ମୋଦି ବିରୋଧୀଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିବାକୁ ନୀତୀଶଙ୍କ ପ୍ରସ୍ତୁତି, ଜୁନ ୧୨ରେ ପାଟନାରେ ବୈଠକ

ଭୁବନେଶ୍ୱର,୨୯/୫(ସତ୍ୟପାଠ ବ୍ୟୁରୋ): ଜୁନ ୧୨ତାରିଖରେ ବିରୋଧୀ ଦଳଙ୍କ ଏକ ବଡ ବୈଠକ ବିହାରର ପାଟନାରେ ହେବ । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଅଣ ଏନଡିଏ ମେଂଟର ରାଜନୈତିକ ଦଳଙ୍କୁ ନେଇ ୨୦୨୪ ନିର୍ବାଚନ ପାଇଁ ଏକଜୁଟ କରିବା ସହ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯିବ ।ପାଟନାରେ ବିରୋଧୀ ଦଳଙ୍କ ଶକ୍ତି ପ୍ରଦର୍ଶନ କରିବା ପାଇଁ ନୀତୀଶ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଗତକାଲି ଜେଡିୟୁ ମୁଖପାତ୍ର ମନଜିତ ସିଂ ଏହି ସୂଚନା ଦେଇଛନ୍ତି ।

ନୂଆ ସଂସଦ ଭବନ ଉଦଘାଟନ ଉତ୍ସବକୁ ବର୍ଜନ କରିଥିବା ୨୦ ବିରୋଧୀ ଦଳ ମଧ୍ୟରୁ ୧୮ଟି ଦଳ ପାଟନାରେ ହେବାକୁ ଥିବା ବୈଠକରେ ଯୋଗ ଦେବେ ବୋଲି କୁହାଯାଉଛି । ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଦଳଙ୍କୁ ଏକଜୁଟ କରିବା ପାଇଁ ନୀତୀଶ କୁମାର ଚେଷ୍ଟା ଚଳାଇଆସୁଛନ୍ତି । ଆଉ ତାଙ୍କର ଏହି ଇଛା ତାଙ୍କୁ ଉତରପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯାଏଁ ଟାଣି ନେଇଛି । ବିଜେପି ବିରୋଧୀ ଦଳକୁ ଗୋଟିଏ ଛାତ ତଳେ ଆଣିବାକୁ ବିହାର ମୁଖ୍ୟମନ୍ତ୍ରୀ ପ୍ରୟାସ ଚଳାଇଛନ୍ତି ।

କିଛି ଦିନ ତଳେ ସେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ମେ ୨୨ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ ନୀତୀଶ । ଏହାଛଡା କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଲଢେଇ କରୁଥିବା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ନୀତୀଶ କୁମାର ଭେଟି ସମର୍ଥନ ଜଣାଇଥିଲେ । ତେଣୁ ଆସନ୍ତା ୧୨ ତାରିଖରେ ପାଟନାରେ ମୋଦୀ ବିରୋଧୀଙ୍କ ମେଳି ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Related Posts