ଲାଲୁ ଯାଦବଙ୍କ ପେଟରେ ଯନ୍ତ୍ରଣା ହେଉଛି । ନୀତିଶ କୁମାରଙ୍କ ବିରୋଧୀଙ୍କୁ ଏକଜୁଟ କରିବା ଉଦ୍ୟମକୁ ନେଇ ତାଙ୍କୁ କଡା ସମାଲୋଚନା କରିଛନ୍ତି ଅମିତ୍ ଶାହା। ସେ କହିଛନ୍ତି ଯେ, ନୀତିଶ କୁମାର ଲାଲୁ ଯାଦବଙ୍କ କୋଳରେ ବସି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ହେଲେ ଲାଲୁ ଠିକ୍ ଜାଣିଛନ୍ତି କି ନୀତିଶ କୁମାର ଆଦୌ ଭରସା ଯୋଗ୍ୟ ନୁହନ୍ତି। ସେ କୌଣସି ସମୟରେ ମଧ୍ୟ ତାଙ୍କୁ ଧୋକ୍କା ଦେଇ ପାରନ୍ତି ।

ଅନ୍ୟପଟେ ନିଜ ଭାଷଣରେ ବିହାରରେ ନକ୍ସଲ ପ୍ରସଙ୍ଗ ଉଠାଇଛନ୍ତି ଶାହା । ସେ କହିଛନ୍ତି ଗତ ୩ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ବିହାରରେ ବାମପନ୍ଥୀ ଉଗ୍ରବାଦକୁ ସମାପ୍ତ କରିଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରି ଶାହା କହିଛନ୍ତି ଯେ, ମୋଦୀ ସରକାର କେବଳ ଗରିବମାନଙ୍କ ପାଇଁ କାମ କରୁଛି । ସେପଟେ ବିହାରର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମଧ୍ୟ ଶାହା ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ମହାମେଣ୍ଟ ସରକାର ଗଠନ ହେବା ପରେ ରାଜ୍ୟରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏନେଇ ସେ ସିଧାସଳଖ ନୀତିଶ କୁମାରଙ୍କୁ ଦାୟୀ କରିଛନ୍ତି ।

Related Posts