
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ମନ୍ତ୍ରୀ ମାନଙ୍କ କଥାକୁ ସଚିବ ମାନେ ମାନୁ ନାହାନ୍ତି। ଏହି ପ୍ରସଙ୍ଗ ଏବେ ଚାରି ଆଡେ ଚର୍ଚ୍ଚାରେ। ଲୋକ ପ୍ରତିନିଧିଙ୍କୁ ଉଚିତ୍ ସମ୍ମାନ ଦେବାକୁ ନିକଟରେ କେନ୍ଦ୍ରସରକାର ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଏହି ଘଟଣାରେ ରାଜ୍ୟର ମନ୍ତ୍ରୀ ମାନଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ, ଅନୁଭୂତି ଓ ଜ୍ଞାନ ଗରିମା ନଥିବା ଲୋକଙ୍କୁ ଯଦି ମନ୍ତ୍ରୀ କରାଯାଏ ତାହେଲେ ଏଭଳି ମନ୍ତ୍ରୀଙ୍କୁ ସଚିବ ମାନେ କାହିଁକି ମନିବେ। ଏହି ସମୟରେ ସେ ଉଦାହରଣ ଦେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଯେ, ଅଗଷ୍ଟ ୧୫ ତାରିଖରେ ପ୍ରୀତି ରଞ୍ଜନ ଘଡାଇ କୋରାପୁଟ ଗସ୍ତରେ ଯାଇଥିଲେ। ତାଙ୍କ ସାଙ୍ଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ମଧ୍ୟ ଯାଇଥିଲେ। ମନ୍ତ୍ରୀ ସେଠାରେ ବିଜେଡିର ବିଧାୟକ ମାନଙ୍କୁ ଡାକି ବିଭିନ୍ନ କାର୍ଯ୍ୟର ରିଭ୍ୟୁ କଲେ । ମୁଁ କଂଗ୍ରେସର ବିଧାୟକ ସେଥିପାଇଁ ମତେ ଡାକିଲେନି। ପ୍ରୋଟୋକଲ କହୁଛି ମନ୍ତ୍ରୀ ଜିଲ୍ଲା ଗସ୍ତରେ ଯାଇ କୌଣସି ରିଭ୍ୟୁ କଲେ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ଡାକିବା କଥା। ହେଲେ ମନ୍ତ୍ରୀ ଯେତେବେଳେ ଖାଲି ବିଜେଡି ବିଧାୟକ ମାନଙ୍କୁ ଡାକି ରିଭ୍ୟୁ କରୁଛନ୍ତି ତାଙ୍କୁ କାହିଁକି ସଚିବ ମାନେ ମାନିବେ।
ତାରା ଅଭିଯୋଗ ଆଣି କହିଛନ୍ତି ଯେ, ମନ୍ତ୍ରୀ ସର୍କିଟ ହାଉସ ରେ ରିଭ୍ୟୁ କରିବା ବେଳେ ତାଙ୍କ ପ୍ରାଇଭେଟ୍ ସେକ୍ରେଟରୀ ମତେ ଫୋନ୍ କରି ପଚାରିଲେ ଯେ ମନ୍ତ୍ରୀ ରିଭ୍ୟୁ କରୁଛନ୍ତି ଆପଣଙ୍କର୍ କଣ କହିବାର ଅଛି କି? ମୁଁ କହିଲି ମୋର କିଛି କହିବାର ନାହିଁ। ମନ୍ତ୍ରୀଙ୍କୁ କୁହ ମୁଁ ତାଙ୍କ ଦୟାରେ ବିଧାୟକ ହୋଇ ନାହିଁ। ସେ ଆହୁରି କହିଛନ୍ତି ଯେ, ସାମାନ୍ୟ ସାଧାରଣ ଜ୍ଞାନ ନଥିବା ଲୋକ ମନ୍ତ୍ରୀ ହେଲେ ଏମାନଙ୍କୁ କାହିଁକି କେଉଁ ସଚିବ ମାନିବେ। ମନ୍ତ୍ରୀ କଣ ଗସ୍ତ ଖର୍ଚ୍ଚ ନେଉ ନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ତାରା। ଆଉ ଏହି ପ୍ରଶ୍ନ ସେ ବିଧାନସଭାରେ ମଧ୍ୟ ଉଠାଇବେ ବୋଲି କହିଛନ୍ତି।