ଆସ୍ଥା ଭୋଟ ଅବସରରେ ନୀତିଶଙ୍କ ଭାଷଣ; ଅଟଳ ଓ ଆଡଭାନୀଙ୍କୁ ପ୍ରଶଂସା, ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବିଧାନସଭାରେ ଆସ୍ଥା ଭୋଟର ସାମ୍ନା କରିଛନ୍ତି। ଏହି ଆସ୍ଥା ଭୋଟରେ ୧୬୦ ବିଧାୟକଙ୍କ ସମର୍ଥନ ସହ ସେ ବିଜୟୀ ହୋଇଛନ୍ତି। ଏହି ଅବସରରେ ନୀତୀଶ କୁମାର ଗୃହରେ ଭାଜପା ନେତା ଲାଲକୃଷ୍ଣ ଆଡଭାନୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନ ଦେଇ ତାଙ୍କୁ ଟାର୍ଗେଟ କରିଛନ୍ତି । ନୀତୀଶ କୁମାର କହିଛନ୍ତି, ଏନଡିଏରେ ଅଟଳ ବିହାରୀ ବାଜପେୟୀ ଏବଂ ଆଡଭାନୀଙ୍କ ଭଳି ନେତାମାନେ ମୋତେ ସମ୍ମାନ ଦେଇଛନ୍ତି। କିନ୍ତୁ ଏହି ନେତାମାନଙ୍କୁ ଦଳରୁ ଦୂରେଇ ଦିଆଯିବା ପରେ ମୋର ଭାଜପା ସହିତ ସମ୍ପର୍କ ବିଚ୍ଛିନ୍ନ ହେବାରେ ଲାଗିଥିଲା। ଏନଡିଏ ସରକାରରେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନ ଥିଲି କିନ୍ତୁ ଏହା ଚାପରେ କରାଯାଇଥିଲା। ଆଜିକାଲି ଏନଡିଏରେ ପ୍ରଚାର ବେଶି, କାର୍ଯ୍ୟ କମ୍‌ କରାଯାଉଛି। ୨୦୨୪ ନିର୍ବାଚନରେ ସମସ୍ତଙ୍କୁ ଏକଜୁଟ ହୋଇ ଭାଜପା ବିରୋଧରେ ଲଢିବାକୁ ପଡିବ। ଆମେ (ଆରଜେଡି-ଜେଡିୟୁ) ଏକାଠି କାମ କରିବା ପାଇଁ ଏବଂ ବିହାରର ବିକାଶ ପାଇଁ ଶପଥ ନେଇଛୁ। ଏହି ନିଷ୍ପତ୍ତି ପାଇଁ ଦେଶର ବିଭିନ୍ନ ସ୍ଥାନରୁ ନେତାମାନେ ମୋତେ ଅଭିନନ୍ଦନ ଜଣାଇଛନ୍ତି। ମୁଁ ୨୦୨୪ ନିର୍ବାଚନରେ ସମସ୍ତ ବିରୋଧୀଙ୍କୁ ଏକାଠି ଲଢିବାକୁ ଅନୁରୋଧ କରିଛି।

ସୂଚନାଯୋଗ୍ୟ, ବିହାର ବିଧାନସଭାରେ ଆଜି ନୀତୀଶ କୁମାର ସରକାର ଫ୍ଲୋର ଟେଷ୍ଟରେ ବିଜୟୀ ହୋଇଛନ୍ତି। ବିଧାନସଭାରେ ୧୬୦ ଜଣ ବିଧାୟକ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିବାବେଳେ ବିପକ୍ଷରେ ଶୂନ ଭୋଟ ରହିଛି। ଏହି ଆସ୍ଥା ଭୋଟ ସମୟରେ ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରିଥିଲେ।

Related Posts