ବିହାରରେ ମହା ଗଠବନ୍ଧନ ସରକାର !, ଅପରାହ୍ନ ୪ଟା ରେ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ କୁମାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ଖୁବଶୀଘ୍ର ଗଠନ ହୋଇପାରେ ମହାଗଠବନ୍ଧନ ସରକାର। ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ଥିବା ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିବା ପରେ ଅପରାହ୍ନ ୪ ଟାରେ ସେ ରାଜ୍ୟପାଳଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ତେବେ ସେ ରାଜ୍ୟପାଳଙ୍କ ପାଖକୁ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଏକ ପତ୍ର ନେଇ ଯିବେ ।ଏହି ପତ୍ର ରାଜ୍ୟପାଳଙ୍କୁ ଦେଇ ନୀତିଶ କୁମାର ନୂଆ ସରକାର ଗଠନ ପାଇଁ ଦାବି କରିପାରନ୍ତି ।ନୀତିଶ କୁମାରଙ୍କ ପାଖରେ ୪୫ ଜଣ ବିଧାୟକ ଥିବା ବେଳେ ଆରଜେଡି ପାଖରେ ରହିଛନ୍ତି ୭୯ ବିଧାୟକ । ଏହାସହ କଂଗ୍ରେସର ୧୯ ଓ ବାମଦଳର ୧୬ ଜଣ ବିଧାୟକ ନୀତିଶଙ୍କୁ ସମର୍ଥନ କରୁଥିବା କଥା କୁହାଯାଉଛି । ସେପଟେ ରାଜ୍ୟର ଜଣେମାତ୍ର ସ୍ୱାଧୀନ ବିଧାୟକ ମଧ୍ୟ ନୀତିଶ କୁମାରଙ୍କୁ ସମର୍ଥନ ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟର ବଦଳୁଥିବା ରାଜନୈତିକ ସମିକରଣ ମଧ୍ୟରେ ଆଜି ପାଟନା ଠାରେ ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ବିଜେପିର କେନ୍ଦ୍ରୀୟ ନେତା ରାଧାମୋହନ ସିଂ ଯୋଗଦେବେ । କୋର କମିଟି ବୈଠକ ପୂର୍ବରୁ ବିହାର ବିଜେପିର ବିଧାୟକ ଓ ସାଂସଦମାନେ ଉପ ମୁଖ୍ୟମନ୍ତ୍ରୀ ତାରକେଶ୍ୱର ପ୍ରସାଦଙ୍କ ବାସଭବନରେ ଏକ ବୈଠକ କରିଥିଲେ । ଏସବୁ ଭିତରେ ମହାଗଠବନ୍ଧନରେ ଅଂଶିଦାର ଥିବା ଆରଜେଡି, କଂଗ୍ରେସ ଓ ବାମଦଳ ପକ୍ଷରୁ ନିଜ ନିଜର ବିଧାୟକଙ୍କୁ ନେଇ ଅଲଗା ଅଲଗା ବୈଠକ କରିଥିବା ଦେଖିବାକୁ ମିଳିଛି ।

Related Posts