ରାଫେଲ୍‌ ମାମଲାରେ ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି, ‘ବିମାନ ମୂଲ୍ୟ ଏବେ ସର୍ବସାଧାରଣରେ ପ୍ରକାଶ କରିବା ଦରକାର ନାହିଁ’

ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ଭାରତୀୟ ବାୟୁ ସେନା ପାଇଁ କିଣାଯାଉଥିବା ରାଫେଲ୍‌ ବିମାନକୁ ନେଇ ଜୋରଦାର ରାଜନୈତିକ ଯୁଦ୍ଧ ଚାଲିଥିବାବେଳେ ଏ ନେଇ ସୁପ୍ରିମକୋର୍ଟରେ ହୋଇଛି ଗୁରୁତ୍ବପୂର୍ଣ୍ଣ ଶୁଣାଣି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏବେ ରାଫେଲ୍‌ ବିମାନର ମୂଲ୍ୟ ସର୍ବସାଧାରଣରେ ପ୍ରକାଶ କରିବାର କୌଣସି ଆବଶ୍ୟକତା ନାହିଁ । ସୁପ୍ରିମ୍‌କୋର୍ଟ ଏନେଇ ଅନୁମତି ନ ଦେବା ଯାଏଁ ସେ ପର୍ଯ୍ୟନ୍ତ ରାଫେଲ ବିମାନର କିଣାମୂଲ୍ୟ ସର୍ବସାଧାରଣରେ ଘୋଷଣା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ଅଦାଲତ ।

ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠରେ ହୋଇଥିବା ମାମଲାର ଶୁଣାଣି ଚାଲିଛି । ବିମାନର କିଣା ଦାମକୁ ନେଇ ଦେଶରେ ଚାଲିଛି ଅନେକ ତର୍କ ବିତର୍କ । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାତାର ଆକ୍ରମଣ କରିଚାଲିଛନ୍ତି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ।

କିନ୍ତୁ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଫେଲ ବିମାନର କ୍ରୟ ମୂଲ୍ୟକୁ ସର୍ବସାଧାରଣ କରାଯିବାର ଆବଶ୍ୟକତା ଅଛି ବୋଲି ଯେତେବେଳଯାଏଁ ସର୍ବୋଚ୍ଚ ଅଦାଲତ ହୃଦବୋଧ କରିନାହାନ୍ତି, ସେ ଯାଏଁ ରାଫେଲର କିଣା ମୂଲ୍ୟ ଗୁପ୍ତ ରହିବ । ଶୁଣାଣି ପରେ ଯଦି କୋର୍ଟ ଆବଶ୍ୟକ ମନେକରିବେ ତେବେ ଯାଇ ରାଫେଲ ବିମାନର କ୍ରୟ ମୂଲ୍ୟକୁ ସର୍ବସାଧାରଣରେ ପ୍ରକାଶ କରାଯିବ ।

ରାଫେଲ୍‌କୁ ନେଇ ଗତ କିଛି ମାସ ହେଲା ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିବାବେଳେ, ଗତକାଲି ରାଫେଲ୍‌ ନିର୍ମାଣ କରୁଥିବା ଫ୍ରାନ୍ସର କମ୍ପାନୀ ଦାସଲ୍ଟର ସିଇଓ ସାମ୍ନାକୁ ଆସିଥିଲେ । ଏକ ଲମ୍ବା ସାକ୍ଷାତକାରରେ କଂଗ୍ରେସର ସମସ୍ତ ଅଭିଯୋଗକୁ ମିଛ ବୋଲି କହିଥିଲେ ।

Related Posts