ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ଆଙ୍ଗୁଳି କାଟିଲେ, ଏସିଡ୍‌ ମାଡ଼

ଆନ୍ଧ୍ରପ୍ରଦେଶ ବିଜପୁରମରେ ଓଡ଼ିଆ ଶ୍ରମିକ ମାନେ ଇଟାଭାଟି ମାଲିକ ଦ୍ବାରା ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ।

ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କୁ ନିର୍ମମ ନିର୍ଯାତନା । ଦାଦନ ଶ୍ରମିକଙ୍କ ଅଙ୍ଗୁଳି କାଟିବା ସହ ଏସିଡ୍ ମାଡ଼ କରିଛି ଇଟାଭାଟି ମାଲିକ । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଭୁର୍ତ୍ତା ଗାଁର ୪ ଜଣ ଶ୍ରମିକ ସେଠାରୁ ପ୍ରାଣ ବିକଳରେ ଜୀବନ ବଞ୍ଚାଇ ଖସି ପଳାଇଛନ୍ତି । ଏସିଡ୍‌ ମାଡରେ ଗୁରୁତର ଜୟଦେବ ଚନ୍ଦନିଅଁ।ଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ଅନୁସାରେ, ଭୁର୍ତ୍ତା ଗାଁର ୧୧ ଜଣ ଶ୍ରମିକ ଦାଦନ ଖଟିବାକୁ ବିଶାଖାପାଟଣାର ବିଜୟପୁରମଠାରେ ଥିବା ଏକ ଇଟାଭାଟିକୁ ଯାଇଥିଲେ । ସେଠାରେ କିଛିଦିନ କାମ କରିବା ପରେ ଶ୍ରମିକମାନେ ଭାଟି ମାଲିକଙ୍କୁ ମଜୁରୀ ଟଙ୍କା ମାଗିଥିଲେ । କିନ୍ତୁ ଟଙ୍କା ବଦଳରେ ମାଲିକ ଏମାନଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲା ।

ନିର୍ଯାତନା ସହି ନପାରି ୪ ଜଣ ଶ୍ରମିକ ଲୁଚି ପଳାଇ ଆସୁଥିବା ବେଳେ ଧରାପଡ଼ିଯାଇଥିଲେ । ରାଗରେ ଇଟାଭାଟି ମାଲିକ ଜୟଦେବଙ୍କ ଉପରକୁ ଏସିଡ୍ ମାଡ଼ କରିବା ସହ ଆଉ ଜଣେ ଶ୍ରମିକଙ୍କ ଅଙ୍ଗୁଳି କାଟି ଦେଇଛି । ଗାଁରେ ପହଞ୍ଚିବା ପରେ ସେମାନେ ନିର୍ଯାତନା ସଂପର୍କରେ କହିଥିଲେ ।

ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି, ଘଟଣା ସଂପର୍କରେ ଅନୁଧ୍ୟାନ କରାଯାଇ ଉଚ୍ଚ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯିବ । ଦରକାର ହେଲେ ରାଜ୍ୟସ୍ତରୀୟ କମିଟି ଆନ୍ଧ୍ରକୁ ଯାଇ ଶ୍ରମିକମାନଙ୍କୁ ଉଦ୍ଧାର କରିବ ।

Related Posts