“ନୀତିଶ କୁମାର ଫେଭିକଲ କମ୍ପାନିର ବ୍ରାଣ୍ଡ ଆମ୍ୱାସେଡର ହେବା ଉଚିତ୍”: ପ୍ରଶାନ୍ତ କିଶୋର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏବେ ବିହାର ରାଜନୀତିରେ ସକ୍ରିୟ ଅଛନ୍ତି। ସେ ଲଗାତାର ଭାବରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। ନୀତିଶ କୁମାର ଚୌକିକୁ ଜାବୁଡି ଧରି ରହୁଥିବା ବ୍ୟକ୍ତି ବୋଲି ଶୁକ୍ରବାର ପ୍ରଶାନ୍ତ କିଶୋର ଏକ କାର୍ଯ୍ୟକ୍ରମରେ କହିଛନ୍ତି । ତେବେ ପ୍ରଶାନ୍ତଙ୍କ ଏହି ବୟାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ପବ୍ଲିସିଟି ଏବଂ ବୟାନବାଜିର ଏକ୍ସପର୍ଟ ବୋଲି କହିଥିଲେ ।ଏହାପରେ ନୀତୀଶ କୁମାରଙ୍କୁ ଟାର୍ଗେଟ କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ, ‘ଯଦି ଫେଭିକଲ କମ୍ପାନି ମୋତେ କେବେ ଭେଟନ୍ତି ତେବେ ମୁଁ ନୀତୀଶ କୁମାରଙ୍କୁ ତାଙ୍କର ବ୍ରାଣ୍ଡ ଆମ୍ୱାସେଡର କରିବା ପାଇଁ ପରାମର୍ଶ ଦେବି।’ ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି ଯେ, ସରକାର ଯାହାର ମଧ୍ୟ ହେଉ କିନ୍ତୁ ନୀତିଶ କୁମାର ଫେବିକଲ ଅଠା ଭଳି ମୁଖ୍ୟମନ୍ତ୍ରୀ ଚୌକିକୁ ଜାବୁଡି ଧରନ୍ତି। ସେ ଫେଭିକଲ କମ୍ପାନିର ବ୍ରାଣ୍ଡ ଆମ୍ୱାସେଡର ହେବା ଉଚିତ୍ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ତେବେ ନୀତିଶ କୁମାର ପ୍ରଶାନ୍ତ କିଶୋରଙ୍କୁ ବିଜେପିର ବି ଟିମ ବୋଲି କହିଥିଲେ। ଏହାର ଉତ୍ତର ଦେବାକୁ ଯାଇ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ‘ଗୋଟିଏ ମାସ ପୂର୍ବେ ୯୦ ଡିଗ୍ରୀ କୋଣରେ ମୁଣ୍ଡକୁ ନୁଆଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଣାମ କରୁଥିବା ବ୍ୟକ୍ତି ଯଦି କାହାକୁ ବିଜେପିର ବି ଟିମ କରିବ ତେବେ ଏହାକୁ ନେଇ ଆମେ ହସିବୁ ନାଁ କାନ୍ଦିବୁ । ବିଜେପି ସହ ରହିବା କିମ୍ୱା ନରହିବା ନେଇ ନୀତୀଶ କୁମାରଙ୍କ ସାର୍ଟିଫିକେଟର ଆବଶ୍ୟକତା ନାହିଁ।’

ସୂଚନାଯୋଗ୍ୟ ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏଭଳି ବାକ ଯୁଦ୍ଧ ଦୀର୍ଘଦିନ ହେବ ଜାରି ରହିଛି। ଏହା ପୂର୍ବରୁ ସୋମବାର ଦିନ ଏକ ବୟାନରେ ପ୍ରଶାନ୍ତ କିଶୋର କହିଥିଲେ, ବିହାର ରାଜନୈତିକ ଦୃଶ୍ୟପଟର ପ୍ରଭାବ ସାରା ଦେଶରେ ପଡ଼ିବ ନାହିଁ। ଏହା କେବଳ ରାଜ୍ୟ କେନ୍ଦ୍ରୀତ ଅଟେ। ଏହା ସହିତ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ସରକାର ପରିବର୍ତ୍ତନର ଭବିଷ୍ୟତବାଣୀ ମଧ୍ୟ ସେ କରିଥିଲେ।

Related Posts