ପାଟନା: ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ତେବେ ଏନେଇ ତାଙ୍କ ନାଁ ଘୋଷଣା ହେବା ପରେ ବିଭିନ୍ନ ଦଳ ପକ୍ଷରୁ ତାଙ୍କୁ ସମର୍ଥନ ହେବା ନେଇ ମଧ୍ଯ ମତ ପ୍ରକାଶ ପାଇଛି । ବିଭିନ୍ନ ରାଜନୈତିକ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । ପୂର୍ବରୁ ବିହାରରେ ଏଲଜେପିଆର ଏବଂ ହମ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାବେଳେ, ଏବେ ନୀତିଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁ ମଧ୍ୟ ଖୋଲାଖୋଲି ଭାବେ ତାଙ୍କୁ ସମର୍ଥନ ଜଣାଇଛି । ଏନଡିଏ ପ୍ରାର୍ଥୀଙ୍କ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନରେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି, ”ଆମର ନେତା ନୀତିଶ କୁମାର ସର୍ବଦା ମହିଳା ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଏଣୁ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ କରିବା ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ । JDU ଦ୍ରୌପଦୀଙ୍କୁ ପୁରା ସମର୍ଥନ କରିବ ।”
ସେପଟେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଖୁସି ପ୍ରକଟ କରିଛନ୍ତି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରିବା ଖୁସିର ବିଷୟ ବୋଲି କହିଛନ୍ତି ନୀତିଶ । ସେହିପରି ଜେଡିୟୁ ସଂସଦୀୟ ବୋର୍ଡ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ର କୁଶବାହ କହିଛନ୍ତି, “ଦ୍ରୌପଦୀ ମୁର୍ମୁ ସମାଜର ସବୁଠୁ ପଛୁଆ ଆଦିବାସୀ ବର୍ଗର ହେବା ସହ ଜଣେ ମହିଳା ଅଟନ୍ତି । ଏନଡିଏ ଭଲ ପ୍ରାର୍ଥୀ ଦେଇଛି । ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା ଦିଗରେ ସମର୍ଥନ ଦେବାକୁ ଉପେନ୍ଦ୍ର ବିରୋଧି ଦଳଗୁଡିକୁ ଅପିଲ୍ କରିଛନ୍ତି ।ରାଷ୍ଟ୍ରପତି ନିର୍ବାଚନରେ କେବଳ ନିର୍ବାଚିତ ପ୍ରତିନିଧିମାନେ ହିଁ ମତଦାନ କରିପାରିବେ । ବିଧାନ ପରିଷଦ ସଦସ୍ୟଙ୍କ ଏହି ମତସାବ୍ୟସ୍ତ କରିବାର ଅଧିକାର ନାହିଁ ।
ଜନସଂଖ୍ୟା ଅନୁଯାୟୀ ଜନପ୍ରତିନିଧିଙ୍କ ଭୋଟର ମୂଲ୍ୟ ସ୍ଥିର କରାଯାଏ । ବିହାରରେ ରାଜ୍ୟସଭା, ଲୋକସଭା ଏବଂ ବିଧାନସଭାର ମୋଟ ୮୧,୬୮୭ ଭୋଟ ରହିଛି । ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତାହାକୁ ନେଇ କଳ୍ପନା ଜଳ୍ପନା ଚାଲିଛି ।
ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ମୟୂରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ବିଜେପି ନେତୃତାଧୀନ ଏନଡିଏ । ଟିଏମସି ନେତା ଯଶବନ୍ତ ସିହ୍ନା ବିରୋଧୀମେଣ୍ଟର ପ୍ରାର୍ଥୀ ହୋଇଛନ୍ତି ।