ମିଳିଲାନି ଆମ୍ବୁଲାନ୍ସ, ମୃତ ଝିଆରୀର ଶବକୁ କାନ୍ଧରେ ବୋହିଲେ ଦାଦା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମିଳିଲାନି ଆମ୍ବୁଲାନ୍ସ, କାନ୍ଧରେ ଝିଆରୀର ମୃତଦେହକୁ ବୋହିଲେ ଦାଦା । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଛତରପୁରରୁ ଅଞ୍ଚଳରୁ। ଯେଉଁଠାରେ ଆମ୍ବୁଲାନ୍ସ ଅଭାବରୁ ଜଣେ ବ୍ୟକ୍ତି ନିଜ ଝିଆରୀଙ୍କୁ କାନ୍ଧରେ ବୋହି ଘରକୁ ନେଇଯାଉଥିବାର ଦେଖିବାକୁ ମିଳିଛି । ତେବେ ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ତରଫରୁ ସହାୟତା ପାଇଁ ଚେଷ୍ଟା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ମୃତକ ରାଧାଙ୍କୁ ଭୀଷଣ ଜ୍ୱର ହୋଇଥିଲା ଏହାପରେ ତାଙ୍କୁ ସ୍ଥାନୀୟ ବକ୍ସଓ୍ୱାହା କମ୍ୟୁନିଟି ହେଲଥ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଆମ୍ବୁଲାନ୍ସ ନଥିବାରୁ ପରିବାର ଲୋକ କୌଣସି ମତେ ମୃତଦେହ ବକ୍ସଓ୍ୱାହା ନେବାରେ ସକ୍ଷମ ହୋଇଥିଲେ। କିନ୍ତୁ ସେଠାରୁ ୪ କିମି ଦୂର ନିଜ ଗ୍ରାମକୁ ନେବାକୁ କୌଣସି ସୁବିଧା ମିଳିନଥିଲା । ପରିବାର ଅନେକ ଅଧିକାରୀଙ୍କୁ ସାହାଯ୍ୟ ମାଗିଥିଲେ ମଧ୍ୟ ଘଟଣା ପ୍ରତି କେହି ଧ୍ୟାନ ଦେଇନଥିଲେ ।

ଶେଷରେ ମୃତକଙ୍କ ଦାଦା, ଝିଆରୀର ମୃତ ଦେହକୁ କାନ୍ଧରେ ବୋହି ଗାଁ ଅଭିମୁଖେ ଚାଲି ଚାଲି ବାହାରିଥିଲେ। ଅବଶ୍ୟ ଘଟଣା ଗଣମାଧ୍ୟମରେ ଆସିବାପରେ ନଗର ନିଗମ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଥିଲା। ସେପଟେ ଏହି ଘଟଣାରେ ଛତରପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟ ପାଥୋରିଆ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Related Posts