ଅନ୍‌ଲାଇନ୍‌ରେ ବିକ୍ରି ହେବନି ଜଗନ୍ନାଥଙ୍କ ମହାପ୍ରସାଦ, ଅନ୍‌ଲାଇନ୍‌ ନିମନ୍ତ୍ରଣ ପତ୍ର ବି ମିଛ

ଜଗନ୍ନାଥଙ୍କୁ ଅନ୍‌ଲାଇନ୍‌ରେ ନିମନ୍ତ୍ରଣ ପତ୍ର ପଠାଇବା ଏବଂ ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ଭଳି ବ୍ୟବସ୍ଥା ନେଇ କୌଣସି ବ୍ୟବସ୍ଥା ହୋଇନଥିବା ଏବଂ ଏମିତି କରିବାକୁ କାହାରିକୁ ଅନୁମତି ଦିଆଯାଇନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରେସ୍‌ ରିଲିଜ୍‌ ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି । କେହି ଏମିତି ଦାବି କରୁଥିଲେ ସଂପୃକ୍ତି ବ୍ୟକ୍ତିଙ୍କୁ ଠାବ କରିବାକୁ ପୋଲିସକୁ କୁହାଯାଇଛି । ବେଆଇନ କାମରେ ସଂପୃକ୍ତ ବ୍ୟକ୍ତି ଦଣ୍ଡିତ ହେବେ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ ।

ଅନ୍‌ଲାଇନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ଓ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ହେଉଥିବାବେଳେ ପ୍ରେସ୍‌ ରିଲିଜ୍‌ ମାଧ୍ୟମରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ଏଭଳି କାର୍ଯ୍ୟ ପାଇଁ କାହାରିକୁ ଅନୁମତି ଦିଆଯାଇନାହିଁ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ । ତିନି ଦିନ ତଳେ ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ସୂଚନା ଦେଇଥିଲା ଯେ, ମହାପ୍ରଭୂଙ୍କଠାରେ ବିବାହ ଓ ଅନ୍ୟାନ୍ୟ ନିମନ୍ତ୍ରଣ ପତ୍ର ଲାଗି କରିବାକୁ ଚାହୁଁଥିବା ଭକ୍ତ ଘରେ ବସି ନିମନ୍ତ୍ରଣ ପତ୍ର ଅନ୍‌ଲାଇନରେ ପଠାଇ ପାରିବେ ।

ଦେଶବିଦେଶରେ ରହୁଥିବା ଜଗନ୍ନାଥପ୍ରେମୀଙ୍କ ଉଦ୍ଦେଶ୍ୟରେ ଏଭଳି ଏକ ନିଶୁଳ୍କ ସୁଯୋଗ ବ୍ୟବସ୍ଥା ହୋଇଥିବା ଖୁଣ୍ଟିଆ ନିଯୋଗ କହିଥିଲା । ଏଥିପାଇଁ ୱେବ୍‌ସାଇଟ୍‌ ପ୍ରସ୍ତୁତି ହେଉଥିବା କୁହାଯାଇଥିାଲ । କିନ୍ତୁ ଏମିତି କଥାକୁ ଖଣ୍ଡନ କରିଛି ଶ୍ରୀମନ୍ଦିର ପ୍ରଶାସନ ।

କାହାକୁ ଏମିତି କାମ ପାଇଁ ଅନୁମତି ଦିଆଯାଇନାହିଁ, ଲୋକଙ୍କୁ ବିଭ୍ରାନ୍ତ କରୁଥିବା ବ୍ୟକ୍ତି ବ୍ୟକ୍ତି ଓ ଅନୁଷ୍ଠାନକୁ ଠାବ କରିବା ପାଇଁ ପୋଲିସ୍‌କୁ ଜଣାଇ ଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଯଦି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏଭଳି ବ୍ୟବସ୍ଥା କରନ୍ତି ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Related Posts