ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅପହରଣ ଅଭିଯୋଗରେ ଫସି ରହିଥିବା କାର୍ତ୍ତିକେୟ ସିଂଙ୍କ ଠାରୁ ଆଇନ ମନ୍ତ୍ରଣାଳୟର ଦାୟିତ୍ୱ ଛଡ଼ାଇ ନେଇଛନ୍ତି। ବର୍ତ୍ତମାନ ଶ୍ରୀ କାର୍ତ୍ତିକେୟ ଆଖୁ ଏବଂ ଶିଳ୍ପ ବିଭାଗର ଦାୟିତ୍ୱରେ ରହିବେ। ଏଥି ସହିତ ଆଇନ ମନ୍ତ୍ରଣାଳୟର ଦାୟିତ୍ୱକୁ ବର୍ତ୍ତମାନ ଶାମିମ ଅହମ୍ମଦ ସମ୍ଭାଳିବେ। ଶାମିମ ଅହମ୍ମଦ ପୂର୍ବରୁ ବିହାର ସରକାରଙ୍କ ଆଖୁ ଏବଂ ଶିଳ୍ପ ମନ୍ତ୍ରୀ ଥିଲେ।
ତେବେ କାର୍ତ୍ତିକେୟ କୁମାର ସିଂଙ୍କ ବିରୋଧରେ ଅପହରଣ ମାମଲା ପଞ୍ଜିକୃତ ହୋଇଛି ଏବଂ ଏହି କାରଣରୁ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରି ଅଗଷ୍ଟ ୧୬ ରେ ଆତ୍ମସମର୍ପଣ କରିବାକୁ କହିଥିଲେ। ସେ ଆତ୍ମସମର୍ପଣ କରିବା ପରିବର୍ତ୍ତେ ସେହି ଦିନ ଆଇନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ବିରୋଧୀ ବିଜେପି ଏହାକୁ ନେଇ ସରକାରଙ୍କୁ ଘେରିଥିଲା।
ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ, ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିଲା। କାର୍ତ୍ତିକେୟ ସିଂ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ରହିଛନ୍ତି। ତାଙ୍କୁ ନିର୍ଦ୍ଦେଶ ଥିଲେ ମଧ୍ୟ ସେ କୋର୍ଟରେ ଆତ୍ମସମର୍ପଣ କରିନାହାଁନ୍ତି କିମ୍ବା ଜାମିନ ଆବେଦନ କରିନାହାଁନ୍ତି। କୋର୍ଟ ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧ କୁ ଘୁଞ୍ଚାଇ ଦେଇଛନ୍ତି।ନିର୍ବାଚନୀ ସତ୍ୟପାଠରେ କାର୍ତ୍ତିକେୟ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଚାରିଟି ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ମାମଲାରେ ସେ ଚୋରି, ଅପହରଣ, ଦଙ୍ଗା, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଅପରାଧିକ ଷଡଯନ୍ତ୍ର, ଚୋରୀ, ମାରାତ୍ମକ ଅସ୍ତ୍ରଶସ୍ତ୍ର ରଖିବା ଭଳି ଅଭିଯୋଗ ରହିଛି। ସତ୍ୟପାଠ ଅନୁଯାୟୀ କାର୍ତ୍ତିକେୟ ସିଂଙ୍କର ମୋଟ ସମ୍ପତ୍ତି ୨୨.୯୯ କୋଟି ରହିଛି। କାର୍ତ୍ତିକେୟ ନୀତୀଶ କ୍ୟାବିନେଟର ଦ୍ୱିତୀୟ ଧନୀ ମନ୍ତ୍ରୀ। ନୀତୀଶ କ୍ୟାବିନେଟର ସବୁଠାରୁ ଧନୀ ମନ୍ତ୍ରୀ ହେଉଛନ୍ତି ଆରଜେଡି କୋଟାର ସୁମିର ମହାସେଠ। ସୁମିରଙ୍କ ମୋଟ ସମ୍ପତ୍ତି ୨୪.୪୫ କୋଟି ଟଙ୍କା ରହିଛି। ନୀତୀଶଙ୍କ କ୍ୟାବିନେଟରେ ପାଞ୍ଚଜଣ ମନ୍ତ୍ରୀ ଅଛନ୍ତି, ଯେଉଁମାନଙ୍କର ସମ୍ପତ୍ତି ୧୦ କୋଟିରୁ ଅଧିକ।